ଭୋଗରାଇ: ଭୋଗରାଇ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ କରଞ୍ଜାଶୂଳ ଗ୍ରାମରେ ପାଣିରେ ବୁଡ଼ି ଜଣେ ଶିଶୁପୁତ୍ରର ସଲିଳ ସମାଧି ହୋଇଛି। ମୃତ ଶିଶୁପୁତ୍ର ହେଲେ ସେହି ଗ୍ରାମର ରାସବିହାରି ସାହୁଙ୍କ ଦୁଇ ବର୍ଷର ପୁଅ ଜଗଦୀଶ ସାହୁ। କ୍ରମାଗତ ଲଘୁଚାପ ବର୍ଷାରେ ଭୋଗରାଇ ବ୍ଲକ ଅଞ୍ଚଳ ଏକପ୍ରକାର ଜଳମଗ୍ନ ଅବସ୍ଥାରେ ରହିଛି। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଏହାକୁ ଅଧିକ ସଙ୍ଗୀନ କରିଛି। ସବୁ ଆଡେ ବିଲ ପୋଖରୀ ପାଣିରେ ବୁଡ଼ି ରହିଛି। ରବିବାର ସକାଳେ କରଞ୍ଜାଶୂଳ ଗାଁର ରାସବିହାରୀଙ୍କ ପୁଅ ଜଗଦୀଶ ଘର ଅଗଣାରେ ଖେଳୁଥିଲେ। କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ନପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅକୁ ପାଇନଥିଲେ।
କିଛି ସମୟ ପରେ ପରିବାର ଲୋକେ ଖୋଜା ଖୋଜି କରି ଘର ପାଖରେ ପୋଖରୀ ଭଳି ଜମିଥିବା ପାଣିରୁ ଚେତାଶୂନ୍ୟ ଅବସ୍ଥାରେ ଜଗଦୀଶକୁ ଉଦ୍ଧାର କରି ସଙ୍ଗେସଙ୍ଗେ ସ୍ଥାନୀୟ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁପୁତ୍ରର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡିଥିଲା ବେଳେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଭୋଗରାଇ ଥାନା ଅନ୍ତର୍ଗତ ଚନ୍ଦନେଶ୍ବର ପୁଲିସ ଫାଣ୍ଡି ଅଧିକାରୀ ବିଶ୍ଵନାଥ କର ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଭୋଗରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।