26.1 C
Bhubaneswar
Saturday, September 21, 2024
Homeଖେଳଭେଙ୍କଟେଶଙ୍କ ଅର୍ଦ୍ଧଶତକ, ଷ୍ଟାର୍କଙ୍କୁ ୪ ୱିକେଟ୍‌: କୋଲ୍‌କାତା ୨୪ ରନ୍‌ରେ ବିଜୟୀ; ମୁମ୍ବାଇ ପ୍ଲେଅଫ୍ ରେସ୍‌ରୁ...

ଭେଙ୍କଟେଶଙ୍କ ଅର୍ଦ୍ଧଶତକ, ଷ୍ଟାର୍କଙ୍କୁ ୪ ୱିକେଟ୍‌: କୋଲ୍‌କାତା ୨୪ ରନ୍‌ରେ ବିଜୟୀ; ମୁମ୍ବାଇ ପ୍ଲେଅଫ୍ ରେସ୍‌ରୁ ବାହାର

ମୁମ୍ବାଇ: ଭେଙ୍କଟେଶ ଆୟର୍‌ଙ୍କ ଅର୍ଦ୍ଧଶତକ ଏବଂ ୧୯ତମ ଓଭର୍‌ରେ ମିଚେଲ୍ ଷ୍ଟାର୍କଙ୍କ ୩ଟି ୱିକେଟ୍ ବଳରେ କୋଲ୍‌କାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲ୍‌ର ୫୧ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୪ ରନ୍‌ରେ ହରାଇ ଦେଇଛି । ୱାଙ୍ଖେଡେ ଷ୍ଟାଡିୟମ୍‌ରେ ୧୨ ବର୍ଷ ପରେ କୋଲ୍‌କାତାର ଏହା ମୁମ୍ବାଇ ବିପକ୍ଷରେ ପ୍ରଥମ ବିଜୟ । ଏହି ପରାଜୟ ଫଳରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ ରେସ୍‌ରୁ ବାଦ୍ ପଡ଼ିଛି । ୱାଙ୍ଖେଡେ ଷ୍ଟାଡିୟମ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲ୍‌କାତା ୧୯.୫ ଓଭର୍‌ରେ ୧୬୯ ରନ୍ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୧୮.୫ ଓଭର୍‌ରେ ୧୪୫ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା । ଭେଙ୍କଟେଶ ଆୟରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି ।

୧୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ମିଚେଲ୍ ଷ୍ଟାର୍କ ପ୍ରଥମ ଧକ୍କା ଦେଇଥିଲେ । ଦ୍ୱିତୀୟ ଓଭର୍‌ର ଚତୁର୍ଥ ବଲ୍‌ରେ ସେ ଈଶାନ୍ କିଶନ୍ (୧୩)ଙ୍କୁ ବୋଲ୍ଡ କରିଥିଲେ । ନମନ୍ ଧୀର (୧୧)ଙ୍କୁ ବରୁଣ ଚକ୍ରବର୍ତ୍ତୀ ନିଜର ପ୍ରଥମ ବଲ୍‌ରେ ବୋଲ୍ଡ କରି ପ୍ୟାଭିଲିୟନ୍ ଫେରାଇଥିଲେ । ରୋହିତ ଶର୍ମା ୧୧ ରନ୍ କରି ସୁନୀଲ୍ ନାରିନ୍‌ଙ୍କ ବଲ୍‌ରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ତିଳକ ବର୍ମା ମାତ୍ର ୪ ରନ୍‌ରେ ଆଉଟ୍ ହୋଇଥିବା ବେଳେ ନେହାଲ୍ ୱାଧେରା ୬ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧ ରନ୍ କରି ବିଦାୟ ନେଇଥିଲେ ।

୭୧ ରନ୍‌ରେ ଟିମ୍ ୬ ୱିକେଟ୍ ହରାଇଥିବା ବେଳେ ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ସୂର୍ଯ୍ୟକୁମାର ଯାଦବ ଲଗାତାର ଛକା ଓ ଚୌକା ମାରି ୩୦ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ୩୫ ବଲ୍‌ରେ ୬ ଚୌକା ଓ ଛକା ସହାୟତାରେ ୫୪ ରନ୍ କରିଥିବା ବେଳେ ରସେଲ୍‌ଙ୍କ ବଲ୍‌ରେ ସଲ୍ଟଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଇତିମଧ୍ୟରେ ସେ ସପ୍ତମ ୱିକେଟ୍ ପାଇଁ ଟିମ୍ ଡେଭିଡ୍‌ଙ୍କ ସହ ୪୯ ରନ୍‌ର ଭାଗୀଦାରି କରି ମୁମ୍ବାଇ ସ୍କୋର୍ ୧୨୦ ରନ୍‌ରେ ପହଞ୍ଚାଇଥିଲେ । ୧୨ ବଲ୍‌ରେ ୩୨ ରନ୍‌ର ଆବଶ୍ୟକତା ଥିବାବେଳେ ୧୯ତମ ଓଭର୍‌ର ପ୍ରଥମ ବଲ୍‌ରେ ଷ୍ଟାର୍କଙ୍କୁ ଛକା ମାରି ଡେଭିଡ୍ କିଛିଟା ଆଶା ସୃଷ୍ଟି କରିଥିଲେ ମଧ୍ୟ ପରବର୍ତ୍ତୀ ବଲ୍‌ରେ ଶ୍ରେୟସ୍ ଆୟର୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ତୃତୀୟ ବଲ୍‌ରେ ପୀୟୁଷ ଚାୱାଲା କ୍ୟାଚ୍ ଆଉଟ୍ ହୋଇଥିବା ବେଳେ ଷ୍ଟାର୍କ ପଞ୍ଚମ ବଲ୍‌ରେ ଜେରାଲ୍ଡ କୋଏଟ୍‌ଜିଙ୍କୁ ବୋଲ୍ଡ ଆଉଟ୍ କରି ମୁମ୍ବାଇକୁ ୧୪୫ ରନ୍‌ରେ ରୋକିଥିଲେ । ଷ୍ଟାର୍କ ମୋଟ ୪ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ସୁନୀଲ୍ ନାରିନ୍ ଓ ଆନ୍ଦ୍ରେ ରସେଲ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲ୍‌କାତାର ଆରମ୍ଭ ଭଲ ନଥିଲା । ନୁୱନ୍ ତୁଷାରା ତିନିଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ଆଉଟ୍ କରିବା ଫଳରେ ଟିମ୍ ୫୭ ରନ୍ ମଧ୍ୟରେ ଟିମ୍‌ର ଅଧା ବ୍ୟାଟର୍‌ଙ୍କୁ ହରାଇ ସଂକଟରେ ପଡ଼ିଥିଲା । ଏହାପରେ ଭେଙ୍କଟେଶ ଆୟର୍ ଓ ମନୀଷ ପାଣ୍ଡେ ଇନିଂସ୍ ସମ୍ଭାଳି ୬ଷ୍ଠ ୱିକେଟ୍ ପାଇଁ ୮୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ତେବେ ମନୀଷ ପାଣ୍ଡେଙ୍କ ଆଉଟ୍ ପରେ ଏହି ଭାଗୀଦାରୀରେ ବ୍ରେକ୍ ଲଗାଇଥିଲେ । ମନୀଷ ୩୧ ବଲ୍‌ରେ ଦୁଇଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୪୨ ରନ୍ କରିଥିଲେ । ଧୈର୍ଯ୍ୟର ସହ ବ୍ୟାଟିଂ କରି ୫୨ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୭୦ ରନ୍ କରିଥିବା ଭେଙ୍କଟେଶ ଆୟର୍‌ଙ୍କୁ ଶେଷ ଓଭର୍‌ର ପଞ୍ଚମ ବଲ୍‌ରେ ଆଉଟ୍ କରି ବୁମ୍‌ରା କୋଲ୍‌କାତା ଇନିଂସ୍‌କୁ ୧୬୯ ରନ୍‌ର ସ୍କୋର୍‌ରେ ରୋକିଥିଲେ । ଆୟର୍‌ଙ୍କ ୱିକେଟ୍ ମ୍ୟାଚ୍‌ରେ ବୁମ୍‌ରାଙ୍କ ତୃତୀୟ ୱିକେଟ୍ ଥିଲା । ଏହା ସହିତ ଆଇପିଏଲ୍‌ର ଗୋଟିଏ ମ୍ୟାଚ୍‌ରେ ସେ ୨୩ ଥର ପାଇଁ ୩ଟି କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେବାର ରେକର୍ଡ କରିଥିଲେ । କୋଲ୍‌କାତାର ସାତଜଣ ବ୍ୟାଟର୍ ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ । ମୁମ୍ବାଇ ପକ୍ଷରୁ ବୁମ୍‌ରା ଓ ତୁଷାରା ତିନିଟି ଲେଖାଏଁ ଏବଂ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ୱିକେଟ୍ ନେଇଥିବା ବେଳେ ପୀୟୁଷ ଚାୱଲାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking