ବ୍ୟୁରୋ : ଭୁବନେଶ୍ୱର ଶାସ୍ତ୍ରୀ ନଗର ଅଞ୍ଚଳରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ଘରେ କେହି ନଥିବା ବେଳେ ମର୍ଡର । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳା ଶୁଭଶ୍ରୀ ମହାପାତ୍ରଙ୍କ ସ୍ୱାମୀ । ଶାସ୍ତ୍ରୀନଗରରେ ଭଡ଼ା ଘରେ ରହୁଥିଲେ ଅନନ୍ତ ନାରାୟଣ ନାଥଙ୍କ ପରିବାର । ଟିଉସନରୁ ଫେରି ମାଆଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା କୁନି ପୁଅ । ଏନେଇ ବାପାଙ୍କୁ ଫୋନ୍ କରି ଜଣାଇଥିଲା । ଅନନ୍ତ ଘରେ ପହଞ୍ଚି ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଠି ପ୍ରଶ୍ନ ଉଠୁଛି କେମିତି ଘଟିଲା ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ଶୁଭଶ୍ରୀଙ୍କ ବେକରେ ଦାଗ ହେଲା କେମିତି? ପୂର୍ବରୁ କାହା ସହ ପାଟି ତୁଣ୍ଡ ହୋଇଥିଲା କି? ଘରେ ତାଙ୍କୁ କେହି ହତ୍ୟା କରି ପଳେଇଯାଇଛି କି? ଏସବୁର ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ଶୁଭଶ୍ରୀଙ୍କ ମୋବାଇଲ ଫୋନକୁ ଜବତ କରି ଯାଞ୍ଚ କରାଯାଇଛି । ପଡୋଶୀଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ଅନ୍ୟପଟେ, ବାଣୀବିହାର ଡିସିପି ଅଫିସ ନିକଟରେ ଚା’ ଦୋକାନୀ ସୌମ୍ୟରଞ୍ଜନ କୁଣ୍ଡଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ଏହି ଘଟଣାରେ ଅଭିଯୁକ୍ତ କାବୁ ଦାସ ଓ ପାଉଣୀ ଦାସକୁ ଗିରଫ କରିଛି ପୋଲିସ । ବାଣୀବିହାର ଛକରେ ଦୋକାନ କରିବାକୁ ନେଇ ଦୁଇଦିନ ତଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ସୌମ୍ୟଙ୍କୁ ପିଟି ପିଟି ହତ୍ୟା କରିଥିଲେ ଦୁଇଜଣ ଅଟୋ ଡ୍ରାଇଭର । ପାର୍ବଣ ସମୟରେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି କମିଶନରେଟ ପୋଲିସ । ରାତ୍ରି ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ସବୁ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।