ନୂଆଦିଲ୍ଲୀ : ଆଜିଠାରୁ ଦେଶବ୍ୟାପୀ କୋଭିଡ୍ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ସକାଳ ୧୦.୩୦ରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଟିକାକରଣର ଶୁଭାରମ୍ଭ କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପୂର୍ବରୁ ଘୋଷଣା କରିସାରିଛି । ଏଥିସହିତ ଦେଶର ୩୦୦୬ଟି ସ୍ଥାନରେ ଏକକାଳୀନ ଟିକାକରଣ ଅନୁଷ୍ଠିତ ହେଉଥିବାବେଳେ ଏହି ସ୍ଥାନଗୁଡିକୁ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ସଂଯୋଗ କରାଯିବ । ଏଥିପାଇଁ ନୂଆଦିଲ୍ଲୀର ଏମ୍ସ ସମେତ ଦେଶର ୬୦ଟି ହସ୍ପିଟାଲକୁ ଦାୟିତ୍ୱ ଦିଆଯାଇଛି । ପ୍ରଥମ ଦିନରେ ଟିକା ନେଇଥିବା କେତେକ ସ୍ୱାସ୍ଥ୍ୟକର୍ମୀଙ୍କ ସହ ମୋଦୀ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦଫାରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ୍ ଯୋଦ୍ଧା ଏହି ଟିକା ନେବେ ବୋଲି ଧାର୍ଯ୍ୟ କରାଯାଇଛି । ଏହି ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଡାକ୍ତର, ନର୍ସ, ପାଥୋଲୋଜିଷ୍ଟ, ଲାବୋରେଟୋରୀ କର୍ମକର୍ତ୍ତା, ଆଇସିଡିଏସ୍ କର୍ମୀ ପ୍ରମୁଖ ଅନ୍ତର୍ଭୁକ୍ତ । ଅପରପକ୍ଷରେ କୋଭିଡ୍ ଯୋଦ୍ଧାଙ୍କ ଗ୍ରୁପ୍ରେ ରାଜ୍ୟ ଓ କେନ୍ଦ୍ର ପୁଲିସ ସମେତ ସେନା ଯବାନ, ହୋମଗାର୍ଡ, ଜେଲ କର୍ମଚାରୀ, ବିପର୍ଯ୍ୟୟ ପ୍ରଶମନ କର୍ମୀ, ମ୍ୟୁନିସିପାଲ କର୍ମଚାରୀ ଓ କୋଭିଡ୍ ପରିଚାଳନାରେ ସଂପୃକ୍ତ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ସାମିଲ କରାଯାଇଛି । ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଦେଶର ବୃହତ ଓ ନାମୀ ହସ୍ପିଟାଲରେ ଟିକାକରଣ କାର୍ଯ୍ୟ ସମ୍ପାଦିତ ହେବ । ପ୍ରଥମେ ଏହି ବର୍ଗର ୩ କୋଟି ଲୋକଙ୍କୁ ଟିକା ଦିଆଯିବାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ୨୭ କୋଟି ଲୋକ ଟିକାଦାନରେ ସାମିଲ ହେବେ ବୋଲି ଜଣାପଡିଛି ।
ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସେରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ୍ ଓ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭାକ୍ସିନ୍କୁ ମନୋନୀତ କରାଯାଇଛି । ସରକାର ଇତିମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କୋଭିସିଲ୍ଡ୍ ଓ କୋଭାକ୍ସିନ୍ର ମୋଟ ୧.୬୫ କୋଟି ଡୋଜ୍ କିଣିସାରିଛନ୍ତି । ଏଥିମଧ୍ୟରୁ ୧.୧୦ କୋଟି କୋଭିସିଲ୍ଡ୍ ଡୋଜ୍ ଥିବାବେଳେ କୋଭାକ୍ସିନ୍ର ୫୫ ଲକ୍ଷ ଡୋଜ୍ ରହିଛି । ଟିକାକରଣ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସର୍ବାଧିକ ୧୦ ଦିନ ସମୟ ନେଇପାରିବେ ବୋଲି କୁହାଯାଇଛି । ନିର୍ଦ୍ଧାରିତ ଡୋଜ୍ଠାରୁ ଅଧିକ ଟିକାକରଣକୁ ପ୍ରଶ୍ରୟ ନଦେବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କୋ-ୱିନ୍ ଆପ୍ର କିଭଳି ଉପଯୋଗ କରାଯାଉଛି, ତାହାକୁ ଅନୁଧ୍ୟାନ ମଧ୍ୟ କରାଯିବ । ଟିକାକରଣ ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ପାଇବାକୁ ଚବିଶ ଘଣ୍ଟିଆ ହେଲପ୍ ଲାଇନ ନମ୍ବର ୧୦୭୫ ଖୋଲାଯାଇଛି । ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି ।