ନୂଆଦିଲ୍ଲୀ: ଆର୍ମଲେସ ତୀରନ୍ଦାଜ ଶୀତଲ ଦେବୀ ପ୍ରଥମ ଭାରତୀୟ ମହିଳା ଭାବେ ସିଙ୍ଗଲ ଏସୀୟ ପାରା କ୍ରୀଡ଼ାର ଗୋଟିଏ ସଂସ୍କରଣରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ହାତନଥାଇ ପାଦ ମାଧ୍ୟମରେ ତୀର ଚଳାଇ ଶୀତଲ ଅଭୁଲା କୃତିତ୍ୱର ଅଧିକାରୀ ହୋଇଛନ୍ତି । ଶୀତଲ ଶୁକ୍ରବାର ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ସ୍ୱର୍ଣ୍ଣ ଜିତିଛନ୍ତି । ଏହାପୂର୍ବରୁ ସେ ଗୁରୁବାର କମ୍ପାଉଣ୍ଡ ମିଶ୍ରିତ ଦଳଗତ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିଲେ । ଜମ୍ମୁ-କଶ୍ମୀରର ଏହି ୧୬ ବର୍ଷୀୟ ଯୁବତୀ ପଦକରେ ହ୍ୟାଟ୍ରିକ୍ ହାସଲ କରିଛନ୍ତି । ସେ ଏହି ପ୍ରତିଯୋଗିତାର ମହିଳା ଡବଲ୍ସରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ ।
ସିଙ୍ଗଲ୍ସର ସ୍ୱର୍ଣ୍ଣ ପଦକ ମୁକାବିଲାରେ ସିଙ୍ଗାପୁରର ଆଲିମ ନୁର ସିଆହିଦାଙ୍କୁ ୧୪୪-୧୪୨ ପଏଣ୍ଟରେ ପରାସ୍ତ କରିଥିଲେ । ଶୀତଲ ଫୋକୋମିଲିଆ ସିଣ୍ଡ୍ରୋମ ନାମକ ଏକ ବିରଳ ଜନ୍ମଗତ ରୋଗରେ ଆକ୍ରାନ୍ତ ହୋଇ ଜନ୍ମ ଗ୍ରହଣ କରିଥିଲେ ଯାହା ଅଙ୍ଗପ୍ରତ୍ୟଙ୍ଗକୁ ଅନୁନ୍ନତ ରଖିଥିଲା । ଚଳିତ ସପ୍ତାହ ଆରମ୍ଭରେ ଅଙ୍କୁର ଧାମା ଗୋଟିଏ ସଂସ୍କରଣରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ । ଅନ୍ୟତମ ଭାରତୀୟ ତୀରନ୍ଦାଜ ରାକେଶ କୁମାର ସୁଟ୍ ଅଫ୍ରେ ୧୪୪(୧୦)-୧୪୪(୯)ରେ ଇରାନର ଆଲିସିନ୍ ମନଶାଏଜାଦେହଙ୍କୁ ପରାସ୍ତ କରି ପୁରୁଷ କମ୍ପାଉଣ୍ଡ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ଶୁକ୍ରବାର ଭାରତକୁ ୭ଟି ସ୍ୱର୍ଣ୍ଣ ସହ ମୋଟ ୧୭ଟି ପଦକ ମିଳିଛି ।
ହାଙ୍ଗଝୁ ଏସିଆନ୍ ପାରା ଗେମ୍ସରେ ଗୋଟିଏ ଦିନ ବାକି ଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା ୯୯ଟି ପଦକ ଜିତିଛି । ୨୦୧୮ ସଂସ୍କରଣରେ ଭାରତ ସର୍ବାଧିକ ୭୨ଟି ପଦକ ଜିତିଥିବା ବେଳେ ଏବେ ଏହାକୁ ଅତିକ୍ରମ କରିଛି । ଏବେ ଭାରତ ୨୫ ସ୍ୱର୍ଣ୍ଣ ସହ ୨୯ ରୌପ୍ୟ ଓ ୪୫ ବ୍ରୋଞ୍ଜ ପଦକ ହାସଲ କରିଛି ।