16.1 C
Bhubaneswar
Tuesday, November 26, 2024
Homeଓଡିଶାକର୍ଣ୍ଣାଟକରେ ତୁଟୁନି ମୁଖ୍ୟମନ୍ତ୍ରୀ ମନୋନୟନ ବିବାଦ; ଦିଲ୍ଲୀରେ ସିଦ୍ଧରମେୟା, ଜିଦ୍‌ରେ ଅଟଳ ଶିବକୁମାର

କର୍ଣ୍ଣାଟକରେ ତୁଟୁନି ମୁଖ୍ୟମନ୍ତ୍ରୀ ମନୋନୟନ ବିବାଦ; ଦିଲ୍ଲୀରେ ସିଦ୍ଧରମେୟା, ଜିଦ୍‌ରେ ଅଟଳ ଶିବକୁମାର

ବେଙ୍ଗାଲୁର: ସଦ୍ୟସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରି କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ୨୨୪ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ସର୍ବାଧିକ ୧୩୫ ଆସନ ମିଳିଥିବାବେଳେ ବିଜେପିକୁ ୬୬ ଏବଂ ଜେଡିଏସ୍‌କୁ ୧୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ କେନ୍ଦ୍ରକରି ରାଜ୍ୟ କଂଗ୍ରେସରେ ବିବାଦୀୟ ସ୍ଥିତି ଉପୁଜିଛି ।

ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ଆସନ ଅଳଙ୍କୃତ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପଟରେ ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ଡି.କେ.ଶିବକୁମାର ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି । କଂଗ୍ରେସର ବିପୁଳ ବିଜୟ ପାଇଁ ଉଭୟ ନେତା ନିଜର ଅବଦାନକୁ ଦାୟୀ କରିଛନ୍ତି । ଶିବକୁମାର ସୋମବାର ନିଜର ଜନ୍ମଦିନ ପାଳନ କରିବା ଅବସରରେ କହିଛନ୍ତି ଯେ ତାଙ୍କ ପଛରେ ୧୩୫ ବିଧାୟକଙ୍କର ସମର୍ଥନ ରହିଛି ।

ବିଜେପିକୁ କ୍ଷମତାରୁ ହଟାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ସେ ଦାବି କରିଛନ୍ତି । ଏପରିକି ଅତୀତରେ ଏଚ.ଡି.କୁମାରସ୍ୱାମୀଙ୍କ ସରକାରରୁ ୨୦ ଜଣ ବିଧାୟକ ବିଜେପିକୁ ଲମ୍ଫପ୍ରଦାନ କରିବାରୁ ମେଣ୍ଟ ସରକାର (କଂଗ୍ରେସ+ଜେଡିଏସ୍‌) ପତନ ଘଟିଥିଲା । ଏହାପରଠାରୁ କଂଗ୍ରେସର ପୁନର୍ଗଠନ ପାଇଁ ସେ ହିଁ ମୁଖ୍ୟତଃ ଦାୟୀ ଯାହାଫଳରେ କଂଗ୍ରେସ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ସୋନିଆ ଗାନ୍ଧୀଙ୍କର ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଛି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକ୍‌ଦାର । ଅପରପକ୍ଷରେ ହାଇକମାଣ୍ଡଙ୍କୁ ଭେଟିବାକୁ ସିଦ୍ଧରମେୟା ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି ।

ସୋମବାର ଶିବକୁମାର ମଧ୍ୟ ଦିଲ୍ଲୀ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଜନ୍ମଦିନ ପାଳନ କରିବା ପାଇଁ ସେ ବେଙ୍ଗାଲୁରୁରେ ରହିଛନ୍ତି । ଏହା ଶେଷକରି ସେ ଖୁବଶୀଘ୍ର ଦିଲ୍ଲୀ ଯିବେ ବୋଲି ଶିବକୁମାର କହିଛନ୍ତି । ସିଦ୍ଧରମେୟା ଓ ତାଙ୍କର କେତେକ ସମର୍ଥକ ବିଧାୟକ ଦିଲ୍ଲୀରେ ସୋନିଆ, ରାହୁଲ, ପ୍ରିୟଙ୍କା ଓ ଖଡ୍‌ଗେଙ୍କୁ ଭେଟି ସେମାନଙ୍କର ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ମନୋନୟନ ପ୍ରସଙ୍ଗରେ ହାଇକମାଣ୍ଡ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଉଭୟ ସିଦ୍ଧରମେୟା ଓ ଶିବକୁମାର ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ ରବିବାର ବେଙ୍ଗାଲୁରୁର ଏକ ହୋଟେଲରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ସାଧାରଣ ସମ୍ପାଦକ ସିଶୀଲ କୁମାର ସିନ୍ଦେ, ଦୀପକ ବାବାରିଆ ଓ ଜିତେନ୍ଦ୍ର ସିଂହ ଅଲୱାର ଏଥିରେ ପର୍ଯ୍ୟବେକ୍ଷକଭାବେ ଯୋଗଦେଇଥିଲେ ।

ଉଭୟ ସିଦ୍ଧରମେୟା ଓ ଶିବକୁମାରଙ୍କ ସମର୍ଥକ ବିଧାୟକମାନେ ସେମାନଙ୍କ ନେତାଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ପର୍ଯ୍ୟବେକ୍ଷକମାନେ ମଧ୍ୟ ନବନିର୍ବାଚିତ ଦଳୀୟ ବିଧାୟକଙ୍କ ମତାମତ ସଂଗ୍ରହ କରି ହାଇକମାଣ୍ଡଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଅବଶ୍ୟ ୨୦୨୧ରେ ପଞ୍ଜାବରେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା ।

କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ହଟାଇ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇଥିଲା । ଫଳରେ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଧୁଳି ଚାଟିବାକୁ ବାଧ୍ୟ ହୋଇଥିବାବେଳେ ଆପ୍ କ୍ଷମତା ମାଡିବସିଥିଲା । କର୍ଣ୍ଣାଟକରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଧରମେୟା ଓ ଶିବକୁମାରଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା ।

ଏହି ପରିପ୍ରେକ୍ଷୀରେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି କଂଗ୍ରେସ ଶିବିର ଆଶାବ୍ୟକ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking