ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ ବଲାଙ୍ଗୀର ସମବାୟ ବ୍ୟାଙ୍କ ଦୁର୍ନୀତି ଦାୟିତ୍ବ ଭିଜିଲାନ୍ସକୁ ଦେବାରେ ଏତେ କୁଣ୍ଠା କାହିଁକି? ୨୦୨୧ରୁ ୨୦୨୩ ମସିହା ପର୍ଯ୍ୟନ୍ତ ଲଗାତାର ୩ ବର୍ଷ ହେଲା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରାଯାଇ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସକୁ ସୁପାରିସ ପାଇଁ ସରକାରଙ୍କୁ ଲିଖିତ ଭାବରେ ଜଣାଉଛି। କିନ୍ତୁ ବିଭାଗର ସ୍ଥାଣୁତା ଆଶ୍ଚର୍ଯ୍ୟ କରି ଦେଉଛି। ଗୋଟିଏ ପଟରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ତାଙ୍କ କର୍ମଚାରୀମାନଙ୍କୁ ଶପଥ କରାଉଛନ୍ତି କିନ୍ତୁ ଅନ୍ୟ ପଟରେ ଦୁର୍ନୀତି ତଦନ୍ତ ସଂକ୍ରାନ୍ତରେ ସାମ୍ବିଧାନିକ କମିଟି ସୁପାରିସର ଉଲ୍ଲଂଘନ ଅନେକ ପ୍ରଶ୍ନ ସୃଷ୍ଟି କରୁଥିବା କହିଛନ୍ତି ଧାନ ସଂଗ୍ରହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର।
ଶ୍ରୀ ମିଶ୍ର କହିଛନ୍ତି, ୨୦୨୧ ମସିହାରେ ପ୍ରଥମ କରି ଷ୍ଟାଣ୍ଡିଂ କମିଟି ପକ୍ଷରୁ ଯେତେବେଳେ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିସ କରଗଲା, ବିଭାଗ ପକ୍ଷରୁ କୁହାଯାଇଥିଲା, ଏହାକୁ ନେଇ ଏଜିଙ୍କ ପାଖକୁ ମତାମତ ପାଇଁ ପଠାଯାଇଛି। କିନ୍ତୁ ଏହା ପରେବି ବିଭାଗ ଚୁପ ବସିଛି। ଉଭୟ ସମବାୟ ବ୍ୟାଙ୍କ ଦୁର୍ନୀତି ତଦନ୍ତ ବେଳେ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଭିଜିଲାନ୍ସ ଡିଜିଙ୍କ ମତ ମଧ୍ୟ ସଂଗ୍ରହ କରାଯାଇଛି। ୧୪ ତାରିଖରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟିର ପରବର୍ତ୍ତୀ ବୈଠକରେ ଏହି ପ୍ରସଙ୍ଗ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ। ଏଥିରେ ଡିଜି ଭିଜିଲାନ୍ସ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ, ଏଜିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।ସୂଚନା ଅନୁଯାୟୀ, ଖରିଫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ହୋଇଛି।
ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ତାରିଖ ନିର୍ଧାରଣ ହୋଇ ସାରିଛି। ଏହା ପୂର୍ବରୁ ଆୟୋଜିତ ଧାନ ସଂଗ୍ରହ ଷ୍ଟାଣ୍ଡିଂ କମିଟିରେ ଉପରୋକ୍ତ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଭାଗ ନେଇ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଧାନ ସଂଗ୍ରହର କୋଟି-କୋଟି ଟଙ୍କାର ଦୁର୍ନୀତି ହୋଉଛି। ଏଫ୍ସିଆଇ ଆକ୍ଟ୍ ଏବଂ ୨୦୦୩ ମସିହାରେ ହାଇକୋର୍ଟର ଆଦେଶ ଅନୁଯାୟୀ ଏମଏସ୍ପି ପାଇବାରେ ଚାଷୀ ବଞ୍ଚିତ ହେଉଥିଲେ ରାଜ୍ୟରେ ଉତ୍ପାଦିତ ସମସ୍ତ ଧାନ କିଣିବା ପାଇଁ ଏଫ୍ସିଆଇ ବାଧ୍ୟ ଅଟେ। କେବଳ ରାଜ୍ୟ ଚାହିଁଲେ କିଛି ସ୍ଥାନରେ ଧାନ କିଣି ପାରନ୍ତି। କିନ୍ତୁ ଓଡ଼ିଶାରେ ଏଫ୍ସିଆଇ ଧାନ ନ କିଣି ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଏଜେଣ୍ଟ୍ ଭାବରେ ଧାନ କିଣୁଛନ୍ତି।
