ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ପୁଣିଥରେ ଭାରତକୁ ନାଲିଆଖି ଦେଖାଇବାକୁ ଚେଷ୍ଟା କରିଛନ୍ତି। ଟ୍ରମ୍ପ୍ ଭାରତ ଉପରେ ପୁଣି ବର୍ଦ୍ଧିତ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଥିବା ନେଇ ଇଙ୍ଗିତ କରିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡା ସାର ସମେତ ବିଦେଶୀ କୃଷି ଉତ୍ପାଦ ଉପରେ ନୂତନ ଶୁଳ୍କ ଲାଗୁ କରିବା ବିଷୟରେ ବିଚାର କରୁଛି। ତେବେ ଏହାକୁ ଇଙ୍ଗିତ ନୁହେଁ ବରଂ ଏକ ଧମକ ଭାବେ ଭାରତ ଦେଖିବା ଆରମ୍ଭ କରିଛି। ରିପୋର୍ଟ ଅନୁସାରେ ହ୍ୱାଇଟ୍ ହାଉସ୍ରେ ଅନୁଷ୍ଠିତ ଏକ ବୈଠକରେ ଟ୍ରମ୍ପ୍ ଆମେରିକୀୟ ଚାଷୀମାନଙ୍କ ଅଭିଯୋଗ ଶୁଣିବା ପରିପ୍ରେକ୍ଷୀରେ ଏପରି କହିଛନ୍ତି।
ଟ୍ରମ୍ପ୍ଙ୍କ କହିବାନୁସାରେ ଭାରତ ଆମେରିକାକୁ ଶସ୍ତା ଚାଉଳ ପଠାଉଛି, ଯାହାକି ଆମେରିକୀୟ ଚାଷୀ ଏବଂ ବ୍ୟବସାୟୀଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉଛି। ଆମେରିକୀୟ ଚାଷୀ କିଣିବା ପାଇଁ ଖର୍ଚ୍ଚ କରୁଥିବା ଅର୍ଥ ମଧ୍ୟ ନିଜ ଉତ୍ପାଦିତ ଶସ୍ୟରୁ ଭରଣା କରିପାରୁନାହାନ୍ତି। ଅର୍ଥାତ୍ ଭାରତରୁ ଆମଦାନୀ ଚାଉଳ ମୂଲ୍ୟ ଆମେରିକୀୟ ବଜାରରେ ମାତ୍ରାଧିକ ଶସ୍ତା ରହୁଥିବା ଯୋଗୁ ସ୍ଥାନୀୟ ଚାଷୀମାନେ ନିଜ ଶସ୍ୟରୁ ଉଚିତ୍ ମୂଲ୍ୟ ମଧ୍ୟ ପାଇପାରୁନାହାନ୍ତି। ଏପରି କରି ଭାରତ ଆମେରିକା ସହ ଚିଟିଂ କରୁଛି। ସେହିପରି ଭିଏତ୍ନାମ ଏବଂ ଥାଇଲାଣ୍ଡ ଭଳି ଦେଶ ମଧ୍ୟ ଆମେରିକାକୁ ଶସ୍ତା ଚାଉଳ ରପ୍ତାନୀ କରୁଛନ୍ତି। ଅନ୍ୟପକ୍ଷେ କାନାଡାରୁ ଆସୁଥିବା ରସାୟନିକ ସାର ମୂଲ୍ୟ ମଧ୍ୟ ସ୍ଥାନୀୟ ବଜାର ମୂଲ୍ୟ ତୁଳନାରେ କମ୍ ରହୁଛି। ସୁତରାଂ ଏଠିକାର ସାର କମ୍ପାନୀଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ସୁତରାଂ ଆମେରିକା ଏବେ ଭାରତ, ଭିଏତ୍ନାମ ଏବଂ ଥାଇଲାଣ୍ଡ୍ରୁ ଆସୁଥିବା ଚାଉଳ ଏବଂ କାନାଡାରୁ ଆସୁଥିବା ସାର ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ବିଚାର କରୁଛି। ପ୍ରକାଶ, ଟ୍ରମ୍ପ ନିଜ ଦେଶର ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ୧୨ ବିଲିଅନ ଡଲାରର ଏକ ପ୍ରମୁଖ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଚୀନ୍ ସମେତ ଅନେକ ଦେଶ ସହିତ ଆମେରିକାର ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁଁ ଏଠାରେ ଫସଲ ମୂଲ୍ୟ ହ୍ରାସ ପାଇଛି ଏବଂ ଆମେରିକୀୟ ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି, ତେଣୁ ଏହି ପଦକ୍ଷେପ ନିଆଯାଇଛି।
ଆଲୋଚନା କାଳରେ ଆମେରିକୀୟ ଚାଷୀମାନେ ଟ୍ରମ୍ପ୍ଙ୍କୁ କହିଥିଲେ ଯେ, କିଛି ଦେଶ ଆମେରିକା ବଜାରରେ କମ୍ ମୂଲ୍ୟରେ ଚାଉଳ ବିକ୍ରି କରୁଛନ୍ତି, ଯାହା ଫଳରେ ଘରୋଇ ଚାଷୀମାନଙ୍କୁ ବହୁତ କ୍ଷତି ହେଉଛି। ଟ୍ରମ୍ପ୍ ଏହାର ଉତ୍ତର ଦେଇ କହିଥିଲେ ଯେ, “ସେମାନେ ଆମକୁ ଠକୁଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ ଏସବୁ ଦେଶଗୁଡ଼ିକ ବିରୋଧରେ ଅତିରିକ୍ତ ଶୁଳ୍କ ଲାଗୁ କରାଯିବ। ଟ୍ରମ୍ପ୍ ଏହାକୁ “ଡମ୍ପିଂ’ ବୋଲି ଅଭିହିତ କରିଛନ୍ତି ଏବଂ କହିଛନ୍ତି ଯେ ଏପରି ହେବା ଉଚିତ୍ ନୁହେଁ। ଡମ୍ପିଂର ଅର୍ଥ ହେଉଛି ଏକ ଦେଶ ଅନ୍ୟ ଦେଶକୁ ବହୁତ କମ୍ ମୂଲ୍ୟରେ ସାମଗ୍ରୀ ବିକ୍ରୟ କରିଥାଏ। ଏହି ମୂଲ୍ୟ ଏତେ କମ୍ ଯେ ସ୍ଥାନୀୟ କମ୍ପାନୀ ଏବଂ ଚାଷୀମାନେ ସେହି ମୂଲ୍ୟରେ ସାମଗ୍ରୀ ଉତ୍ପାଦନ କରିପାରିବେ ନାହିଁ। ତେବେ ଯଦି ଟ୍ରମ୍ପ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲଗାନ୍ତି, ତେବେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଚାଉଳ ଯଥେଷ୍ଟ ମହଙ୍ଗା ହୋଇଯିବ। ଅନ୍ୟପକ୍ଷେ ଭାରତୀୟ ଚାଷୀ ଏବଂ ରପ୍ତାନିକାରୀ ମଧ୍ୟ ଏଥିଯୋଗୁ କ୍ଷତି ସହିପାରନ୍ତି। କାରଣ ସେଠିକାର ବଜାରରେ ଭାରତୀୟ ଚାଉଳ ମୂଲ୍ୟରେ ବୃଦ୍ଧି ଆମେରିକା ବଜାରରେ ଭାରତୀୟ ଚାଉଳର ଚାହିଦାକୁ ହ୍ରାସ କରିପାରେ।
ଭାରତ ସମଗ୍ର ବିଶ୍ୱ ଚାହିଦାର ୪୦% ଚାଉଳ ରପ୍ତାନି କରିଥାଏ। ଅର୍ଥାତ୍ ଭାରତ ବିଶ୍ୱର ସର୍ବବୃହତ୍ ଚାଉଳ ରପ୍ତାନିକାରୀ ଦେଶ। ଶସ୍ତା ଘରୋଇ ଚାଉଳ ଏବଂ ବିପୁଳ ସଂରକ୍ଷଣ ଯୋଗୁଁ, ଭାରତ ବିଶ୍ୱର ପ୍ରାୟ ୪୦% ଚାଉଳ ରପ୍ତାନି କରିବାରେ ସମର୍ଥ ହୋଇଆସିଛି। ୨୦୨୨-୨୩ ଆର୍ôଥକ ବର୍ଷରେ, ଭାରତର ମୋଟ୍ ଚାଉଳ ରପ୍ତାନି ପ୍ରାୟ ୧୫ ନିୟୁତ ଟନ୍ରେ ପହଞ୍ଚିଛି। ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଭାରତ କେବଳ ୨୦୨୩ ମସିହାରେ ଆମେରିକାକୁ ପ୍ରାୟ ୨୮୧,୮୭୩ ଟନ୍ ଚାଉଳ ରପ୍ତାନି କରିଥିଲା। ଭାରତ ମୁଖ୍ୟତଃ ଦୁଇ ପ୍ରକାରର ଚାଉଳ ରପ୍ତାନି କରେ: ବାସୁମତୀ ଏବଂ ଅଣ-ବାସୁମତୀ। ପ୍ରକାଶ, ଟ୍ରମ୍ପ୍ ପୂର୍ବରୁ ଭାରତ ଉପରେ ମୋଟ ୫୦% ଶୁଳ୍କ ଲାଗୁ କରିସାରିଛନ୍ତି। ଏଥିମଧ୍ୟରୁ ୨୫% ରୁଷିଆ ତେଲ କ୍ରୟ ଯୋଗୁଁ ହୋଇଛି। ଯଦି ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରନ୍ତି ତେବେ ଏହା ନିଶ୍ଚିତ ରୂପେ ଦୁଇ ଦେଶ ମଧ୍ୟରେ ସୁଧୁରୁଥିବା ସମ୍ପର୍କକୁ ପୁଣିଥରେ ଖରାପ କରିବ।










