26.1 C
Bhubaneswar
Saturday, October 19, 2024
Homeଓଡିଶାଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ; ମହିଳା ଏସ୍‌ଡବ୍ଲୁଓଙ୍କ ମାଳ ମାଳ କୋଠା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ; ମହିଳା ଏସ୍‌ଡବ୍ଲୁଓଙ୍କ ମାଳ ମାଳ କୋଠା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର କୋଟିପତି ସମାଜ ମଙ୍ଗଳ ଅଧିକାରୀ(ଏସ୍‌ଡବ୍ଲୁଓ) ଜୟନ୍ତୀ ବେହେରା । ଭିଜିଲାନ୍ସ ଗୁରୁବାର ଜୟନ୍ତୀ, ତାଙ୍କ ପୁଅ, ସମ୍ପର୍କୀୟ ଏବଂ ଜଣେ ଛତୁଆ କଣ୍ଟ୍ରାକ୍ଟରଙ୍କୁ ମିଶାଇ ୧୧ଟି ଠିକଣାରେ ଚଢ଼ଉ କରିଛି । ତଦନ୍ତକାରୀ ସଂସ୍ଥା ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ବେଳେ ଚଢଉ ଏପର୍ଯ୍ୟନ୍ତ ଜାରି ରହିଥିବା କୁହାଯାଇଛି ।

ତେଣୁ ଆଗକୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିବା ନେଇ ଆଶା କରାଯାଉଛି । ଭିଜିଲାନ୍ସ ଚଢ଼ଉ ଜାରି ରଖିଥିଲା ବେଳେ ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରା ଉଚରା ଜାରି ରଖାଯାଇଛି । ଆସନ୍ତାକାଲି ତାଙ୍କୁ ଗିରଫ କରାଯାଇ ପାରେ । ତେବେ ଏହି ସମ୍ପତ୍ତି ମଧ୍ୟରେ କିଛି କୋଠା ଏବଂ ୮ଟି ପ୍ଲଟ୍ ରହିଛି । ବାଲେଶ୍ୱରରେ ୩ଟି କୋଠା ଏବଂ ୮ଟି ପ୍ଲଟ୍ ରହିଥିଲା ବେଳେ ଭୂବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍ ରହିଛି ।

ଜଣେ ଏସ୍‌ଡବ୍ଲୁଓ ପାଖରେ ଏତେ ସମ୍ପତ୍ତି କେଉଁଠୁ ଆସିଲା ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଭିଜିଲାନ୍ସ ଜବତ କରିଥିବା ସମ୍ପତ୍ତି ତାଙ୍କ ଆୟ ଠାରୁ ବହୁ ଗୁଣା ଅଧିକ ବୋଲି ଅନୁମାନ କରାଯାଉଛି । ଭିଜିଲାନ୍ସ ସୂଚନା ମୁତାବକ, ସେ ପୂର୍ବରୁ ଭଦ୍ରକର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା ବେଳେ ଏବେ ପଦୋନ୍ନତି ପାଇ ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଏସ୍‌ଡବ୍ଲୁଓ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ନିକଟରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଶ୍ୱସ୍ଥ ସୂତ୍ରରୁ ଜାଣିବାକୁ ପାଇଥିଲା ।

ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ପକ୍ଷରୁ କୋର୍ଟଙ୍କ ଅନୁମତି ଲୋଡ଼ା ଯାଇଥିଲା । କୋର୍ଟଙ୍କ ଅନୁମତି ମିଳିଲା ପରେ ଆଜି ଭିଜିଲାନ୍ସ ପକ୍ଷରୁ ୧୧ଟି ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଭଦ୍ରକ, ବାଲେଶ୍ୱର ଏବଂ ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲେ । ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଫିରିଙ୍ଗପାଟଣାରେ ଥିବା ୩ମହଲା କୋଠା,ଗଣେଶ୍ୱରପୁରରେ ଥିବା ୩ ମହଲା କୋଠା ଏବଂ ନିର୍ମାଣାଧୀନ ୨ମହଲା କୋଠା ଉପରେ ରେଡ୍ କରାଯାଇଥିଲା ।

ବାଲେଶ୍ୱରରେ ଥିବା ପୁଅ ରୋହିତ ମଣ୍ଡଳର ଅଫିସ ଚାମ୍ବର, ବାଲେଶ୍ୱର ସୁନାହାଟରେ ଥିବା ସମ୍ପର୍କୀୟଙ୍କ ଘର ଓ ଚାଡିଆପୋଲରେ ଥିବା ଜଣେ ସହଯୋଗୀଙ୍କ ଘରେ ରେଡ୍ ହୋଇଥିଲା । ସେହିପରି ଭଦ୍ରକ ସ୍ଥିତ ଭଡ଼ାଘର, ଅଫିସ ଚାମ୍ବରରେ ସମେତ ଭୁବନେଶ୍ୱର କଳ୍ପନା ଛକ ଗୌତମ ନଗରରେ ଥିବା ରୟାଲ ରେସିଡେନ୍ସି ଓ ଓଲ୍ଡଟାଉନ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ ୩ ବିଏଚକେ ଫ୍ଲାଟ୍ ଏବଂ ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ବିଭାଗରେ ଥିବା ଜୟନ୍ତୀଙ୍କ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା ।

ଘର ଏବଂ ପ୍ଲଟ୍ ବ୍ୟତୀତ ତାଙ୍କଠାରୁ ୨ କେଜି ୧୧୨ ଗ୍ରାମ୍ ରୂପା ଜବତ ହୋଇଛି । ଏଥିରେ କିଛି ରୂପା ଚାମଚ ଏବଂ ଗିନା ରହିଛି । ଯାହାକୁ କୋଟିପତିମାନେ ପିଲାଙ୍କ ଜନ୍ମଦିନରେ ଖିରୀ ଚଟାଇବାକୁ ବ୍ୟବହାର କରିଥାନ୍ତି । ଏହାବ୍ୟତିତ ୭ ଲକ୍ଷ ୪୦ ହଜାର ଟଙ୍କାର ସୁନା ଅଳଙ୍କାର, ୨.୭୯ ଲକ୍ଷ ନଗଦ ଟଙ୍କା ଏବଂ ଗୋଟିଏ ୪ ଚକିଆ ଗାଡ଼ି ଏବଂ ୨ଟି ମୋଟର୍ ସାଇକଲ ଠାବ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking