29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶୟୁକ୍ରେନ୍ ପ୍ରସଙ୍ଗରେ ଆମେରିକାର ଆଶଙ୍କା, ବାହାନା ଦେଖାଇ ରୁଷ୍ ଆକ୍ରମଣ କରିପାରେ: ବାଇଡେନ୍‌

ୟୁକ୍ରେନ୍ ପ୍ରସଙ୍ଗରେ ଆମେରିକାର ଆଶଙ୍କା, ବାହାନା ଦେଖାଇ ରୁଷ୍ ଆକ୍ରମଣ କରିପାରେ: ବାଇଡେନ୍‌

ୱାଶିଂଟନ:  ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବ ବୋଲି ବିଗତ କିଛିଦିନ ହେଲା ଆନ୍ତର୍ଜାତିକ ସର୍କିଟରେ ଜୋରସୋର ଚର୍ଚ୍ଚା ଚାଲିଛି। ୟୁକ୍ରେନ୍ ସୀମାରେ ରୁଷ୍ ଲକ୍ଷାଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ କରିଥିବାବେଳେ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଇବାରେ କାର୍ପଣ୍ୟତା କରୁନାହାନ୍ତି । ଏହା ସେଠାରେ ନିଶ୍ଚିତଭାବେ ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ରୁଷ୍ ପ୍ରତିପକ୍ଷଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକାଧିକ ଟେଲିଫୋନ୍ ବାର୍ତ୍ତାଳାପ ଫଳପ୍ରଦ ହୋଇନାହିଁ । ଯୁଦ୍ଧ ଆଶଙ୍କା ଏଡାଇବାକୁ ରୁଷର କେତେକ ସର୍ତ୍ତମୂଳକ ପ୍ରତିଶ୍ରୁତି ଉପରେ ଆମେରିକା ବିଶ୍ୱାସ କରିପାରୁନାହିଁ ।

ରୁଷ୍ କୌଣସି ବାହାନା ଦେଖାଇ ଯେକୌଣସି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ବୋଲି ବାଇଡେନ୍ ରବିବାର ଆଶଙ୍କାବ୍ୟକ୍ତ କରିଛନ୍ତି । ଯଦି ରୁଷ୍ ଏଭଳି କୌଣସି ଆଳ ଦେଖାଇ ୟୁକ୍ରେନ୍ ଉପରେ ଅଚାନକ୍ ଆକ୍ରମଣ କରେ, ତାହାହେଲେ ନାଟୋ (ନର୍ଥ ଆଟ୍‌ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ) ଅଞ୍ଚଳର ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ବାଇଡେନ୍ ପରୋକ୍ଷରେ ରୁଷ୍‌କୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ୟୁକ୍ରେନ୍ ବର୍ତ୍ତମାନ ସୁଦ୍ଧା ନାଟୋ ସଦସ୍ୟତା ଗ୍ରହଣ କରିନଥିବାବେଳେ ଆମେରିକା ପକ୍ଷରୁ ୟୁକ୍ରେନ୍‌କୁ ଜବରଦସ୍ତ ନାଟୋ ପରିଧି ମଧ୍ୟକୁ ଟଣାଯାଉଛି ।

ବାଇଡେନ୍‌ଙ୍କ ଏଭଳି ଆଶଙ୍କାକୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍ ସୁଲିଭାନ୍ ମଧ୍ୟ ସମର୍ଥନ କରିଛନ୍ତି । ରୁଷ୍ ଅତର୍କିତଭାବେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏକ ରିପୋର୍ଟ ଦେଇଥିବା ସେ କହିଛନ୍ତି । ଅପରପକ୍ଷରେ ରୁଷ୍ କିନ୍ତୁ ଆମେରିକାର ଏଭଳି ଆଶଙ୍କାକୁ ଅମୂଳକ ଦର୍ଶାଇଛି । ବିଶ୍ୱର ଏହି ପ୍ରାନ୍ତରେ ନିଜର ପତିଆରା ଜାହିର କରିବାକୁ ଆମେରିକା ଏକ ଚକ୍ରାନ୍ତ ଚଳାଇଛି ବୋଲି ରୁଷ୍ ପାଲଟା ଅଭିଯୋଗ କରିଛି । ଇତିମଧ୍ୟରେ ନାଟୋ ଅନ୍ତର୍ଭୁକ୍ତ କେତେକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏବଂ କୂଟନୀତିଜ୍ଞ ଯୁଦ୍ଧରୁ ଓହରିଯିବାକୁ ରୁଷକୁ ପ୍ରବର୍ତ୍ତାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking