ଲଣ୍ଡନ : ଭାରତୀୟ ପେସର୍ ଉମେଶ ଯାଦବ କାଉଣ୍ଟି ଚାମ୍ପିଅନ୍ଶିପ୍ ଓ ରୟାଲ୍ ଲଣ୍ଡନ କପ୍ ଖେଳିବା ସକାଶେ ମିଡଲସେକ୍ସ ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏନେଇ ମିଡଲସେକ୍ସ କ୍ରିକେଟ୍ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ସେ ଏହି କାଉଣ୍ଟି କ୍ଲବ୍ର ୱର୍ସେଷ୍ଟର୍ଶାୟର୍ ବିପକ୍ଷ ମ୍ୟାଚ୍ରୁ ତାଙ୍କର ଅଭିଯାନ ଆରମ୍ଭ କରିବେ । ମର୍ଚ୍ଚାଣ୍ଟ୍ ଟେଲର୍ସ ସ୍କୁଲ୍ଠାରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚ୍ରେ ଉମେଶ ଖେଳିବେ ବୋଲି ଘୋଷଣା କରାଯାଇ ନ ଥିଲା । କାରଣ ସେତେବେଳକୁ ଉମେଶଙ୍କ ଭିସା ସୁନିଶ୍ଚିତ ହୋଇ ନ ଥିଲା । ତେବେ ସୋମବାର ସକାଳେ ଉମେଶଙ୍କ ନାମ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସହ ପଞ୍ଜୀକୃତ ହୋଇଥିବା କ୍ଲବ୍ ପକ୍ଷରୁ ସୂଚନା ଦିଆଯିବା ସହ ଉମେଶ ଚଳିତ ସପ୍ତାହରେ ୱର୍ସେଷ୍ଟର୍ଶାୟର୍ ବିପକ୍ଷ ମ୍ୟାଚ୍ରେ ଖେଳିବେ ବୋଲି କୁହାଯାଇଛି ।
ଉମେଶ କ୍ଲବ୍ ପକ୍ଷରୁ ଉଭୟ ପ୍ରଥମ ଶ୍ରେଣୀ ଓ ଲିଷ୍ଟ୍-ଏ’ ମ୍ୟାଚ୍ ସକାଶେ ଉପଲବ୍ଧ ହେବେ । ନାଗପୁର ଜନ୍ମିତ ୩୪ ବର୍ଷୀୟ ଉମେଶଙ୍କ ପାଖରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଭରପୂର ଅଭିଜ୍ଞତା ରହିଛି । ସେ ଟିମ୍ ଇଣ୍ଡିଆ ପକ୍ଷରୁ ୫୨ଟି ଟେଷ୍ଟ୍, ୭୭ଟି ଦିନିକିଆ ଓ ୭ଟି ଟି-୨୦ ମ୍ୟାଚ୍ ଖେଳି ୨୭୩ଟି ୱିକେଟ୍ ହାସଲ କରିସାରିଛନ୍ତି । ସେହିପରି ଜଣେ ପେସର୍ ଭାବେ ସେ ତାଙ୍କ କ୍ୟାରିୟର୍ରେ ୬୫୦ରୁ ଊର୍ଦ୍ଧ୍ୱ ୱିକେଟ୍ ନେଇଥିବା ବେଳେ ୨୦୧୮ରେ ହାଇଦ୍ରାବାଦଠାରେ ଖେଳାଯାଇଥିବା ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ରେ ୮୮ ରନ୍ ଦେଇ ୬ଟି ୱିକେଟ୍ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।