କିଭ୍ : ଥମୁନି ଋଷର ଆକ୍ରମଣ । ସପ୍ତାହ ପରେ ସପ୍ତାହ ବିତି ଚାଲିଛି । ହେଲେ ଋଷ ସୈନ୍ୟଙ୍କ ମନ ବୁଝୁନି । ଏବେ ବି ଘନ ଘନ ହେଉଛି ବୋମା ମାଡ଼ । ୟୁକ୍ରେନ୍ ଆକାଶରେ ଉଡ଼ିବୁଲୁଛନ୍ତି ଜମ ଦୂତ । କେତେବେଳେ କାହା ପ୍ରାଣ ନେଉଛନ୍ତି କହିବା ମୁସ୍କିଲ । ଅନ୍ୟପଟେ ହାର ମାନିବାକୁ ବି ନାରାଜ ୟୁକ୍ରେନ୍ । ତେବେ ଏହାରି ଭିତରେ ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାୟତା ମାଗିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି । ଆମେରିକା କୁ ସଂବୋଧନ ଅବସରରେ ସହାୟତା ମାଗିଛନ୍ତି ଜେଲେନ୍ସ୍କି । ଏପର୍ଯ୍ୟନ୍ତ ଆମେରିକା କରିଥିବା ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ୟୁକ୍ରେନ ଅଧିବାସୀ ସବୁବେଳେ ଆମେରିକା ପାଖରେ କୃତଜ୍ଞ ବୋଲି କହି ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ଜେଲେନ୍ସ୍କି । ତେବେ ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ । ଆପାର୍ଟମେଣ୍ଟ ଗୁଡ଼ିକ ଆକ୍ରମଣର ଶିକାର ହେବା ଯୋଗୁଁ ବହୁ ଲୋକଙ୍କ ଜୀବନ ବି ଯାଉଛି । ଏପଟେ ୟୁକ୍ରେନ୍ ଆକଳନ ଅନୁସାରେ ଋଷ ସେନା ଆଉ ମାସେ ଦୁଇମାସ ପରେ ଯୁଦ୍ଧ ଜାରି ରଖିପାରିବ ନାହିଁ । ତେଣେ ଋଷରେ ବି ତେଜୁଛି ଯୁଦ୍ଧ ବିରୋଧୀ ପ୍ରତିବାଦ । ଏବେ ସୁଦ୍ଧା ୯୦୦ରୁ ଅଧିକ ମିଜାଇଲ୍ ମାଡ଼ କଲାଣି ଋଷ ବୋଲି ଦାବି କରିଛି ଆମେରିକା । ଗତକାଜି କିଭର ୨ଟି ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ ଦଳ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହାପରେ କିଭରେ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରିଛନ୍ତି ସେଠାକାର ମେୟର୍ । ସେପଟେ ନିପ୍ରୋ ଅଞ୍ଚଳର ମୁଖ୍ୟ ବିମାନବନ୍ଦର ବି ମିଜାଇଲ୍ ଆଟାକରେ କ୍ଷତିଗ୍ରସ୍ତ ହୋଇଛି । ଦେଶବ୍ୟାପୀ ଏୟାର୍ ଆଟାକ୍ ୱାର୍ଣ୍ଣିଂ ଜାରି କରିଛି । ତେଣେ ମେ ମାସ ବେଳକୁ ଋଷୀୟ ଆକ୍ରମଣ ଶେଷ ହେବ ଏବଂ ଋଷୀୟ ସେନା ସମ୍ବଳ ଅଭାବରୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ ବୋଲି ଆକଳନ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ।