ନୂଆଦିଲ୍ଲୀ: ଦିନକ ପୂର୍ବେ ଲୋକସଭାରେ ଦେଶର ଅର୍ଥବ୍ୟବସ୍ଥା ଉପରେ ୫୯ ପୃଷ୍ଠାର ଏକ ଶ୍ୱେତପତ୍ର ଉପସ୍ଥାପନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ କଂଗ୍ରେସ ସରକାରଙ୍କ ୧୦ ବର୍ଷର ଶାସନ କାଳରେ ଦେଶର ଅର୍ଥନୈତିକ ସ୍ଥିତି ଏବଂ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ଗତ ୧୦ବର୍ଷର ଶାସନ କାଳରେ ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା । ତେବେ ଶୁକ୍ରବାର ଏହା ଉପରେ ଆଲୋଚନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଗତ ୧୦ବର୍ଷର କାର୍ଯ୍ୟକାଳ (୨୦୦୪-୨୦୦୯-୨୦୧୪) ସମ୍ପର୍କରେ ଭାଷଣ ଦେଇଛନ୍ତି ।
ସୀତାରମଣ ନିଜ ଭାଷଣରେ କହିଛନ୍ତି, କଂଗ୍ରେସର ଏହି ୧୦ ବର୍ଷର ଶାସନ କାଳ ମଧ୍ୟରେ ଦେଶରେ ରାଜ୍ୟଗୋଷ୍ଠୀ କ୍ରୀଡା ଦୁର୍ନୀତି, କୋଇଲା ଦୁର୍ନୀତି, ଟୁ-ଜି ସ୍ପେକ୍ଟ୍ରମ୍ ଦୁର୍ନୀତି, ବ୍ୟାଙ୍କିଂ ଦୁର୍ନୀତି ଭଳି ଅନେକ ଦୁର୍ନୀତି ହୋଇଥିଲା । କିନ୍ତୁ ୧୫ଟି ଦୁର୍ନୀତି ଏପରି ମଧ୍ୟ ରହିଛି, ଯାହା ସମ୍ପର୍କରେ ଜଣାପଡିବା ପରେ ଭାରତ ବିଶ୍ୱ ଦରବାରରେ ବଦନାମ୍ ହୋଇଥିଲା । ୟୁପିଏ ସରକାରଙ୍କ କୌଣସି ନୀତି କେବେ ହେଲେ ନେସନ୍ ଫାର୍ଷ୍ଟ ଅନ୍ତର୍ଗତ ନଥିଲା । କଂଗ୍ରେସ କେବଳ ପରିବାରବାଦକୁ ପ୍ରାଥମିକତା ଦେବାର ନୀତିକୁ କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ରହିଥିଲା । ଯାହାଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ସମୟ ଅନୁଯାୟୀ ଅଭିବୃଦ୍ଧି ହେବା ବଦଳରେ ଅଧିକ ଖରାପ ହୋଇଯାଇଥିଲା ।
ସୀତାରମଣଙ୍କ ଅନୁସାରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କେନ୍ଦ୍ରରେ ୧୦ ବର୍ଷର ନିଜ ଶାସନ କାଳରେ ଦେଶର ସବୁ ନୀତିଗତ ବ୍ୟବସ୍ଥାର ସତ୍ୟାନାଶ କରିଦେଇଥିଲା । ଏହା କେବଳ ଅଭିଯୋଗ ନୁହେଁ ବରଂ ଏସବୁର ପ୍ରମାଣ ମଧ୍ୟ ଉପଲବ୍ଧ ରହିଛି । କିନ୍ତୁ ୨୦୧୪ରେ କେନ୍ଦ୍ରରେ ଏନ୍ଡିଏ ସରକାର ଆସିବା ପରେ ଏସବୁ ତ୍ରୁଟିକୁ ସୁଧାରିବା କାର୍ଯ୍ୟ ଆରମ୍ଭ କରିଥିଲା । ୧୦ ବର୍ଷର କଠିନ ପରିଶ୍ରମ ଏବଂ କଠୋର ନିଷ୍ପତ୍ତି ନିଆଯିବା ଫଳରେ ବର୍ତ୍ତମାନ ସୁଦ୍ଧା ଦେଶର ଅର୍ଥବ୍ୟବସ୍ଥା ବେଶ୍ ସୁଦୃଢ଼ ହୋଇପାରିଛି । ଯାହାର ପରିଣାମସ୍ୱରୂପ ଭାରତ ୨୦୨୭ ସୁଦ୍ଧା ବିଶ୍ୱର ଅନ୍ୟତମ ବୃହତ୍ ଅର୍ଥନୀତି ହେବା ନେଇ ଏକ ଆଶା ସଞ୍ଚାର ହୋଇଛି । କଂଗ୍ରେ ସରକାର ସମୟରେ ଦେଶରେ ବିତ୍ତିୀୟ ନିଅଣ୍ଟ ଅଧିକ ରହିଥିବା ବେଳେ ବିଦେଶୀ ମୁଦ୍ରାଭଣ୍ଡାର ପରିମାଣ ହ୍ରାସ ପାଇଥିଲା । କିନ୍ତୁ ବିଜେପି ସରକାର ଏସବୁ ସ୍ଥିତିକୁ ନିଜ ନୀତିଗତ ଢ଼ାଞ୍ଚା ମାଧ୍ୟମରେ ସୁଧାର କରିଥିଲା ।
ସୀତାରମଣ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ଏବେ ଦେଶବାସୀଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିରୋଧୀ ଦଳ ଉପରେ ଦେଶବାସୀ ବିଶ୍ୱାସ କରୁନାହାନ୍ତି । ଭାଷଣ ଶେଷରେ ସୀତାରମଣ ଦୃଢ଼ତାର ସହ କହିଥିଲେ ଯେ, ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିର୍ମାଣ କରିବା ଦିଗରେ ମଧ୍ୟ ଏନ୍ଡିଏ ସରକାର ହିଁ ଥିବ । ସୀତାରମଣ ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଦୁର୍ନୀତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । କେଉଁ ଦୁର୍ନୀତି ଯୋଗୁ କେତେ ରାଜସ୍ୱ ହାନୀ ହୋଇଥିଲା ସେସମ୍ପର୍କରେ ସବିଶେଷ ତଥ୍ୟ ଗୃହରେ ଅର୍ଥମନ୍ତ୍ରୀ ରଖିଥିଲେ ।