ମୁମ୍ବାଇ : ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ରବିବାର ତୁନିଷାଙ୍କ ସହ ଅଭିନେତା ତଥା ପ୍ରେମିକ ସିଜାନ୍ ଖାନ୍ଙ୍କୁ ଗିରଫ କରିସାରିଛି । ଜାମିନ ନାମଞ୍ଜୁର ହେବାପରେ ସିଜାନ୍ଙ୍କୁ ୪ ଦିନ ପାଇଁ ପୁଲିସ ରିମାଣ୍ଡକୁ ପଠାଯାଇଛି । ସୋମବାର ଜେରା ସମୟରେ ସିଜାନ୍ ପୁଲିସକୁ କେତେକ ଚାଞ୍ଚଲ୍ୟକର ବୟାନ ଦେଇଥିବା ପ୍ରକାଶ । ଶନିବାର ତୁନିଷା ସୁଟିଂ ସେଟ୍ରେ ଆତ୍ମହତ୍ୟା କରିଥିଲେ । ତେବେ ଏହାର କିଛିଦିନ ପୂର୍ବରୁ ମଧ୍ୟ ତୁନିଷା ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସେ ତାଙ୍କୁ ବଞ୍ଚାଇଥିବା ସିଜାନ୍ କହିଛନ୍ତି । ଏଥିସହିତ ତୁନିଶାଙ୍କ ଗତିବିଧି ଉପରେ ନଜର ରଖିବାକୁ ସେ କୁଆଡେ ତୁନିଷାଙ୍କ ମାଆଙ୍କୁ ଅନୁରୋଧ କରିଥିବା ସିଜାନ୍ କହିଛନ୍ତି । ଶ୍ରଦ୍ଧା ୱାକର-ଅଫ୍ତାବ୍ ପୁନାୱାଲା ଘଟଣାକୁ ନେଇ ଦେଶରେ ଦେଖାଦେଇଥିବା ପରିସ୍ଥିତିରେ ସେ ନିଜକୁ ଅତ୍ୟନ୍ତ ବିବ୍ରତ ମନେ କରିଥିଲା । ଫଳରେ ପ୍ରେମ ସମ୍ପର୍କକୁ ଆଉ ଆଗକୁ ନ ବଢାଇ ତୁନିଷାଙ୍କ ସହ ବ୍ରେକ୍ଅପ୍ ପାଇଁ ନିଷ୍ପତ୍ତି ନେଇଥିଲା ବୋଲି ସିଜାନ୍ ପୁଲିସ ଆଗରେ ସ୍ୱୀକାର କରିଛି ।
ଶ୍ରଦ୍ଧା ୱାକର ହତ୍ୟା ଘଟଣାକୁ ହିନ୍ଦୁ ସଂଗଠନଗୁଡିକ ‘ଲଭ୍ ଜିହାଦ୍’ ଆଖ୍ୟା ଦେଉଥିବାରୁ ସେ ମାନସିକସ୍ତରରେ ଭାଙ୍ଗି ପଡିଥିବା ସିଜାନ୍ କହିଛି । ତେବେ ସିଜାନ୍ଙ୍କ ଏହି ବୟାନକୁ ତୁନିଷାଙ୍କ କକା ପବନ ଶର୍ମା ଖଣ୍ଡନ କରିଛନ୍ତି । ଏକାଧିକ ଯୁବତୀ ଓ ମହିଳାଙ୍କ ସହ ସିଜାନ୍ଙ୍କ ସମ୍ପର୍କ ରହିଥିବା ଜାଣିବାପରେ ବିଚଳିତ ହୋଇ ତୁନିଷା ଆତ୍ମହତ୍ୟା କରିଛନ୍ତି ବୋଲି ପବନ ପାଲଟା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସିଜାନ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ତୁନିଷାଙ୍କ ମାଆ ବନିତା ଶର୍ମା ଦାବି କରିଛନ୍ତି । ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ସତ୍ତ୍ୱେ ସିଜାନ୍ ତାଙ୍କ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ବଜାୟ ରଖିଥିଲା । ତୁନିଷା ଏହାର ପ୍ରତିବାଦ କରିବାପରେ ସିିଜାନ୍ ବ୍ରେକ୍ଅପ୍ ପାଇଁ ତୁନିଷାଙ୍କୁ ବାଧ୍ୟ କରିଥିଲା । ଫଳରେ ତୁନିଷା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ବୋଲି ବନିତା କହିଛନ୍ତି ।