19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଇସି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟ ଯିବେ ଉଦ୍ଧବ; ସଞ୍ଜୟ ରାଉତଙ୍କ ଅଭିଯୋଗ: ୨ ହଜାର କୋଟିର...

ଇସି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟ ଯିବେ ଉଦ୍ଧବ; ସଞ୍ଜୟ ରାଉତଙ୍କ ଅଭିଯୋଗ: ୨ ହଜାର କୋଟିର ଡିଲ୍‌

ମୁମ୍ବାଇ: ନିର୍ବାଚନ କମିଶନ (ଇସି) ଶିବସେନାର ନାମ ଓ ନିର୍ବାଚନ ସଙ୍କେତ ଧନୁ-ତୀର ଉପରେ ଏକନାଥ ସିନ୍ଦେ ଗୋଷ୍ଠୀର ଦାବିକୁ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇସିର ଏହି ନିଷ୍ପତ୍ତି ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବେ ସୁପ୍ରିମ୍‌କୋର୍ଟ ଯିବେ ବୋଲି ଜଣାପଡ଼ିଛି । ଏହାକୁ ନେଇ ଠାକ୍‌ରେ ରବିବାର ମାତୋଶ୍ରୀରେ ପାର୍ଟି ନେତା ଓ କର୍ମକର୍ତ୍ତାଙ୍କ ବୈଠକ ଡାକିଥିଲେ । ସିନ୍ଦେ ଗୋଷ୍ଠୀ ମଧ୍ୟ ସୁପ୍ରିମ୍‌କୋର୍ଟରେ କ୍ୟାଭିଏଟ୍ ଅର୍ଥାତ୍ ବିରୋଧ ପତ୍ର ଦାଖଲ କରିବ । ଫଳରେ ଯଦି ଇସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରାଯାଏ, ତେବେ ସିନ୍ଦେ ଗୋଷ୍ଠୀଙ୍କ ପକ୍ଷ ନଶୁଣି କୋର୍ଟ ନିଷ୍ପତ୍ତି ଦେଇପାରିବେ ନାହିଁ । ଏସବୁ ମଧ୍ୟରେ ଠାକ୍‌ରେ ଗୋଷ୍ଠୀର ନେତା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶିବସେନାର ନାମ ଓ ସଙ୍କେତ ହାତେଇବା ପାଇଁ ଦୁଇ ହଜାର କୋଟି ଟଙ୍କାର ଡିଲ୍ ହୋଇଛି । ଏହି ବୟାନ ଉପରେ ସେ କାଏମ ଥିବା କହିଛନ୍ତି ।

ବେଇମାନ ଲୋକଙ୍କ ଗୋଷ୍ଠୀ ବିଧାୟକ କିଣିବା ପାଇଁ ୫୦ କୋଟି, ସାଂସଦ କିଣିବା ପାଇଁ ୧୦୦ କୋଟି, କାଉନ୍‌ସିଲର୍‌ଙ୍କ ପାଇଁ ଏକ କୋଟି ଏବଂ ଶାଖା ପ୍ରମୁଖଙ୍କୁ କିଣିବା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରୁଥିବା ବେଳେ ପାର୍ଟିର ନାମ ଓ ସଙ୍କେତ ପାଇଁ କେତେ ଖର୍ଚ୍ଚ କରିଥିବ ଏଥିରୁ ଅନୁମାନ କରାଯାଇପାରେ । ସେ ଆହୁରି କହିଛନ୍ତି ‘ଅମିତ ଶାହ କ’ଣ କହୁଛନ୍ତି ମହାରାଷ୍ଟ୍ରର ଲୋକମାନେ ତା’ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଯିଏ ସତ୍ୟକୁ କିଣିବା କାମ କରୁଛି, ସିଏ ସତ ଓ ମିଛର କଥା କ’ଣ କହିବ । ଜନତା ସମୟ ଆସିଲେ ଏହାର ନିର୍ଣ୍ଣୟ କରିବେ । ଶିବସେନା କାହାର ଥିଲା ଏବଂ କାହାର ହେବ ଏ ନିଷ୍ପତ୍ତି ମହାରାଷ୍ଟ୍ରର ଲୋକମାନେ କରିବେ ।’ ଅମିତ ଶାହଙ୍କୁ ଟାର୍ଗେଟ୍ କରି ସଞ୍ଜୟ ରାଉତ କହିଛନ୍ତି, ଆଜି ବିି କଶ୍ମୀର ପଣ୍ଡିତ ଜମ୍ମୁରେ କାହିଁକି ଅଟକିଛନ୍ତି? କଶ୍ମୀର ପଣ୍ଡିତଙ୍କ ହତ୍ୟା କାହିଁକି ହୋଇଛି, କ’ଣ ତାଙ୍କୁ ସଂରକ୍ଷଣ ମିଳୁଛି? ସରକାର ଏହାର ଜବାବ ଦିଅନ୍ତୁ । ଆଜି ମଧ୍ୟ କଶ୍ମୀର ପଣ୍ଡିତ ଘରକୁ ଫେରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଏହା କାହାର ବିଫଳତା ବୋଲି ସେ ପ୍ରଶ୍ନ କରିଛନ୍ତି । ଆଜି ମଧ୍ୟ ଶତାଧିକ କଶ୍ମୀର ପଣ୍ଡିତ ଜମ୍ମୁର ରାସ୍ତାରେ ନ୍ୟାୟ ପାଇଁ ବସିରହିଛନ୍ତି । ଯଦି ଏହା ଅମିତ ଶାହଙ୍କୁ ଜଣାନାହିଁ, ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରେ ନରହିବା ଉଚିତ ବୋଲି ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking