ୱାରସ୍: ଅଯଥାରେ ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଉଥିବାରୁ ୟୁକ୍ରେନ୍ବାସୀ ବର୍ତ୍ତମାନ ରୁଷ୍ ଉପରେ ରକ୍ତଚାଉଳ ଚୋବାଉଛନ୍ତି । ରୁଷ୍ ସେନାର ମୁକାବିଲା କରିବାକୁ ୟୁକ୍ରେନ୍ବାସୀ ବର୍ତ୍ତମାନ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ବିଦେଶରେ ଥିବା ୟୁକ୍ରେନ୍ ନାଗରିକମାନେ ମଧ୍ୟ ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି । ଓସ୍ତାପ୍ଚୁକ୍ ନାମକ ୫୫ ବର୍ଷୀୟ ଏହି ୟୁକ୍ରେନ୍ ଇଞ୍ଜିନିୟର ଜଣକ ରୁଷ୍ର ଜଣେ ଅସ୍ତ୍ରଶସ୍ତ୍ର ବେପାରୀଙ୍କର ସୌଖୀନ ଜାହାଜ (ୟାଚ୍)କୁ ସମୁଦ୍ରରେ ବୁଡାଇ ଦେଇଛନ୍ତି । ଆଲେକ୍ଜାଣ୍ଡାର ମିଖିଭ୍ ନାମକ ଏହି ବେପାରୀଙ୍କ ୟାଚ୍ (୪୫୭ ଫୁଟ ଲମ୍ବ, ନାମ ଲେଡି ଆନାସ୍ତାସିଆ) ସ୍ପେନର ମାଲୋର୍କା ବନ୍ଦରରେ ଲଙ୍ଗର ପକାଇଥିଲା । ଓସ୍ତାପ୍ଚୁକ୍ ଏହି ୟାଚ୍ର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ । ତେବେ ଯୁଦ୍ଧ ଲାଗିବା ଖବର ପାଇବାପରେ ତାଙ୍କ ମନରେ ରୁଷୀୟଙ୍କ ପ୍ରତି ଅତ୍ୟନ୍ତ ଘୃଣାଭାବ ପ୍ରକାଶ ପାଇଥିଲା । ସେ ପ୍ରତିଶୋଧ ପରାୟଣ ହୋଇ ‘ଲେଡି ଆନାସ୍ତାସିଆ’ର ଦୁଇଟି କଭର (ଢାଙ୍କୁଣି) ଖୋଲିଦେବାରୁ ସମୁଦ୍ର ଜଳ ୟାଚ୍ ମଧ୍ୟକୁ ପ୍ରବେଶ କରି ଏହାକୁ ବୁଡାଇ ଦେଇଥିଲା । ପରବର୍ତ୍ତୀ ସମୟରେ ଅବଶ୍ୟ ଏଭଳି ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ଓସ୍ତାପ୍ଚୁକ୍ଙ୍କୁ ଗିରଫ କରାଯାଇ ପୋଲାଣ୍ଡର ଏକ ଅଦାଲତରେ ହାଜର କରାଯାଇଛି ।