ରାଜସ୍ଥାନ: ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭରତପୁରରେ ଏକ ଦ୍ରୁତଗାମୀ ବୋଲେରୋ ପିକଅପ୍ ଟ୍ରକ୍ ଏକ ସ୍କୁଟିକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ସାନ ଭଉଣୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମଥୁରା ଗେଟ୍ ଥାନା ଅଞ୍ଚଳର ମଦରପୁର ରୋଡ୍ ସ୍ଥିତ ଗୋବିନ୍ଦ ନଗର କଲୋନି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପିକଅପ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପିକଅପ୍ ଟ୍ରକ୍ଟି ବିଦ୍ୟୁତ୍ ବିଭାଗ ଦ୍ୱାରା ଅନୁମୋଦିତ କମ୍ପାନୀ ବିଏସଇଏସର ଥିଲା। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟା ୬ଟାରେ ଗୋବିନ୍ଦ ନଗରର ବାସିନ୍ଦା ୩୦ ବର୍ଷୀୟା ରାଖୀ ତାଙ୍କ ପୁଅ ଅଂଶୁମାନ ଏବଂ ଝିଅଙ୍କୁ ଟ୍ୟୁସନରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ମଦରପୁର ରାସ୍ତାରେ ଏକ ବିଏସଇଏସ ବୋଲେରୋ ଗାଡ଼ି ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ୧୧ ବର୍ଷୀୟ ଅଂଶୁମାନ ତଳେ ପଡ଼ିଯାଇ ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲା। ରାଖୀ ନିଜେ ଗୁରୁତର ଆହତ ହୋଇଛନ୍ତି ଏବଂ ଆରବିଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ୭ ବର୍ଷୀୟା ଝିଅ ଆରୁ ସାମାନ୍ୟ ଆଘାତ ପାଇଥିଲେ ମଧ୍ୟ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ବିଦ୍ୟୁତ ବିଭାଗର ଗାଡ଼ିକୁ ପୋଡ଼ି ଦେଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଏବଂ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନିଆଁ ଲିଭାଇଥିଲା। ମୃତକଙ୍କ ମୃତଦେହକୁ ଜିଲ୍ଲା ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।










