18.1 C
Bhubaneswar
Monday, November 25, 2024
Homeଓଡିଶାବେଦାନ୍ତ ସମ୍ପ୍ରସାରଣ ପ୍ରକଳ୍ପକୁ ଧକ୍କା : କେନ୍ଦ୍ର ସରକାରଙ୍କ ପରିବେଶ ମଞ୍ଜୁରୀ ମଳିଲାନି

ବେଦାନ୍ତ ସମ୍ପ୍ରସାରଣ ପ୍ରକଳ୍ପକୁ ଧକ୍କା : କେନ୍ଦ୍ର ସରକାରଙ୍କ ପରିବେଶ ମଞ୍ଜୁରୀ ମଳିଲାନି

ଝାରସୁଗୁଡ଼ା: ଝାରସୁଗୁଡା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ସ୍ମେଲଟର ପ୍ଳାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି ଲାଗି ପ୍ରସ୍ତାବିତ ୧୨୪୦ କୋଟିର ସମ୍ପ୍ରସାରଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବେଦାନ୍ତକୁ ଆବଶ୍ୟକ ପରିବେଶ ମଞ୍ଜୁରୀ ମିଳିପାରି ନଥିବା ଜଣାଯାଇଛି। କମ୍ପାନି ବିରୋଧରେ ପରିବେଶ ନିୟମ ଉଲ୍ଲଂଘନ ସମ୍ପର୍କିତ ଏକ ମାମଲା ଏନ୍‌ଜିଟିରେ ବିଚାରାଧୀନ ଥିବା ବେଳେ ସମ୍ପ୍ରସାରଣ ପ୍ରକଳ୍ପ ମଞ୍ଜୁରୀ ସକାଶେ ଆବେଦନ କଲାବେଳେ ବେଦାନ୍ତ ଏହି ତଥ୍ୟକୁ ଦର୍ଶାଇ ନ ଥିଲା। ଏଥିପାଇଁ ବିଭାଗର ଏକ ବିଶେଷଜ୍ଞ କମିଟି ବେଦାନ୍ତ କର୍ତୃପକ୍ଷଙ୍କୁ କୈଫିୟତ ମାଗିଛନ୍ତି।

ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ମଧ୍ୟ ଏହି ସମ୍ପ୍ରସାରଣ ପ୍ରକଳ୍ପ ପ୍ରତିଷ୍ଠା ପାଇଁ କମ୍ପାନିକୁ ଅନୁମତି ମିଳି ନ ଥିଲା। ପାଉଁଶ ପ୍ରଦୂଷଣ କରି ଚାଷ ଜମି ଓ ଜନଜୀବନକୁ କ୍ଷତି ପହଞ୍ଚାଇବା ଏବେ ବେଦାନ୍ତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଝାରସୁଗୁଡା ଭୁର୍କାମୁଣ୍ଡା ସ୍ଥିତ ସ୍ମେଲଟର ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୧.୬ ମେଟ୍ରିକ୍‌ ଟନ୍‌ରୁ ୧.୮ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି ସକାଶେ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ପାଇବାରେ କମ୍ପାନିକୁ ଦ୍ଵିତୀୟ ଥର ପାଇଁ ନିରାଶ ହେବାକୁ ପଡ଼ିଛି। ବେଦାନ୍ତ କମ୍ପାନି ଝାରସୁଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଉଡ଼ନ୍ତା ପାଉଁଶକୁ ଏଣେତେଣେ ପକାଉ ଥିବାରୁ ଚାଷଜମି କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ଜଳାଶୟଗୁଡ଼ିକ ଦୂଷିତ ହେଉଛି।ଏଭଳି ଅଭିଯୋଗ କରି ଝାରସୁଗୁଡା ଜୁନାରିମୁଣ୍ଡା ମୌଜାର ଜଣେ ବ୍ୟକ୍ତି ଏପ୍ରିଲ ମାସରେ କୋଲକାତାସ୍ଥିତ ଏନ୍‌ଜିଟି ପୂର୍ବ ଜୋନ୍‌ ବେଞ୍ଚର ଦ୍ୱାରସ୍ଥ ହୋଇଥିଲେ।

ତେବେ ସମ୍ପ୍ରସାରଣ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରିବା ସମୟରେ କମ୍ପାନି କର୍ତୃପକ୍ଷ ଏନ୍‌ଜିଟିରେ ବିଚାରାଧୀନ ଥିବା ମାମଲା ସମ୍ପର୍କରେ କୌଣସି ତଥ୍ୟ ଦାଖଲ କରି ନ ଥିଲେ। ଦୀର୍ଘ ଦିନରୁ ବେଦାନ୍ତର ପାଉଁଶ ପ୍ରଦୂଷଣ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଝାରସୁଗୁଡାର କିଛି ପରିବେଶ କର୍ମୀ କମ୍ପାନି ବିରୋଧରେ ଏନ୍‌ଜିଟିରେ ଏକ ମାମଲା ବିଚାରାଧୀନ ଥିବା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଗତ ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ଇଏସି ମିଟିଂରେ ଏହାକୁ ବିଚାରକୁ ନିଆଯାଇ କମ୍ପାନି କର୍ତୃପକ୍ଷଙ୍କୁ କୈଫିୟତ ମଗାଯାଇଛି।

ମନ୍ତ୍ରଣାଳୟର ପରିବେଶ ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହୋଇଥିବା ଉକ୍ତ ମିଟିଂର ମିନିଟସ୍‌ରୁ ଏହା ଜଣାପଡିଛି। ଏହାଛଡା ବେଦାନ୍ତ ଆଲୁମିନିନିୟମରୁ ବାହାରୁଥିବା ୮୫ ହଜାର ମେଟ୍ରିକ ଟନ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ସମ୍ପର୍କରେ କମ୍ପାନିକୁ ଜବାବ ତଲବ କରିବା ପାଇଁ ଇଏସି ପକ୍ଷରୁ ପରିବେଶ ମନ୍ତ୍ରଣାଳୟକୁ ସୁପାରିସ କରାଯାଇଛି। ପୂର୍ବରୁ ଗତ ଅଗଷ୍ଟ ମାସରେ ମଧ୍ୟ ବେଦାନ୍ତ କମ୍ପାନି ପରିବେଶ ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଏହି ସମ୍ପ୍ରସାରଣ ପ୍ରକଳ୍ପକୁ ଅନୁମତି ଦିଆଯାଇ ନଥିଲା। ଫଳରେ ପରିବେଶ ନିୟମକୁ ଉଲ୍ଲଂଘନ କରି ଆଖପାଖର ଗ୍ରାମବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବା ବେଦାନ୍ତ କମ୍ପାନିର ଏହି ସମ୍ପ୍ରସାରଣ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking