19.1 C
Bhubaneswar
Tuesday, November 19, 2024
Homeଓଡିଶାଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ୧୪ରୁ; ଅଧିକ ଲୋକାଭିମୁଖୀ ପ୍ରଶାସନ ପାଇଁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ ୧୪ରୁ; ଅଧିକ ଲୋକାଭିମୁଖୀ ପ୍ରଶାସନ ପାଇଁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିନକ ପରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦାନକରିବେ । ସଚିବମାନେ ନିଜ ବିଭାଗର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ବାବଦରେ ପ୍ରେଜେଣ୍ଟେସନ ରଖିବେ । ପ୍ରଶାସନକୁ ସ୍ୱଚ୍ଛ ଓ ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଥିରେ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ବାବଦରେ ଫାଇଭ-ଟି ସଚିବ ବିସ୍ତୃତ ଆଲୋଚନା କରିବେ । ଫେବ୍ରୁଆରୀ ୧୪ ଓ ୧୫; ଦୁଇଦିନ ଧରି ଚାଲିବ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ଫୋକସରେ ରହିବ ରୂପାନ୍ତରଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ । ଟେକ୍ନୋଲୋଜି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସହରୀ ଯୋଜନା ଉପରେ ନଗର ଉନ୍ନୟନ ସଚିବ ପ୍ରେଜେଣ୍ଟେସନ ଦେବେ । ଆମ ହସ୍ପିଟାଲ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ସ୍ୱାସ୍ଥ୍ୟସଚିବ ।

ପ୍ରଶାସନ ଓ ରାଜ୍ୟବାସୀଙ୍କ ପାଇଁ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଲଘୁ ଓ ମଧ୍ୟମ ଉଦ୍ୟୋଗୀ ହେବାର ରୋଡମ୍ୟାପ୍ ବାବଦରେ ବୁଝାଇବେ ମିଶନ ଶକ୍ତି ସଚିବ । ଏସ୍‌ଏଚ୍‌ଜିଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ବିନାସୁଧରେ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବହୁବିଧ ଫସଲ ଚାଷ ଉପରେ କୃଷି ସଚିବ ଏବଂ ପ୍ରଶାସନରେ ଟେକ୍ନୋଲୋଜିର ଭୂମିକା ବାବଦରେ ପ୍ରେଜେଣ୍ଟେସନ ଦେବେ ଆଇଟି ସଚିବ । ଦକ୍ଷତା ବିକାଶ ଉପରେ ବିଭାଗୀୟ ସଚିବ ଗୁରୁତ୍ୱ ଦେବାକୁ ଯାଉଥିବା ବେଳେ ଓଡ଼ିଶା କିପରି ପୁଞ୍ଜିପତିଙ୍କ ପ୍ରିୟସ୍ଥାନ ପାଲଟିଛି ସେ ବାବଦରେ ଶିଳ୍ପ ସଚିବ ତଥ୍ୟ ରଖିବେ । ସମ୍ମିଳନୀର ଦ୍ୱିତୀୟ ଦିନରେ ଏମ୍‌ଏସ୍‌ଏମ୍‌ଇ, ଗଣଶିକ୍ଷା, ଜଳସମ୍ପଦ, ପର୍ଯ୍ୟଟନ ସଚିବ ଭବିଷ୍ୟତ ଯୋଜନା ବାବଦରେ ଆଲୋଚନା କରିବେ । ପାନୀୟଜଳ ଉପରେ ବିଭାଗୀୟ ସଚିବ ଓ ଗମନାଗମନ ସୁବିଧା ଉପରେ ତଥ୍ୟ ରଖିବେ ପରିବହନ ସଚିବ । ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ଓ ରାଜସ୍ୱ ପ୍ରଶାସନକୁ ପିପୁଲ – ଫ୍ରେଣ୍ଡଲି କରିବା ବାବଦରେ ଅର୍ଥ ସଚିବ କହିବେ । ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଜିଲ୍ଲାପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସମ୍ମିଳନୀକୁ ଗୁରୁତ୍ୱ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking