29.1 C
Bhubaneswar
Wednesday, November 6, 2024
Homeଓଡିଶାପ୍ରକଳ୍ପ କାର୍ଯ୍ୟ ସମାପ୍ତିରେ ଅହେତୁକ ବିଳମ୍ବ : ଆଦାୟ ହେଲାନି ୧୬୭.୭୯ କୋଟିର ଜୋରିମାନା

ପ୍ରକଳ୍ପ କାର୍ଯ୍ୟ ସମାପ୍ତିରେ ଅହେତୁକ ବିଳମ୍ବ : ଆଦାୟ ହେଲାନି ୧୬୭.୭୯ କୋଟିର ଜୋରିମାନା

ଭୁବନେଶ୍ୱର : ଧାର୍ଯ୍ୟ ସମୟରେ କାର୍ଯ୍ୟ ନ ସରିଲେ ଜୋରିମାନା ଆଦାୟର ନିୟମ ରହିଛି । ନିୟମାନୁସାରେ ସମ୍ପୃକ୍ତ ଠିକାଦାର ସଂସ୍ଥା ଠାରୁ ଦିନକୁ ୦.୫ ପ୍ରତିଶତ କିମ୍ବା ପ୍ରକଳ୍ପ ମୂଲ୍ୟରେ ୧୦ ପ୍ରତିଶତ ଜୋରିମାନା ଆଦାୟ ହେବା କଥା । ହେଲେ ତାହା ହୋଇନାହିଁ । ଜଳସମ୍ପଦ ବିଭାଗ ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ଠିକାଦାର ସଂସ୍ଥା ସହ କରିଥିବା ଚୁକ୍ତିନାମାରେ ତାହା ସ୍ପଷ୍ଟ କଲାନାହିଁ । ଫଳରେ ମୋଟ୍ ୧୬୭.୭୯ କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଆସିପାରିଲା ନାହିଁ । ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ଜଳ ଯୋଗାଣ ପାଇଁ ତିନୋଟି ପ୍ରକଳ୍ପ ମଞ୍ଜୁର କରିଥିଲେ । ସେହି ତିନି ପ୍ରକଳ୍ପ ହେଉଛି ହଳଦିଆ ମାଟି ନିର୍ମିତ ଡ୍ୟାମ୍‌ର ଜଳ ନିର୍ଗମପଥ ନିର୍ମାଣ, ବୈଶିଙ୍ଗା ଫିଡର୍ ତଥା ସଂଯୋଗକାରୀ କେନାଲ ଓ ଏସ୍‌ଏମ୍‌ସିର ପୁନରୁଦ୍ଧାର । ପ୍ରକଳ୍ପର ଅଟକଳ ମୂଲ୍ୟ ଥିଲା ୨୭୩.୪୩ କୋଟି ଟଙ୍କା । ଜଳ ସମ୍ପଦ ବିଭାଗ ପକ୍ଷରୁ ଏନେଇ ଓଡ଼ିଶା ନିର୍ମାଣ ନିଗମ(ଓସିସି) ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଥିଲା । ଏମ୍‌ଓୟୁ ଅନୁସାରେ ୨୦୧୬ ଜୁନ ମାସରୁ ଡିସେମ୍ବର ମାସ ମଧ୍ୟରେ ସଂପୃକ୍ତ ସଂସ୍ଥାକୁ ମୋଟ୍ ୩୧୫.୧୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ତ୍ରୟର ସମାପ୍ତି ସମୟ ୨୦୧୮ ଅଗଷ୍ଟରୁ ଡିସେମ୍ବର ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ତାହାକୁ ନମାନି ଦୁଇ ବର୍ଷ ପରେ ବି ଓସିସି କାର୍ଯ୍ୟ ଶେଷ କରିନଥିଲା । ଅର୍ଥାତ ସେପ୍ଟେମ୍ବର ୨୦୨୦ ସୁଦ୍ଧା ୯୬% କାର୍ଯ୍ୟ ଶେଷ ହୋଇଥିଲା । ଏଥିପାଇଁ ରାଜ୍ୟ ସରକାର କ୍ଷତି ସହିଥିଲେ ହେଁ ଜୋରିମାନା ଆଦାୟ କରିପାରିଲେ ନାହିଁ । ଏହାର ମୂଳ କାରଣ ହେଉଛି ବୁଝାମଣା ପତ୍ରରେ କାର୍ଯ୍ୟ ସମାପ୍ତିର ବିଳମ୍ବ ପାଇଁ ଦଣ୍ଡର ବ୍ୟବସ୍ଥା ନ ଥିବା କାରଣରୁ ଅଟକଳ ମୂଲ୍ୟର ୧୦% ଜୋରିମାନା ଆଦାୟ ହୋଇପାରିଲା ନାହିଁ । ଅର୍ଥାତ ୨୭.୩୪ କୋଟି ଟଙ୍କାର ଜୋରିମାନା ଅନାଦେୟ ହୋଇ ରହିଲା । ଅନ୍ୟପକ୍ଷରେ କେନାଲ କାର୍ଯ୍ୟ ନିର୍ମାଣ, ସ୍ପିଲ୍ ମାର୍ଗର ନିର୍ମାଣ, ମରାମତି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଚାରି ଠିକାଦାରଙ୍କ ସହ ବୁଝାମଣା କରିଥିଲେ । ପ୍ରକଳ୍ପର ଟେଣ୍ଡର ମୂଲ୍ୟ ଥିଲା ୧,୪୦୪.୪୪ କୋଟି ଟଙ୍କା । ଏହି କାର୍ଯ୍ୟ ଅଗଷ୍ଟ ୨୦୧୩ରୁ ୨୦୧୮ମଧ୍ୟରେ ପ୍ରଦାନ କରାଯାଇଥିଲା । ଚୁକ୍ତି ଅନୁସାରେ ଫ୍ରେବ୍ରୁଆରୀ ୨୦୧୬ ରୁ ଫେବ୍ରୁଆରୀ ୨୦୧୯ ମଧ୍ୟରେ ଶେଷ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଠିକାଦାରମାନେ ତାହା ନମାନି ବିଭିନ୍ନ ଆଳ କରି କାର୍ଯ୍ୟ ବିଳମ୍ବ କରିଥିଲେ । ୨୦୨୦ ଶେଷ ସୁଦ୍ଧା ବି କାର୍ଯ୍ୟ ଶେଷ ହୋଇ ନଥିଲା । ଏଥିପାଇଁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଠିକାଦାରମାନେ ତାହା ଶୁଣି ନଥିଲେ । ଚୁକ୍ତିରେ ଜୋରିମାନା ଦର୍ଶାଯାଇ ନଥିବାରୁ ସେମାନେ ବି କାର୍ଯ୍ୟ ବିଳମ୍ବ ପାଇଁ ଦେଇନଥିଲେ । ଫଳରେ ମୋଟ୍ ୧୪୦.୪୪ କୋଟି ଟଙ୍କା ଅନାଦେୟ ରହିଲା ।
ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ(ସିଏଜି) ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ନିଜ ଭୁଲ୍ ପାଇଁ ମୋଟ୍ ୧୬୭.୭୯ କୋଟି ଟଙ୍କାର ଜୋରିମାନା ଅର୍ଥ ହରାଇଲେ । ନିୟମ ଥିବା ସତ୍ତ୍ୱେ ଚୁକ୍ତିବେଳେ ଜୋରିମାନା ଆଦାୟ ସର୍ତ୍ତ ରଖିନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଲା । ମାତ୍ର କାର୍ଯ୍ୟ ବିଳମ୍ବ ନେଇ ସରକାରଙ୍କ ମତ ଲୋଡ଼ିବା ବେଳେ ଜଳସମ୍ପଦ ବିଭାଗ ଅଜବ ଯୁକ୍ତି କରିଥିଲା । ଗତ ଜୁଲାଇ ୨୦୨୧ରେ ସରକାର ମତ ରଖି କହିଥିଲେ, ସ୍ପିଲ୍ ଚ୍ୟାନେଲ୍ ମାଧ୍ୟମରେ ଜଳଭଣ୍ଡାରର ବଳକା ପାଣି ଛାଡ଼ିବା, ସାଧାରଣ ନିର୍ବାଚନ ଓ ଜଙ୍ଗଲ ବିଭାଗ ଅନୁମତି ଇତ୍ୟାଦି ଯୋଗୁଁ କେନାଲ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ତେବେ ସିଏଜି ଏହାକୁ ଗ୍ରହଣ କରି ନଥିବା ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ।(ଜିତେନ୍ଦ୍ର)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking