19.1 C
Bhubaneswar
Friday, November 22, 2024
Homeଓଡିଶାତତଲା ତାୱାରେ ଓଡ଼ିଶା : ଅଘୋଷିତ ବିଦ୍ୟୁତ୍ କାଟ୍‌, ଲୋକେ ଡହଳବିକଳ

ତତଲା ତାୱାରେ ଓଡ଼ିଶା : ଅଘୋଷିତ ବିଦ୍ୟୁତ୍ କାଟ୍‌, ଲୋକେ ଡହଳବିକଳ

ଭୁବନେଶ୍ୱର: ତତଲା ତାୱାରେ ଓଡ଼ିଶା । ପଶ୍ଚିମାଞ୍ଚଳରୁ ‘ଲୁ’ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଝାଞ୍ଜିପବନ ଜାରି ରହିଛି । ଅସହ୍ୟ ତାତିରେ ଲୋକେ ଆଉଟ୍‌ପାଉଟ୍ ହେଉଥିଲାବେଳେ ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ସମସ୍ୟା ଦ୍ୱିଗୁଣିତ ହୋଇଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସ୍ଥିତି ବହୁତ ଖରାପ୍ । ଦିନ କଥା ଛାଡ଼, ରାତିରେ ବି ପ୍ରାୟ ଦୁଇରୁ ତିନି ଘଣ୍ଟା ଲାଇନ୍ କଟୁଛି । ଫଳରେ ଅଧିକାଂଶ ଇଲାକାରେ ସାରାରାତି ଅନିଦ୍ରା ରହିବାକୁ ଲୋକେ ବାଧ୍ୟହେଉଛନ୍ତି । ବିଦ୍ୟୁତ୍ ଉତ୍ପାଦନ ନକରି ଦିଲ୍ଲୀ ଭଳି ରାଜ୍ୟ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ୟୁନିଟ୍‌ରେ ସବ୍‌ସିଡି ଦେଉଛି ।

ପଞ୍ଜାବ ସରକାର ବି ସେହି ରାଜ୍ୟର ଉପଭୋକ୍ତାଙ୍କୁ ସବ୍‌ସିଡି ଦେବେ ବୋଲି ଘୋଷଣା କରିସାରିଛନ୍ତି । ହେଲେ ବିଦ୍ୟୁତ୍ ବଳକା ରାଜ୍ୟ ସତ୍ତ୍ୱେ ଗ୍ରାହକଙ୍କୁ କାହିଁକି ମିଳୁନି ସୁଫଳ, ତାହା ବୁଝାବପଡ଼ୁନି । ତଥ୍ୟାନୁସାରେ ରାଜ୍ୟରେ ୧ ଏପ୍ରିଲ୍ ୧୯୯୬ରେ ଓଡ଼ିଶାରେ ବିଦ୍ୟୁତ୍ ସଂସ୍କାର ଆସିବା ପରେ ସ୍ଥିତିର ସୁଧାର ଆସିବା କଥା । ହେଲେ ହୋଇ ନଥିଲା । ପିକ୍ ସମୟରେ ବିଦ୍ୟୁତ୍ ଚାହିଦା ତୁଳନାରେ ଉତ୍ପାଦନ କମ୍ ହେଉଥିଲା । ୨୦୦୦ରୁ ୨୦୧୦ ମଧ୍ୟରେ ଅନେକ ଶିଳ୍ପସଂସ୍ଥା ଆସିବା ପରେ ଅନୁରୂପସ୍ଥିତ ଜାରି ରହିଲା । ୨୦୧୦-୧୧ରେ ପିକ୍ ସମୟରେ ବିଦ୍ୟୁତ୍ ଚାହିଦା ୩୮୭୨ ମେଗାୱାଟ୍ ଥିଲାବେଳେ ଉତ୍ପାଦନ ହେଉଥିଲା ୩୭୯୨ ମେଗାୱାଟ୍ । ୨୦୧୧-୧୨ରେ ବିଦ୍ୟୁତ୍ ଚାହିଦା ୩୩୮୯ ମେଗାୱାଟ୍ ଆବଶ୍ୟକ ଥିଲାବେଳେ ଉତ୍ପାଦନ ହେଉଥିଲା ୩୫୨୬ ମେଗାୱାଟ୍ ।

୨୦୧୨-୧୩ରେ ବିଦ୍ୟୁତ୍ ଚାହିଦା ୩୯୬୮ ମେଗାୱାଟ୍ ଥିଲାବେଳେ ଉତ୍ପାଦନ ହେଉଥିଲା ୩୬୯୪ ମେଗାୱାଟ୍ । ୨୦୧୩-୧୪ରେ ବିଦ୍ୟୁତ୍ ଚାହିଦା ୩୭୨୭ ମେଗାୱାଟ୍ ବିଦ୍ୟୁତ ଆବଶ୍ୟକ ଥିଲାବେଳେ ଉତ୍ପାଦନ ହେଉଥିଲା ୩୭୨୨ ମେଗାୱାଟ୍ । ୨୦୧୪-୧୫ରେ ବିଦ୍ୟୁତ୍ ଚାହିଦା ୩୯୨୦ ମେଗାୱାଟ୍ ଥିଲାବେଳେ ୩୮୯୨ ମେଗାୱାଟ୍ ଉତ୍ପାଦନ ହେଉଥିଲା । ମାତ୍ର ୨୦୧୫ ପରେ ରାଜ୍ୟ ସରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବାରୁ ବିୁଦ୍ୟୁତ୍ ଉତ୍ପାଦନ ଚାହିଦା ତୁଳନାରେ ବଢ଼ିଲା । ୨୦୧୯-୨୦ରେ ରାଜ୍ୟରେ ପିକ୍ ସମୟରେ ୩୪୮୯ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହେଉଥିଲାବେଳେ ବିଦ୍ୟୁତ ଆବଶ୍ୟକ ପଡ଼ୁଥିଲା ୩୨୦୦ ମେଗାୱାଟ୍ । ଏବେ ପ୍ରାୟ ସମାନ ସ୍ଥିତି ରହିଛି । ସେଥିପାଇଁ ରାଜ୍ୟ ସରକାର ଦିଲ୍ଲୀ ଭଳି ରାଜ୍ୟକୁ ବିଦ୍ୟୁତ୍ ବିକ୍ରି କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି । ଅନ୍ୟପକ୍ଷରେ ଅକ୍ଷୟ ଶକ୍ତି ଭଳି ‘ଗ୍ରୀନ୍ ଏନର୍ଜି’ ଉପରେ ବି ଫୋକସ୍ ଦିଆଯାଇଛି ।

ସେହି କ୍ଷେତ୍ରରୁ ବିଦ୍ୟୁତ୍ ଉତ୍ପାଦନ ହେଉଛି । ଏଭଳି ସ୍ଥିତିରେ ଓଡ଼ିଶାରେ ବିଦ୍ୟୁତ୍ କାଟ୍ ହେବା କଥା ନୁହେଁ । ହେଲେ ତାହା ହେଉଛି । ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ହିଁ ଅଘୋଷିତ ବିଦ୍ୟୁତ କାଟ୍ ଜାରି ରହିଛି । ଏଥିଯୋଗୁଁ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଜୀବନ ଦୁର୍ବିସହ ହୋଇଛି । ରାଜଧାନୀ ଓ ତାର ଉପକଣ୍ଠ ଇଲାକାରେ ବିଦ୍ୟୁତ୍ ଯୋଗାଣ ଠିକ୍ ହୋଇପାରୁନି । ଏହା ସତ୍ତ୍ୱେ ଅନ୍ୟ ରାଜ୍ୟ ତୁୂଳନାରେ ରାଜ୍ୟର ଲୋକେ ଚଢ଼ା ଦରରେ ବିଦ୍ୟୁତ୍ ୟୁନିଟ୍ ପିଛା କିଣୁଥିବା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତା ମହାସଂଘର ଉପଭୋକ୍ତାଙ୍କୁ ସବ୍‌ସିଡି ଦିଆଯାଇ ନିର୍ଦ୍ଦିଷ୍ଟ ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ କରାଯାଉ ବୋଲି ବାରମ୍ବାର ଅନୁରୋଧ କରିଥିଲେ ହେଁ ‘ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ’ (ଓଇଆର୍‌ସି) ତାହାକୁ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ରାଜ୍ୟବ୍ୟାପୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking