ଭୁବନେଶ୍ୱର: ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପତ୍ନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ମାଡ଼ ମାରି ଯୌତୁକ ନିର୍ଯ୍ୟାତନା ଦେବା ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଆଜି ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରଚନ୍ଦ୍ରଶେଖରପୁର ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କୀଆ ଥାନା ଅଞ୍ଚଳର ସନ୍ତୋଷ ମହାରଣା(୩୭) । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହାରେ ଅଭିଯୋଗକାରୀ ଭୀମସେନ ମହାରଣାଙ୍କ ଝିଅ ଅଭିଯୁକ୍ତ ସନ୍ତୋଷଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହ ସମୟରେ ଦାବୀ ମୁତାବକ ୫୦ ହଜାର ଟଙ୍କା, ସୁନା, ରୂପା ତଥା ଗୃହପୋକରଣ ସାମଗ୍ରୀ ଅଭିଯୁକ୍ତଙ୍କୁ ଯୌତୁକ ଆକାରରେ ଦିଆଯାଇଥିଲା । ବିବାହର କିଛିଦିନ ଅଭିଯୁକ୍ତ ସନ୍ତୋଷ ନିୟମିତ ଭାବେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ସହିତ ପତ୍ନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହିତ ମାଡ଼ ମାରନ୍ତି । ଏହି କାରଣରୁ ମଝିରେ ପତ୍ନୀ ତାଙ୍କ ବାପ ଘରକୁ ପଳାଇ ଯାଇଥିବା ବେଳେ, ଅଭିଯୁକ୍ତଙ୍କ ପରିବାର ସଦସ୍ୟ ତଥା ମଧ୍ୟସ୍ଥିଙ୍କ ସହଯୋଗରେ ନୋଟାରୀରେ ଏକ ଚୁକ୍ତିପାଠ କରିବା ପରେ ସେ ଅଭିଯୁକ୍ତ ସହ ଆସି ଭୁବନେଶ୍ୱରରେ ରହିଥିଲେ । ଗତ ୧୫ ତାରିଖ ଦିନ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଖାଦ୍ୟ ରନ୍ଧାକୁ ନେଇ ପତ୍ନୀଙ୍କ ସହିତ ପାଟିତୁଣ୍ଡ କରିବା ସହିତ କିଣିଥିବା ମୋଟରସାଇକେଲର କିସ୍ତି ଟଙ୍କା ବାପଘରୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଘରୁ ବାହାରି ପଳାଇ ଯାଇଥିଲେ । କିଛି ସମୟ ପରେ ଘରକୁ ଫେରି ଦେଖନ୍ତି ତ ତାଙ୍କ ପତ୍ନୀ ଗାମୁଛା ସାହାଯ୍ୟରେ ଘର ଛାତରେ ଝୁଲିପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଅଭିଯୁକ୍ତ ଗାମୁଛା କାଟି ପତ୍ନୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ସନ୍ତୋଷଙ୍କ ଶ୍ୱଶୁର ଥାନାରେ ଏକ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିଥିଲେ ।