ଭୁବନେଶ୍ୱର: ଡାହାଣୀ ଶିକାର ବିରୋଧରେ ଓଏଚଆରସିଙ୍କ ଐତିହାସିକ ହସ୍ତକ୍ଷେପ। ‘ଡାହଣୀ’ ଶବ୍ଦ ବ୍ୟବହାରକୁ ଅପରାଧ ଘୋଷଣା କଲେ ଓଏଚଆରସି। ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ମସିହାର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟରେ ଡାହାଣୀ ଶିକାର ବିରୋଧରେ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ମାର୍ଚ୍ଚରେ ଯଶୋଦା ସିଂହ ନାମକ ମହିଳାଙ୍କୁ ନୃଶଂସ ହତ୍ୟା ଘଟଣାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋଙ୍କ ଦ୍ୱାରା ଦାଖଲ ପିଟିସନ୍ର ଶୁଣାଣି କରି ଆୟୋଗ ରାୟ ଶୁଣାଇଛନ୍ତି ।
କାନୁନଗୋଙ୍କ ପିଟିସନ୍କୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପାଳନ ପାଇଁ ୨୦୧୪ରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ। ଡାହାଣୀ ଶିକାର ଭଳି କୁସଂସ୍କାର ପ୍ରଥା ଉପରେ ରୋକ୍ ଲଗାଇବା ଲାଗି ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଥିବା ଆୟୋଗ ଅନୁଭବ କରିଥିଲେ। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମ ଛାଡ଼, ସାମାଜିକ ବହିଷ୍କାର ଓ ଅମାନବିକ ଆଚରଣ ବିରୋଧରେ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନଥିବା ଅନୁଧ୍ୟାନରୁ ଆୟୋଗ ଅବଗତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଓଏଚଆରସି ରାଜ୍ୟ ସରକାରଙ୍କୁ ‘ଡାହାଣୀ’ ଶବ୍ଦ ବ୍ୟବହାରକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ (ରେଷ୍ଟୋରେଟିଭ୍ ଜଷ୍ଟିସ୍) ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦେଶ ଦେଇଛନ୍ତି।










