18.1 C
Bhubaneswar
Saturday, November 23, 2024
Homeଓଡିଶାବର୍ଷିୟାନ୍ ଅଭିନେତା ପଦ୍ମଶ୍ରୀ ସାଧୁ ମେହେର ଆଉନାହାନ୍ତି

ବର୍ଷିୟାନ୍ ଅଭିନେତା ପଦ୍ମଶ୍ରୀ ସାଧୁ ମେହେର ଆଉନାହାନ୍ତି

‘ଅଙ୍କୁର’ ପାଇଁ ସେ ପାଇଥିଲେ ଜାତୀୟ ଫିଲ୍ମ ପୁରସ୍କାର
‘ଅଭିମାନ’ ଥିଲା ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ
୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର: ବର୍ଷିୟାନ ଚଳଚ୍ଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ତାଙ୍କର ପରଲୋକ ମୁମ୍ବାଇର ଏକ ଘରୋଇ ହସ୍ପପିଟାଲରେ ହୋଇଥିବା ନେଇ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସାଧୁ ମେହେର ଥିଲେ ସମାନ୍ତରାଳ ସିନେମାର ସନ୍ଥ । ଗୁରୁ ଗମ୍ଭୀର ଥିଲା ତାଙ୍କ ସ୍ୱର । ଅଭିନୟ ଏମିତି, ଯାହା ସିଧା ହୃଦୟକୁ ସ୍ପର୍ଶ କରୁଥିଲା । ପ୍ରଥମ ଓଡ଼ିଆ ଅଭିନେତା ଯିଏ ବଳିଷ୍ଠ ଅଭିନୟ ପାଇଁ ପାଇଥିଲେ ‘ଜାତୀୟ ସମ୍ମାନ’ । ଓଡ଼ିଆ ଫିଲ୍ମକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇବାର ଶ୍ରେୟ ତାଙ୍କୁ ଦିଆଯାଏ । ବଳିଷ୍ଠ ଅଭିନୟ ଓ ଦମଦାର ସ୍ୱର ପାଇଁ ପରିଚିତ ସାଧୁ ମେହରଙ୍କ ଜୀବନ ଯାତ୍ରା ଶୁକ୍ରବାର ଶେଷ ହୋଇଛି ।

ଦୁନିଆ ରଙ୍ଗମଞ୍ଚରେ ନିଜ ଅଭିନୟ ସାରି ସେ ଚାଲି ଯାଇଛନ୍ତି । ପଛରେ ଛାଡ଼ି ଯାଇଛନ୍ତି ଉପଲବ୍ଧିର ପାହାଡ଼ । ଯାହା ଆଗକୁ ପ୍ରେରଣା ଦେବ ଯୁବ କଳାକାର ମାନଙ୍କୁ । ୧୯୮୦ ଦଶକରେ ପାରାଲାଲ ସିନେମାର ଗୋଟିଏ ଚିହ୍ନା ନାମ ଥିଲେ ସାଧୁ ମେହର । ୧୯୭୪ ମସିହାରେ ‘ଅଙ୍କୁର’ ପାଇଁ ସେ ପାଇଥିଲେ ଜାତୀୟ ଫିଲ୍ମ ପୁରସ୍କାର । ଏଭଳି ସମ୍ମାନ ପାଇବାର ସେ ଥିଲେ ପ୍ରଥମ ଓଡ଼ିଆ । ‘ଅଙ୍କୁର’ ତାଙ୍କୁ ପରିଚୟ ଦେବାର ୩ ବର୍ଷ ପରେ ସେ ଅଭିମାନ ଜରିଆରେ ପାଦ ଥାପିଥିଲେ ନିର୍ଦ୍ଦେଶନାରେ । ‘ଅଭିମାନ’ ଥିଲା ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ । ଏହାକୁ ଆଜି ମଧ୍ୟ ଏକ କଲ୍ଟ କ୍ଲାସିକ୍ ଭାବେ ବିବେଚନା କରାଯାଏ । ୧୯୮୦ ଦଶକରେ ଓଡ଼ିଆ ଫିଲ୍ମ ଶିଳ୍ପ ଯେତେବେଳେ ମସଲା ମୋଭି’ରେ ବ୍ୟସ୍ତ ଥିଲା ସେତେବେଳେ ସାଧୁ ଲିକ୍‌ରୁ ହଟି ଓଡ଼ିଶାକୁ ଦେଇଥିଲେ ପ୍ରଥମ ସାଇନ୍ସ ଫିକ୍ସନ ଫିଲ୍ମ । ଫିଲ୍ମର ନାଁ ଥିଲା ‘ବାବୁଲା’ ।

୧୯୮୫ରେ ଆସିଥିବା ଏହି ଫିଲ୍ମ ତା’ ସମୟଠାରୁ ଢେର ଆଗରେ ଥିଲା । ଫଳରେ ଫିଲ୍ମ ଚାଲି ନଥିଲା । କିନ୍ତୁ ଗୋଟିଏ କଥା ପ୍ରମାଣିତ କରିଥିଲା, ସାଧୁ ନିଜ ସମୟଠାରୁ ଆଗରେ ଥିଲେ । ୧୯୬୯ରେ ଭୁବନସୋମ୍ ଜରିଆରେ ସାଧୁ ଫିଲ୍ମ ଦୁନିଆକୁ ପ୍ରଥମେ ପ୍ରବେଶ କରିଥିଲେ । ପାଖାପାଖି ୬ ଦଶକର ଅଭିନୟ ଯାତ୍ରାରେ ସେ ପ୍ରାୟ ୨୭ ଫିଲ୍ମରେ ଅଭିନୟ କରିଥିଲେ ଓ ୫ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ‘ଅଭିମାନ’ ନିର୍ଦ୍ଦେଶନାର ୨୦ ବର୍ଷ ପରେ ୧୯୯୫ରେ ଶେଷ ଥର ପାଇଁ ‘ଗୋପରେ ବଢୁଛି କଳା କହ୍ନେଇ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ଅଭିନୟର ଯାଦୁ ଦର୍ଶକମାନଙ୍କୁ ବାନ୍ଧି ରଖୁଥିଲା । ଅନେକ ହିନ୍ଦୀ ଓ ଓଡ଼ିଆ ସିନେମା ମଧ୍ୟରେ ‘ଅଙ୍କୁର’, ‘ମୃଗୟା’, ‘ଭୁବନ ସୋମ୍‌’, ‘ମନ୍ଥନ’ରେ ସାଧୁଙ୍କ ନିଖୁଣ ଅଭିନୟର ଛାପ ଦେଖିବାକୁ ମିଳିଥିଲା । ଫିଲ୍ମ ପ୍ରତି ତାଙ୍କର ଅବଦାନ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking