19.1 C
Bhubaneswar
Wednesday, February 11, 2026
Homeଓଡିଶାକମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଶୁଭାରମ୍ଭ

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଶୁଭାରମ୍ଭ

ଭୁବନେଶ୍ୱର: ଓଡିଶାରେ ମହିଳା ସଶକ୍ତିକରଣ, ମହିଳା ମାନଙ୍କ ବିକାଶ ଓ ଜୀବନ ଜୀବିକା ସୁଦୃଢ଼ିକରଣର ଲକ୍ଷ୍ୟ ନେଇ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଆଜି ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚରେ ପୁରୀ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାର ୧୫୦ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଛନ୍ତି। ପର୍ଯ୍ୟାୟ କ୍ରମେ ଏହି ପ୍ରଶିକ୍ଷଣକୁ ସମଗ୍ର ରାଜ୍ୟରେ ସମ୍ପ୍ରସାରଣ କରାଯିବ।

ଆଜି ମିଶନ ଶକ୍ତି ଭବନ ଠାରେ ଆୟୋଜିତ “ଦୁଇ ଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ”ରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ତିନୋଟି ଜିଲ୍ଲାରୁ ଆସିଥିବା ମା ମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ରାଜ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ତୃଣମୂଳସ୍ତରରେ ପରିଚାଳନା କରିବାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ମୁଖ୍ୟ ଭୂମିକା ନିଭାଉଛନ୍ତି। ସ୍ଵୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମକୁ ବ୍ୟବସାୟିକ ମାର୍ଗଦର୍ଶନ, ପାଣ୍ଠି ପରିଚାଳନା, ବଜାର ଯୋଗାଯୋଗ ଏବଂ ଆର୍ଥିକ ଶିକ୍ଷା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ମହିଳା ଉଦ୍ୟୋଗୀଙ୍କ ଆୟବୃଦ୍ଧିର ମୂଳ ଆଧାର ହୋଇପାରିଛନ୍ତି।

ଏହି ତାଲିମ ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ମହିଳା ଉଦ୍ୟୋଗୀ ସୃଷ୍ଟି କରି ସେମାନଙ୍କୁ ବଜାର ଭିତ୍ତିକ ଜୀବନ ଜୀବିକା ମାଧ୍ୟମରେ ଆୟ ବୃଦ୍ଧି କରିବାରେ ସହାୟକ ହେବ । କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ସକ୍ରିୟ ଯୋଗଦାନ ମାଧ୍ଯମରେ ପ୍ରତ୍ୟେକ ଘରେ ଜଣେ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ହେଉଛି ମିଶନ ଶକ୍ତିର ଲକ୍ଷ୍ୟ ।କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନୂତନ ଜ୍ଞାନ କୌଶଳ ଓ ଦୈନଦିନ କାର୍ଯ୍ୟ ସମ୍ପର୍କିତ ଦକ୍ଷତା ବୃଦ୍ଧି କରିବା ସହିତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ଓ ସେମାନଙ୍କୁ ସଠିକ ଜୀବନଜୀବିକା ମାଧ୍ୟମରେ ନିଜ ଆୟର ସ୍ତରକୁ ବଢ଼ାଇ ‘ଲକ୍ଷପତି ଦିଦି’ରେ ପରିଣତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଦକ୍ଷତା ବୃଦ୍ଧି କରିବା, ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟୋଗ ପରିଚାଳନା, ବ୍ୟବସାୟ ପ୍ରସ୍ତୁତି, ପାଣ୍ଠି ପରିଚାଳନା ଓ ବଜାର ଯୋଗାଯୋଗ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବ । ଏହି ତାଲିମ ପ୍ରଦାନ ଦ୍ୱାରା ଡିଜିଟାଲ ରେକର୍ଡ ରଖିବା, ନିରୀକ୍ଷଣ ଓ ରିପୋର୍ଟିଂ କାମକୁ ଅଧିକ କାର୍ଯ୍ୟକ୍ଷମ ଭାବେ କରିବାରେ ସହାୟକ ହୋଇପାରିବ । ସ୍ଵୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କର ଫେଡରେସନ୍‌କୁ ଭଲଭାବରେ ସହଯୋଗ ଦେବା ପାଇଁ ଉଚିତ ମାର୍ଗ ଦେଖାଇବା ଇତ୍ୟାଦି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ତାଲିମ ମାଧ୍ୟମରେ ରାଜ୍ୟର କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ନିଜେ ସଶକ୍ତ ହେବା ସହିତ ନିଜ ଅଞ୍ଚଳର ହଜାର ହଜାର ମା’ମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟୋଗୀ ଭାବେ ଗଢ଼ି ‘ଲକ୍ଷପତି ଦିଦି’ ଓ ‘ମହା ଲକ୍ଷପତି ଦିଦି’ କରିବାରେ ପ୍ରମୁଖ ଭୂମିକା ନେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking