ଅହମଦାବାଦ : ଅନ୍ୟତମ ସ୍ୱଦେଶୀ କରୋନା ଟିକା ଜାଇକୋଭ-ଡିର ଯୋଗାଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଟିକାର ୧କୋଟି ପାନ ମଗାଇଥିବାବେଳେ କମ୍ପାନୀ ଏହାର ଯୋଗାଣ ଆରମ୍ଭ କରିଛି । ଅହମଦାବାଦସ୍ଥିତ ଔଷଧ କମ୍ପାନୀ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ଏହି ଟିକା ବିନା ଛୁଞ୍ଚିରେ ଦିଆଯାଇପାରିବ । ଫଳରେ ଏହି ଟିକା ନେବା ଲାଗି କୌଣସି କଷ୍ଟ କିମ୍ବା ଯନ୍ତ୍ରଣା ସହ୍ୟ କରିବାକୁ ହେବ ନାହିଁ । ଶିଶୁଙ୍କ ନିମନ୍ତେ ଏହି ଟିକା ବେଶ ଉପଯୋଗୀ ହେବ ବୋଲି ଅନୁମାନ କରାଯାଇଛି । କାରଣ ଶିଶୁମାନେ ଟିକା ନେବାକୁ ସାଧାରଣତଃ ଭୟ କରିଥା’ନ୍ତି । ଏହି ଟିକାର ତିନିଟି ପାନ ନେବାକୁ ପଡିବ । ବିଶ୍ୱର ଏହା ପ୍ରଥମ ଛୁଞ୍ଚି ବିହୀନ ଡିଏନ୍ଏ ଆଧାରିତ ଟିକା । ବର୍ତ୍ତମାନ ସୁଦ୍ଧା ଯେଉଁମାନେ ଆଦୌ ଟିକା ନେଇ ନାହାନ୍ତି ସେମାନଙ୍କୁ ଏହି ଟିକା ଦିଆଯିବ । କେନ୍ଦ୍ର ସରକାରଙ୍କ ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ମଧ୍ୟ ଏହି ଟିକା ଯୋଗାଣ ଆରମ୍ଭ ହୋଇଛି । କମ୍ପାନୀ ଏହି ଟିକାକୁ ଖୁବ୍ଶୀଘ୍ର ଖୋଲା ବଜାରରେ ବିକ୍ରି କରିବା ଆରମ୍ଭ କରିବ ବୋଲି କହିଛି । ଏହି ଟିକାର ପ୍ରତି ପାନର ମୂଲ୍ୟ ୨୬୫ଟଙ୍କା ରଖାଯାଇଛି । ଏହି ଟିକାକୁ ଦେବା ଲାଗି ଆବଶ୍ୟକ ଜେଟ୍ ଆପ୍ଲିକେଟର (ଟିକା ଦେବା ଲାଗି ଆବଶ୍ୟକ ଉପକରଣ)କୁ ଅଲଗା କିଣିବାକୁ ପଡିବ । ପ୍ରତି ଜେଟ୍ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରହିଛି । ତେଣୁ ପ୍ରତି ଡୋଜ୍ର ମୋଟ ମୂଲ୍ୟ ୩୫୮ଟଙ୍କା ପଡିବ । ଜାଇକୋଭ-ଡି ଟିକାକୁ ଉପରୋକ୍ତ ୭ଟି ରାଜ୍ୟରେ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ । ୧୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ଏହି ଟିକା ଦେବାଲାଗି ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମୋଦନ କରିଛନ୍ତି । ଏହି ଟିକାର ପ୍ରଥମ ପାନ ଦିଆଯିବାର ୨୮ ଏବଂ ୫୬ ଦିନ ପରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପାନ ଦିଆଯିବ । ଜାଇଡସ୍ କାଡିଲା ଏହାର ଟିକାକୁ ୨୮ହଜାର ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରିଛି । କମ୍ପାନୀର କହିବା ଅନୁଯାୟୀ ଏହି ଟିକା କରୋନା ଭୂତାଣୁ ବିରୋଧରେ ୬୬.୬୦% ପ୍ରଭାବଶାଳୀ । ଏହି ଟିକାକୁ ୨ରୁ ୮ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ ।