ଡେରାଡୁନ: ଉତ୍ତରକାଶୀ ହିମସ୍ଖଳନ ଅଘଟଣରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତଦେହ ମିଳିଛି । ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ମଙ୍ଗଳବାର ସକାଳେ ଉତ୍ତରକାଶୀ ଦ୍ରୌପଦୀର ଦଣ୍ଡା-୨ ପର୍ବତରେ ଏହି ବଡ ଧରଣର ହିମସ୍ଖଳନ ହୋଇଥିଲା । ବରଫ ଅତଡା ଭିତରେ ଏକ ପର୍ବତାରୋହୀ ଟିମ୍ ଫସି ରହିଥିଲେ । ପୂର୍ବରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି ପର୍ବତାରୋହୀଙ୍କୁ ଖୋଜାଖୋଜି କରାଯାଉଛି । ତେବେ ଶୁକ୍ରବାର ସୁଦ୍ଧା ମୋଟ ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୀର୍ଘ ୭୦ ଘଣ୍ଟା ଧରି ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ମୃତଦେହ ଗୁଡିକ ମଧ୍ୟରୁ ତିନି ଜଣ ଟ୍ରେନର ଓ ଅନ୍ୟମାନେ ଟ୍ରେନି ଅଟନ୍ତି । ମୃତକଙ୍କ ଭିତରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲ ମଧ୍ୟ ଅଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ୯ଟା ସମୟରେ ଦଣ୍ଡା ୨ ଶିଖରରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ଏହି ସମୟରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୪୪ ଜଣିଆ ଏକ ପର୍ବତାରୋହୀ ଟିମ୍ ସେଠାକୁ ଯାଇଥିଲେ । ଟିମ୍ରେ ୩୩ ଜଣ ଟ୍ରେନି ଏବଂ ୭ ଜଣ ଟ୍ରେନରଙ୍କ ସମେତ ୪୦ ଜଣ ସାମିଲ ଥିଲେ । ବରଫ ଅତଡା ଖସିବା ପରେ ସମସ୍ତେ ସେଠାରେ ଫସି ଯାଇଥିଲେ ।