ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । କାଶିପୁର ଯାଉଥିବା ବେଳେ ତାଙ୍କ ଗାଡି ରାସ୍ତାର ଡିଭାଇଡରରେ ପିଟି ହୋଇଛି । ଦୁର୍ଘଟଣାରେ ହରିଶଙ୍କ ଛାତିରେ ଆଘାତ ଲାଗିଛି । ଦୁର୍ଘଟଣା ପରେ ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣାର ଖବର ପାଇବା କ୍ଷଣି ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହରିଶଙ୍କୁ ହସ୍ପିଟାଲ ପଠାଇବା ସହ ଘଟଣାର ଯାଞ୍ଚ କରୁଛି । ପ୍ରଥମେ ହରିଶଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା ।
ମିଳିଥିବା ସୂଚନା ମୁତାବକ, ହରିଶ ନିଜର ପିଏସଓ ଓ ଅନ୍ୟ ସହଯୋଗୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କାଶିପୁର ଯାଉଥିଲେ । କିନ୍ତୁ ଗାଡିଟି ଡିଭାଇଡରରେ ପିଟି ହୋଇଯିବା କାରଣରୁ ହରିଶଙ୍କ ଛାତି ସହ ମୁଣ୍ଡ ଓ ହାତରେ ମଧ୍ୟ ଆଘାତ ଲାଗିଛି । ତେବେ ହରିଶଙ୍କ ଡ୍ରାଇଭର ଓ ପିଏସଓ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଉଭୟ ଗାଡିରେ ଥିଲେ ମଧ୍ୟ ସେମାନଙ୍କୁ ସେତେଟା ଆଘାତ ଲାଗିିନି । ଏହି ଦୁର୍ଘଟଣା ରାତି ପାଖାପାଖି ୧ଟା ସମୟରେ ହୋଇଛି ।