ଲକ୍ଷ୍ନୌ : ଗୋଟିଏ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା । ଉତ୍ତର ପ୍ରଦେଶର ହରଦୋଇ ଅଞ୍ଚଳରୁ ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ କାସିମପୁର ଥାନା ଅଞ୍ଚଳରେ ୨୫ ଦିନ ପୂର୍ବରୁ ମିଳିଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା ଲାଗିଛି, ଯଦ୍ଦ୍ୱାରା ପୋଲିସ ବି ହରଡ଼ଘଣାରେ ପଡ଼ି ଯାଇଛି । ସୂଚନା ଅନୁଯାୟୀ, ଅଲ୍ଲୀପୁରର ଜଣେ ମହିଳା ମୃତ ଯୁବକଙ୍କୁ ନିଜ ପୁଅ ବୋଲି ଦାବି କରି ଗାଁର କିଛି ଲୋକଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ଆଉ ଏବେ ଉନ୍ନାଓ ଜିଲାର ଅନ୍ୟ ଏକ ପରିବାର ଏସ୍?ପି ଅଫିସରେ ପହଞ୍ଚି ଶବ ତାଙ୍କର ବୋଲି କହିଛନ୍ତି । ୧୨ ମାର୍ଚ୍ଚରେ ସ୍ଥାନୀୟ ଏକ ଗାଁ ନିକଟ ଗହମ ବିଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା । ସେହି ସମୟରେ ମହିଳା ଜଣକ ନିଜ ପୁଅ ବୋଲି ଦାବି କରି ଅନ୍ତିମ ସଂସ୍କାର କର୍ମ ମଧ୍ୟ କରିଥିଲେ ।
ଜମି ବିବାଦକୁ ନେଇ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ମାମଲା ବି ରୁଜୁ ହୋଇଥିଲା । ଏବେ ଘଟଣାର ୨୫ ଦିନ ପରେ ଉନ୍ନାଓ ଅଞ୍ଚଳର ରଜନୀଶ ନାମକ ବ୍ୟକ୍ତି ଦାବି କରିଛନ୍ତି ଯେ ଏହି ମୃତଦେହ ତାଙ୍କ ବଡ଼ ଭାଇ ରାଜୁଙ୍କର । ଏ ନେଇ ସେ ଥାନାରେ ଏତଲା ଦେଇଥିଲେ, ଯେଉଁଥିରେ ଉଲ୍ଲେଖ କରିଥିଲେ କି, ତାଙ୍କ ଭାଇ ରାଜୁ ୩ ବର୍ଷ ପୂର୍ବେ ସୁମନଙ୍କୁ ପ୍ରେମ ବିବାହ କରିଥିଲେ । ଏପଟେ ସୁମନ ବି ଏସ୍ପି ଅଫିସ୍ ପହଞ୍ଚି ଶବ ତାଙ୍କ ସ୍ୱାମୀଙ୍କର ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ ରାଜୁ ମହାରାଷ୍ଟ୍ରରେ ଚାକିରି କରୁଥିଲେ । ସେଠାରୁ କିଛି ଦିନ ପୂର୍ବେ ଶ୍ୱଶୁର ଘର ବୁଲିବାକୁ ଆସିଥିଲେ । ୪ ମାର୍ଚ୍ଚରେ ପରିବାର ଲୋକେ ରାଜୁଙ୍କୁ ଫୋନ କରି ଡକାଇଥିଲେ । ଏହାପରଠାରୁ ରାଜୁ ନିଖୋଜ ରହିଥିଲେ । ୧୨ ମାର୍ଚ୍ଚରେ ସେ ଏ ନେଇ ଥାନାରେ ଏତଲା ମଧ୍ୟ ଦାୟର କରିଥିଲେ ।