ଭୁବନେଶ୍ୱର: ୟୁପିର ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମଦଙ୍କ ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ ଫେରାର ହେବା ପରେ ୟୁପି ଏସ୍ଟିଏଫ୍କୁ ଡରି ସେ ଦେଶର ବିଭିନ୍ନ ରାଜ୍ୟରେ ଆତ୍ମଗୋପନ କରୁଛି । କିଛି ଦିନ ପାଇଁ ଓଡ଼ିଶା ମଧ୍ୟ ତା’ର ଆଶ୍ରୟସ୍ଥଳ ଥିଲା ବୋଲି ସୂଚନା ମିଳିଛି। ୟୁପି ଏସ୍ଟିଏଫ୍ ସୂତ୍ରରୁ ଜଣାପଡିଛି ସେ ମିରଟ୍, ଆଜମେର, ଝାନ୍ସୀ, ନାସିକ୍, ପୁଣେ ପରେ ସେ ଓଡ଼ିଶାର ବରଗଡ଼ରେ ପହଞ୍ଚି ଥିଲା । ସେ ବରଗଡ଼ ଜିଲାରେ ୧୨ ଦିନ ଧରି ଅଣ୍ଡଗ୍ରାଉଣ୍ଡ ହୋଇଥିଲା । ବରଗଡ଼ରେ ଏପ୍ରିଲ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ରହିଥିଲା ବୋଲି ଚର୍ଚ୍ଚା ହେଉଛି । ବରଗଡ଼ର ଜଣେ ବ୍ୟବସାୟୀ ତାଙ୍କୁ ଏଠାରେ ଆଶ୍ରୟ ଦେଇଥିବା କୁହାଯାଉଛି ।
ଗୁଡ୍ଡୁ ଏଠାରେ ରହୁଥିଲା ବେଳେ ବେଶ ବଦଳାଇ ଦେଇଥିଲା । ସବୁବେଳେ କ୍ଲିନ୍ସେଭ ହେଉଥିବା ଗୁଡୁ ଏବେ ପୁଲିସ୍କୁ ଚକମା ଦେବା ପାଇଁ ଦାଢ଼ି ବଢ଼ାଇଛି । ଜନଗହଳିପୂର୍ଣ୍ଣ ସ୍ଥାନକୁ ଆଦୌ ଆସୁ ନାହିଁ । ଓଡ଼ିଶା ପରେ ଛତିଶଡ଼ଗ ତା’ର ନୂଆ ଠିକଣା ପାଲଟିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଗୁଡ୍ଡୁ ଓଡ଼ିଶାରେ ଲୁଚିଥିବା ନେଇ ୟୁପି ଏସଟିଏଫକୁ ଖବର ମିଳିଥିଲା । ତାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । କିନ୍ତୁ ପୁଲିସ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଫେରାର ହୋଇ ଯାଇଥିଲା ।
ଏଠାରୁ ଯିବା ବେଳେ ଗୋଟିଏ ବ୍ୟାଗ ଛାଡ଼ି ଯାଇଥିଲା । ପୁଲିସ ସେହି ବ୍ୟାଗକୁ ଜବତ କରିଛି । ସେଥିରୁ ଗୁଡୁ ମୁସଲିମର କିଛି ପୋଷାକ ମିଳିଛି । ୟୁପି ଏସଟିଏଫର ଏକ ଟିମ୍ ଗୁଡ୍ଡୁର ପିଛା କରି ଓଡ଼ିଶାର ବରଗଡ଼ରେ ପହଞ୍ଚିଥିଲା । ଟିମ୍ ୨ ଦିନ ଧରି ବିଭିନ୍ନ ସ୍ଥାନରେ ଛାନ୍ବିନ୍ କରିଥିଲା । ଏହି ସମୟରେ ଗୁଡୁ ମୁସଲିମର ସହଯୋଗୀ କୁହାଯାଉଥିବା ରାଜା ଖାନଙ୍କୁ ପଚରାଉଚରା କରାଯାଇ ଥିଲା । ପଚରାଉଚରା ସମୟରେ ସେ ପୁଲିସକୁ କହିଛନ୍ତି ଯେ ଗୁଡୁ ମୁସଲିମ ଏବେ ଦାଢ଼ି ବଢ଼ାଇଛି । ପୁଲିସକୁ ଚକମା ଦେବା ପାଇଁ ସେ ଦାଢ଼ି ବଢ଼ାଇବା ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୁଲିବାରେ ଲାଗିଛି ।