ଭୁବନେଶ୍ୱର: ଛତିଶଗଡ଼ରେ ପୁଣି ଚାଲିଲା ରକ୍ତର ପାଣି । ପୁଣି ନିଜର ଦବଦବା ଜାହିର କଲେ ମାଓବାଦୀ । ରାଜନନ୍ଦଗାଓଁରେ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଶହୀଦ ଯବାନ ହେଉଛନ୍ତି ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଲଲିତ ।
ଏନେଇ ନକ୍ସଲ ଅପରେସନ୍ ଡିଏସପି ଅଜିତ ଓଙ୍ଗ୍ରେ କହିଛନ୍ତି ଯେ ଚେକିଂ ଜାରି ରହିଥିବା ବେଳେ ମାଓବାଦୀ ଆସି ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯବାନଙ୍କ ଉପରକୁ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଶହୀଦ ହୋଇଥିଲେ । ଏଥିସହ ଉକ୍ତ ସ୍ଥାନରେ ଥିବା ବାଇକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ଏନେଇ ସୂଚନା ପାଇବା ମାତ୍ରେ ଏକ ସ୍ବତନ୍ତ୍ର ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି ।