19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶବଦଳିଲା ଉଦ୍ଧବଙ୍କ ସ୍ୱର; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ମରଣ କରାଇଲେ ପୁରୁଣା କଥା

ବଦଳିଲା ଉଦ୍ଧବଙ୍କ ସ୍ୱର; ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ମରଣ କରାଇଲେ ପୁରୁଣା କଥା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବେ ବିଜେପି ଆଡକୁ ଢ଼ଳୁଥିବା ସ୍ପଷ୍ଟ ଅନୁମାନ କରାଯାଉଛି । ଦିନକ ପୂର୍ବେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଉଦ୍ଧବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଆମେ କାଲି ବି ଆପଣଙ୍କ ଶତ୍ରୁ ନଥିଲୁ, ଆଜି ବି ଶତ୍ରୁ ନାହୁଁ । ଆମେ ଆପଣଙ୍କୁ ଛାଡିନଥିଲୁ, ବରଂ ଆପଣ ଆମକୁ ଛାଡିଦେଲେ । ପୂର୍ବଥର ଆମେ ବିଜେପି-ଶିବସେନା ମେଣ୍ଟ ପାଇଁ ପ୍ରଚାର କରିଥିଲୁ’ ।

ଉଦ୍ଧବଙ୍କ ଏପ୍ରକାର ଟିପ୍ପଣୀ ସେତେବେଳେ ଆସିଛି ଯେତେବେଳେ ନୀତୀଶ କୁମାର ଇଣ୍ଡିଆ ମେଣ୍ଟରୁ ଓହରିଯାଇ ଏନ୍‌ଡିଏ ସହ ହାତ ମିଳାଇନେଇଛନ୍ତି । କେବଳ ହାତ ମିଳାଇନାହାନ୍ତି, ଏନ୍‌ଡିଏ ମେଣ୍ଟ ସମର୍ଥନରେ ନୀତୀଶ ପୁନର୍ବାର ବିହାରରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି । ତେବେ ନୀତୀଶଙ୍କ ପରି ଉଦ୍ଧବଙ୍କ ମନ ମଧ୍ୟ କ’ଣ ଏବେ ପରିବର୍ତ୍ତନ ହୋଇଛି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଉଦ୍ଧବ କ’ଣ ପୁନର୍ବାର ଏନ୍‌ଡିଏ ସହ ସହଭାଗିତା କରିବାକୁ ଚାହୁଁଛନ୍ତି କି? ନୀତୀଶଙ୍କ ପରି ଏନ୍‌ଡିଏ ସମର୍ଥନରେ ଉଦ୍ଧବ ମଧ୍ୟ କ’ଣ ମହାରାଷ୍ଟ୍ରରେ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି କି ଭଳି ଅନେକ ପ୍ରଶ୍ନ ଏବେ ଜୋର ଧରିଛି ।

