ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ଜନାଦେଶ କିପରି ରହିବ ସେନେଇ ଇଣ୍ଡିଆ ଟୁଡେ ଏବଂ ସି’ ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଯଦି ଆଜି ଦିନରେ ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ପାଇଁ ଭୋଟିଂ କରାଯାଏ ତେବେ ବିଜେପିକୁ ରାଜ୍ୟର ମୋଟ୍ ୮୦ ଲୋକସଭା ଆସନ ମଧ୍ୟରୁ ୭୦ ଆସନ ମିଳିବା ନିଶ୍ଚିତ ବୋଲି ଏଥିରେ ଦର୍ଶାଯାଇଛି । ସେହିପରି ଅନ୍ୟ ସହଯୋଗୀ ଦଳଙ୍କ ସହାୟତାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଏଠାରେ ୭୨ରୁ ୭୪ ଆସନ ହାତେଇବାରେ ସଫଳ ହେବ ବୋଲି ମଧ୍ୟ ଦର୍ଶାଯାଇଛି । ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ବିଜେପି, ଉତ୍ତରପ୍ରଦେଶରେ ୫୦% ଭୋଟ୍ ସହ ମୋଟ୍ ୬୨ ଲୋକସଭା ଆସନ ଜିତିବାରେ ସଫଳ ହୋଇଥିଲା । ୨୦୨୪ ନିର୍ବାଚନରେ ମଧ୍ୟ ବିଜେପି ଖାତାକୁ ୫୦% ଭୋଟ୍ ଯିବ କିନ୍ତୁ ଆସନ ସଂଖ୍ୟା ବଢ଼ିବ ବୋଲି ସର୍ଭେ ରିପୋର୍ଟ ଦର୍ଶାଇଛି ।
ସେହିପରି କଂଗ୍ରେସକୁ ଉତ୍ତରପ୍ରଦେଶରେ ଏଥର ମଧ୍ୟ ୨୦୧୯ ଭଳି ମାତ୍ର ଗୋଟିଏ ହିଁ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏତଦ୍ବ୍ୟତୀତ ଅପ୍ନା ଦଳ ମଧ୍ୟ ପୂର୍ବବତ୍ ୨ଟି ଆସନ ବଜାୟ ରଖିପାରେ । ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି (ଏସ୍ପି) ୨୦୧୯ରେ ୧୫ ଲୋକସଭା ଆସନ ପାଇଥିବା ବେଳେ ୨୦୨୪ରେ କିନ୍ତୁ ଏହାକୁ ୭କୁ ଖସିଆସିବ ବୋଲି ଅନୁମାନ କରାଯାଉଛି । ପ୍ରକାଶ, ଇଣ୍ଡିଆ ଟୁଡେ ଏବଂ ସି’ ଭୋଟର ପକ୍ଷରୁ ରାଜ୍ୟର ମୋଟ୍ ୩୫ହଜାର ୮୦୧ଜଣଙ୍କ ଠାରୁ ମତାମତ ଗ୍ରହଣ କରାଯାଇଛି । ୧୫ ଡିସେମ୍ବର ୨୦୨୩ରୁ ୨୮ ଜାନୁଆରୀ ୨୦୨୪ ମଧ୍ୟରେ ଏହି ସର୍ଭେ କରାଯାଇଥିବା ବେଳେ ଗୁରୁବାର ଏହାର ରିପୋର୍ଟକୁ ସାର୍ବଜନୀନ କରାଯାଇଛି । ସାଧାରଣତଃ ନିର୍ବାଚନ ପୂର୍ବରୁ ଏପ୍ରକାର ଜନମତ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଥାଏ, ଯାହାକି ପରବର୍ତ୍ତୀ ସମୟରେ ଅନେକାଂଶ ପର୍ଯ୍ୟନ୍ତ ସଠିକ୍ ସାବ୍ୟସ୍ତ ହୋଇଥାଏ । ତେଣୁ ଏହି ସର୍ଭେ ରିପୋର୍ଟ ଏବେ ବିଜେପିର ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ରାଜନୀତି ବିଶେଷଜ୍ଞ ମତପୋଷଣ କରିଛନ୍ତି ।