ଅନ୍ୟପଟରେ କିନ୍ତୁ ଧାନ ସଂଗ୍ରହ କମିସନ ବାକି ରଖିବା ଠାରୁ ଚାଉଳ କ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ଅସହଯୋଗ କରୁଥିବା ଅଭିଯୋଗ କରୁଛନ୍ତି। ଏହା ସତ୍ତ୍ବେ ଧାନ ସଂଗ୍ରହ ଦାୟିତ୍ବ କେନ୍ଦ୍ରକୁ ନ ଦେବା ଅର୍ଥ ଏହାକୁ ନେଇ ପ୍ରତିବର୍ଷ କୋଟି-କୋଟି ଟଙ୍କାର ଦୁର୍ନୀତି ହେଉଛି। ଯାହାର ଲାଭ ଚାଷୀ ପାଉନି। ଧାନ ସଂଗ୍ରହ ସ୍ବଚ୍ଛତା ଏବଂ କଟ୍ନିଛଟ୍ନି ବନ୍ଦ ପାଇଁ ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଇବା ପାଇଁ ଷ୍ଟାଣ୍ଡିଂ କମିଟି ନିର୍ଦେଶ ଦେଇଥିଲା। ଯାହା ଆଜି ପର୍ଯ୍ୟନ୍ତ ରାଜ୍ୟର ସବୁ ମଣ୍ଡିରେ କାର୍ଯ୍ୟକାରୀ କରାଗଲା ନାହିଁ। କେଉଁଠି ସିସିଟିଭି ଲାଗି ନାହିଁତ ଆଉ କେଉଁଠି ଅଚଳ ହୋଇ ପଡ଼ିଛି।ଦୁର୍ନୀତିଗ୍ରସ୍ତ ପେକ୍ସ ସମ୍ପାଦକଙ୍କୁ ବହିଷ୍କାର କରି ଦେଇଥିବା ସମ୍ପର୍କରେ ବିଭାଗ ତଥ୍ୟ ଦେଉଛି କିନ୍ତୁ କେତେ ଜଣଙ୍କୁ ଜେଲ ପଠାଗଲା ସେ ନେଇ ତଥ୍ୟ ସେମାନଙ୍କ ପାଖରେ ନାହିଁ।
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ୧ ଏକର ହିସାବରେ ୪୦ କ୍ବିଣ୍ଟାଲ୍ ପର୍ଯ୍ୟନ୍ତ ଧାନ ଚାଷୀ ଉତ୍ପାଦନ କରିପାରୁଛି। କିନ୍ତୁ ବିଭିନ୍ନ ଜିଲ୍ଲାର ଧାନ ସଂଗ୍ରହ କମିଟି ବୈଠକରେ ମାତ୍ର ୧୩ କ୍ବିଣ୍ଟାଲ୍ ପର୍ଯ୍ୟନ୍ତ ଧାନ ସଂଗ୍ରହ ଅର୍ଥାତ ଚାଷୀ ପାଇଁ ଅଭାବୀ ବିକ୍ରି ପାଇଁ ରାସ୍ତା ଖୋଲି ଦେଇଛନ୍ତି। ରାଜ୍ୟର କୌଣସି ମଣ୍ଡିରେ ଏଫଏକ୍ୟୁ ମେସିନ୍ ନାହିଁ କିନ୍ତୁ ଏଫଏକ୍ୟୁ ଆଳରେ ଧାନର କଟ୍ନିଛଟ୍ନି ହେଉଛି।
ଯଦି ପ୍ରକୃତରେ ଉତ୍ପାଦିତ ଧାନ ଏଫଏକ୍ୟୁ ମାନର ନୁହେଁ ଧାନ ସଂଗ୍ରହ ନିୟମ ଅନୁଯାୟୀ ଏଠାରେ କେତୋଟି ମଣ୍ଡିରେ ଏଫଏକ୍ୟୁ ମେସିନ ଲଗାଯାଉଛି ଏବଂ କେତୋଟି ମଣ୍ଡିରେ ଏଫଏକ୍ୟୁ ଧାନ ପାଇଁ ମେସିନ ବ୍ୟବସ୍ଥା ହୋଇଛି ବୋଲି କମିଟି ପ୍ରଶ୍ନ କରିଛି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଧାନ ସଂଗ୍ରହ ସ୍ବଚ୍ଛତା ପାଇଁ ସଚିବମାନଙ୍କୁ ମଣ୍ଡି ବୁଲିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ମଣ୍ଡିରେ ପାଣି, ଲାଇଟ ବ୍ୟବସ୍ଥା ହୋଇଛି। କୌଣସି ସମସ୍ୟା ନ ରହିବା ପାଇଁ କ୍ୟାମେରା ମଧ୍ୟ ରହିଛି। ଯେଉଁଠି ସମସ୍ୟା ଚିହ୍ନଟ ହୋଇଛି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସମାଧାନ କରାଯିବା ନେଇ ନିଷ୍ପତ୍ତି ହୋଇଛି।