ତେବେ କେବଳ ଯେ ନୀତୀଶଙ୍କୁ ଦେଖି ଉଦ୍ଧବଙ୍କ ଏପ୍ରକାର ସ୍ୱର ପରିବର୍ତ୍ତନ ହୋଇଛି ବୋଲି ଭାବିବା ଠିକ୍ ହେବନି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଉଦ୍ଧବଙ୍କ ଏପ୍ରକାର ପରିବର୍ତ୍ତିତ ସ୍ୱର ପଛରେ ଇଡି-ସିବିଆଇ ତଦନ୍ତ ଜନିତ ଚାପ ବି ରହିଥିବା କେତେକାଂଶରେ ଅନୁମାନ କରାଯାଉଛି । କିଛି ଦିନ ପୂର୍ବେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକ୍‌ରେଙ୍କ ସହଯୋଗୀ ସୁରଜ ଚୌହାନ୍‌ଙ୍କୁ କରୋନା ସମୟରେ ହୋଇଥିବା ‘ଖେଚୁଡି’ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ଏବଂ ଉଦ୍ଧବଙ୍କ ନିକଟତମ ସହଯୋଗୀ ରବୀନ୍ଦ୍ର ୱାୟକରଙ୍କୁ ସ୍ପୋଟ୍‌ର୍ସ କୋଟା ଅଧୀନରେ ଆସୁଥିବା ଏକ ଜମିରେ ଏକ ପଞ୍ଚ ତାରକା ହୋଟେଲ ନିର୍ମାଣ କରାଯିବା ଘଟଣାରେ ଇଡି ୨ ଦୁଇ ଥର ଜେରା କରିବା ଭଳି ଘଟଣା ମଧ୍ୟ ଏସବୁ ସମୟ ସୁଦ୍ଧା ଘଟିଯାଇଛି । ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜମି ଦୁର୍ନୀତି ମାମଲାରେ ଇଡି ଗିରଫ କରିସାରିଛି । ଏହି କାରଣ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡିଛି । ଏସବୁକୁ ଦେଖି ଉଦ୍ଧବ ମଧ୍ୟ ଏବେ ଇଡି-ସିବିଆଇ ତଦନ୍ତଜନିତ ଚାପର ବଶବର୍ତ୍ତୀ ହୋଇ ତରବରିଆ ଭାବେ ଏନ୍‌ଡିଏରେ ମିଶିବାକୁ ଚାହୁଁଥାଇପାରନ୍ତି ବୋଲି କୁହାଯାଉଛି ।

କଂଗ୍ରେସ ଏବଂ ଏନ୍‌ସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଯେଉଁ ଉଦ୍ଧବ ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌୍ ଶାହା ଏବଂ ସର୍ବୋପରି ବିଜେପିକୁ କଡା ଶବ୍ଦରେ ସମାଲୋଚନା କରିବାକୁ ପଛାଉନଥିଲେ, ଆଜି ସେହି ଉଦ୍ଧବଙ୍କ ଏପ୍ରକାର ପରିବର୍ତ୍ତିତ ସ୍ୱରକୁ ନେଇ ଅନେକ ଆଶ୍ଚର୍ଯ୍ୟଚକିତ ହୋଇପଡିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଉଦ୍ଧବଙ୍କ ଉପରୋକ୍ତ ମନ୍ତବ୍ୟ, ବିଜେପି ପ୍ରତି ‘ଆସ ଆଲୋଚନା ପାଇଁ ଦ୍ୱାର ଖୋଲା ରହିଛି, ଆମେ ଗଠବନ୍ଧନ କରିବାକୁ ପ୍ରସ୍ତୁତ ଅଛୁ’ ଏମିତି କିଛି ଇଙ୍ଗିତ କରୁଛି । ନଚେତ୍ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟ ସମୟର ପୁରୁଣା କଥା, ପୁରୁଣା ସମ୍ପର୍କ ମନେ ପକାଇବାକୁ ଚେଷ୍ଟା କରିନଥାନ୍ତେ । ସିଧାଅର୍ଥରେ କହିଲେ ଉଦ୍ଧବ ଏବେ ଏନ୍‌ଡିଏରେ ସାମିଲ ହେବା ପାଇଁ ବିଜେପିକୁ ଅନୁରୋଧ କରିବା ଆରମ୍ଭ କରିଦେଇଛନ୍ତି ବୋଲି ପ୍ରତୀତ ହେଉଛି । ତେବେ ଯଦି ଏମିତି କିଛି ହୁଏ ତେବେ କଂଗ୍ରେସ ପାଇଁ ବଡ ସମସ୍ୟା ସୃଷ୍ଟି ହେବ । ପ୍ରଥମତଃ ମହାରାଷ୍ଟ୍ରରେ ଉଦ୍ଧବ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ସହ ରହିଥିବା ମେଣ୍ଟ ତୁଟିଯିବ ଏବଂ ଇଣ୍ଡିଆ ମେଣ୍ଟରୁ ଉଦ୍ଧବଙ୍କ ଶିବସେନା ଅବ୍ୟାହତି ନେଇନେବ । ଏପରି ହେଲେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟ ଆହୁରି ଦୁର୍ବଳ ହୋଇପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking