ଯାଜପୁର : ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ୍ ପାଲଟପୁର ପଞ୍ଚାୟତ ଅନ୍ତର୍ଗତ ବିନ୍ଧା ନନ୍ଦିପୁର ଗ୍ରାମରେ ଗତ ୨୦ ଦିନ ତଳେ ଗ୍ରାମର ହେମନ୍ତ ମଲ୍ଲିକ ନାମକ ଜଣେ ଯୁବକ ଦିନ ଦ୍ୱିପ୍ରହରରେ ଭୁଜାଲିରେ କିଛି ଲୋକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଚୁପ୍ ବସିଛି । ଗୋଟିଏ ଦିନରେ ଗ୍ରାମର ୱାର୍ଡ଼ମେମ୍ବର ବିଶ୍ୱନାଥ ବେହେରାଙ୍କ ସହ ତାଙ୍କ ପତ୍ନୀ ବସନ୍ତଲତା ବେହେରା ଓ ବୋହୂ ଛବିରାଣୀ ବେହେରାଙ୍କୁ ହେମନ୍ତ ଭୁଜାଲିରେ ଆକ୍ରମଣ କରିଥିଲା । ଆକ୍ରମଣକାରୀଙ୍କ କବଳରୁ ଏମାନଙ୍କୁ ଉଦ୍ଧାର କରିବାକୁ ଯାଇ ଗୋଲେଖ ସାହୁ, ଅନୁ ବେହେରା, ଅପୂର୍ବ ବେହେରା, ଅଲେଖ ଚନ୍ଦ୍ର ବେହେରା, ଗୋଲେଖ ଦାସ ପ୍ରମୁଖ ଗ୍ରାମବାସୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ବିଶ୍ୱନାଥ ବେହେରାଙ୍କ ବୋହୂ ଛବିରାଣୀ ବେହେରାଙ୍କ ପକ୍ଷରୁ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରି ଆକ୍ରମଣର ଶିକାର ହୋଇଥିବା ପରିବାର ସହ ଶତାଧିକ ଗ୍ରାମବାସୀ ଦୀର୍ଘ ୨୦ ଘଣ୍ଟାରୁ ଊର୍ଦ୍ଧ୍ୱକାଳ ମଙ୍ଗଳପୁର ଥାନାରେ ଧାରଣା ଦେଇଥିଲେ । ଯାଜପୁର ଏସ୍ଡିପିଓ ସେତେବେଳେ ୧ ସପ୍ତାହ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୁଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ଏହାକୁ ନେଇ ଆଜି ସକାଳ ୯ ରୁ ଶତାଧିକ ମହିଳାଙ୍କ ସହ ୩୦୦ ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମଙ୍ଗଳପୁର ଥାନା ପରିସରରେ ଧାରଣା ଦେଇଥିଲେ । ପରେ ଅପରାହ୍ଣ ୩ଟାରେ ଶତାଧିକ ମହିଳା ପୁଲିସର ନୀରବତାକୁ ନେଇ ପ୍ରତିବାଦ କରିବା ସହ ଥାନା ମଧ୍ୟରେ ଧଷେଇ ପ୍ରବେଶ କରିଥିଲେ । ପରେ ପୁଲିସ କର୍ମଚାରୀମାନେ ଅନ୍ୟ ଉପାୟ ନପାଇ ସେମାନଙ୍କୁ ରୋକିବାକୁ ଥାନାର କବାଟ ବନ୍ଦ କରିଦେଇଥିଲେ । କିନ୍ତୁ ମହିଳାମାନେ ଥାନାର ପୋର୍ଟିକ ମଧ୍ୟରେ ଏବେ ପର୍ଯ୍ୟନ୍ତ ବସିରହିବା ସହ ଥାନାକୁ ସମ୍ପୂର୍ଣ୍ଣଭାବେ ଅଚଳ କରିଦେଇଛନ୍ତି । ଯେପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ସେପର୍ଯ୍ୟନ୍ତ ଥାନା ପରିସରରୁ ସେମାନେ ହଟିବେ ନାହିଁ ବୋଲି ରୋକ୍ଠୋକ୍ଭାବେ କହିଛନ୍ତି । ମଙ୍ଗଳପୁର ଥାନାଧିକାରୀ ଅସିତ୍ ରଞ୍ଜନ ମହାନ୍ତି ଯେତେପ୍ରକାର ଚେଷ୍ଟାକଲେ ମଧ୍ୟ ମହିଳାମାନଙ୍କୁ ଏପରି ଆନ୍ଦୋଳନରୁ ନିବୃତ୍ତ କରାଇ ପାରିନାହାନ୍ତି । ବାଧ୍ୟହୋଇ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାପରେ ପୁଣି ସନ୍ଧ୍ୟାବେଳେ ଏସ୍ଡିପିଓ ଆନ୍ଦୋଳନକାରୀମାନଙ୍କ ପାଖରେ ପହଞ୍ଚିଥିଲେ । ତେବେ ଆସାମୀକୁ ଗିରଫ ନକରିବା ପର୍ଯ୍ୟନ୍ତ ଥାନା ପରିସରରୁ ଆମେ ହଟିବୁ ନାହିଁ ବୋଲି ଏସ୍ଡିପିଓଙ୍କୁ ଗ୍ରାମବାସୀ ଚରମବାଣୀ ଶୁଣାଇଛନ୍ତି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି ।