26.1 C
Bhubaneswar
Saturday, October 19, 2024
Homeବିଜିନେସ୍ଟ୍ୱିଟର୍‌ର ବିଜ୍ଞାପନ ରାଜସ୍ୱ ୨୮% କମିବ!

ଟ୍ୱିଟର୍‌ର ବିଜ୍ଞାପନ ରାଜସ୍ୱ ୨୮% କମିବ!

ସାନ୍ ଫ୍ରାନ୍‌ସିସ୍‌କୋ: ୨୦୨୩ରେ ସୋସିଆଲ ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର୍‌ର ବିଜ୍ଞାପନ ରାଜସ୍ୱ ୨୮ ପ୍ରତିଶତ ହ୍ରାସ ପାଇବ ବୋଲି ଆମେରିକାର ‘ଇନ୍‌ସାଇଡର ଇଣ୍ଟେଲିଜେନ୍ସ’ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି । ୨୦୨୨ ଅକ୍ଟୋବରରେ ଏଲୋନ ମସ୍କ୍‌ଙ୍କ ମାଲିକାନା ସ୍ୱତ୍ୱକୁ ଯିବା ପରଠାରୁ ଟ୍ୱିଟର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି । ଚଳିତବର୍ଷ ଟ୍ୱିଟର୍‌ର ବିଜ୍ଞାପନ ବାବଦ ରାଜସ୍ୱ ୨.୯୮ ବିଲିୟନ ଡଲାରରେ ସୀମିତ ରହିପାରେ ବୋଲି ସଂସ୍ଥା ପକ୍ଷରୁ ଆଶଙ୍କା କରାଯାଉଛି । ବିଜ୍ଞାପନଦାତାମାନେ ମସ୍କ୍‌ଙ୍କ ନୀତି ଉପରେ ଭରସା କରିପାରୁନଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଇଛି । ତେଣୁ ବିଜ୍ଞାପନଦାତାଙ୍କ ବିଶ୍ୱାସ ଫେରାଇ ଆଣିବାକୁ ହେଲେ ମସ୍କ୍‌ଙ୍କୁ ବ୍ୟକ୍ତିଗତ ବ୍ରାଣ୍ଡ୍ ଏବଂ କମ୍ପାନୀର କର୍ପୋରେଟ୍ ଇମେଜ୍ ମଧ୍ୟରେ ପାର୍ଥକ୍ୟ ଗଢିତୋଳିବାକୁ ପଡିବ ବୋଲି ‘ଇନ୍‌ସାଇଡର ଇଣ୍ଟେଲିଜେନ୍ସ’ର ବରିଷ୍ଠ ଆନାଲିଷ୍ଟ ଜଓ୍‌ମିନ୍ ଏନ୍‌ବର୍ଗ କହିଛନ୍ତି ।

ଆଇନଗତ ଲଢେଇ ପରେ ଟ୍ୱିଟରର ମାଲିକାନା ସ୍ୱତ୍ୱ ମସ୍କ୍‌ଙ୍କ ହାତକୁ ଯିବାପରଠାରୁ କର୍ମଚାରୀଙ୍କ ଛଟେଇ, ନୀତିଗତ ନିଷ୍ପତ୍ତିରେ ବ୍ୟତିକ୍ରମ ଭଳି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରକରି ଅଧିକାଂଶ ବିଜ୍ଞାପନଦାତା କମ୍ପାନୀରୁ ମୁହଁ ଫେରାଇ ନେଇଛନ୍ତି । ରିସର୍ଚ୍ଚ ଫାର୍ମ ‘ପାଥ୍‌ମାଟିକ୍‌ସ’ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ ମସ୍କ୍ ଦାୟିତ୍ୱ ନେବାପରଠାରୁ ଶ୍ରେଷ୍ଠ ୩୦ ମଧ୍ୟରୁ ୧୪ ବିଜ୍ଞାପନଦାତା ଟ୍ୱିଟରକୁ ବିଜ୍ଞାପନ ଦେବା ବନ୍ଦ କରିସାରିଛନ୍ତି । ଆଉ କେତେକ ବିଜ୍ଞାପନଦାତା ଟ୍ୱିଟର ସହ ବ୍ୟବସାୟିକ କାରବାରକୁ କାଣ୍ଟ୍‌ଛାଣ୍ଟ୍ କରିଥିବା ରିପୋର୍ଟରେ ଦର୍ଶାଯାଇଛି । ଟ୍ୱିଟରରେ ଉପଭୋକ୍ତାମାନେ ସେମାନଙ୍କ ନିର୍ଦ୍ଧାରିତ ସମୟଠାରୁ ହାରାହାରି ୩୪ ମିନିଟ କମ ସମୟ ଦେଉଥିବା ଜଣାପଡିଛି । ଫଳରେ ଟ୍ୱିଟରର ଲୋକପ୍ରିୟତା ନିଗ୍ନଗାମୀ ହେବାରେ ଲାଗିଛି । ସୂଚନାଯୋଗ୍ୟ ମସ୍କ୍ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking