ଭୁବନେଶ୍ୱର : ଆସନ୍ତାକାଲି ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ । ୩ ଜଣ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେବେ । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ପୁଣି ଥରେ କ୍ୟାବିନେଟ୍ରେ ସାମିଲ୍ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ସେହିପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ବାଙ୍ଗିରପୋଷି ବିଧାୟକ ସୁଦାମ୍ ମାରାଣ୍ଡିଙ୍କୁ ମଧ୍ୟ୍ କ୍ୟାବିନେଟ୍ରେ ସାମିଲ୍ କରାଯିବ । ଆସନ୍ତାକାଲି ସକାଳ ୯.୫୦ରେ ଲୋକସେବା ଭୁବନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏବଂ ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳରେ ତିନୋଟି ପଦବୀ ଖାଲିଥିଲା । ଏହି ୩ ପଦବୀରେ ୩ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ୍ ଆଜି ସନ୍ଧ୍ୟାରେ ଭୁବନେଶ୍ୱରେ ଆସି ପହଞ୍ଚିଛନ୍ତି । ରାଜ୍ୟପାଳଙ୍କ ଅନୁପସ୍ଥିତ ଯୋଗୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଟକି ଥିଲା । ଏହି ୩ଜଣ ପୂର୍ବରୁ ବି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିଲେ ।