31.1 C
Bhubaneswar
Friday, October 18, 2024
Homeଓଡିଶାବିଧାୟକ କଲୋନୀ ପାଇଁ ଗଛ କଟା ମାମଲା; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତି ଜବାବ ଦାଖଲ

ବିଧାୟକ କଲୋନୀ ପାଇଁ ଗଛ କଟା ମାମଲା; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତି ଜବାବ ଦାଖଲ

କଟକ: ଭୁବନେଶ୍ୱରରେ ବହୁତଳ ପ୍ରାସାଦ ବିଶିଷ୍ଟ ବିଧାୟକ କଲୋନୀ ନିର୍ମାଣ ପାଇଁ ବେଆଇନ ଗଛ କଟା ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଆଜି ପ୍ରତିଜବାବ ଦାଖଲ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଆପତ୍ତି କରିଛନ୍ତି ଆବେଦନକାରୀ ।

କଟାଯାଇଥିବା ଓ କଟାଯିବାକୁ ଥିବା ୮୭୦ ଗଛର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଗଠନ ହୋଇଥିବା ବିଶେଷଜ୍ଞ କମିଟିର ସଦସ୍ୟମାନେ ରାଜ୍ୟ ସରକାରଙ୍କଠାରୁ ସ୍ୱାଧୀନ ନୁହନ୍ତି । ଏଣୁ କୋଲକାତା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଆଧାର କରି ଏଠାରେ ହାଇକୋର୍ଟ ଦ୍ୱାରା ନିର୍ଦ୍ଧାରିତ ଏକ ସ୍ୱାଧୀନ କମିଟି ଗଛଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଆବେଦନକାରୀ ପ୍ରତିଜବାବରେ ଦର୍ଶାଇଛନ୍ତି ।

ବାସ୍ତବରେ କେତେ ଗଛ କଟାଯାଇଛି ଓ କେତେ ଗଛ କଟାଯିବାକୁ ଅଛି ଏବଂ କେଉଁଠି ଚାରାରୋପଣ କରାଯାଇଛି ତାର ସ୍ଥିତି ଭିଡିଓଗ୍ରାଫି ଓ ସାଟେଲାଇଟ୍ ଚିତ୍ର ଉତ୍ତୋଳନ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଜୁଲାଇ ୨୧ ତାରିଖକୁ ପରବର୍ତ୍ତି ଶୁଣାଣି ନିମନ୍ତେଧାର୍ଯ୍ୟ କରିଥିବା ଜଣାଯାଇଛି ।

ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରି କଟା ଯାଇଥିବା ଗଛଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ଉପରେ ସତ୍ୟପାଠ ଦାଖଲ କରିଥିଲେ । ଲୋକସେବା ଭବନର ଉପନିର୍ଦ୍ଦେଶକ ଇତିଶ୍ରୀ ରାଉତ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ବିଶେଷଜ୍ଞ କମିଟିରେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର ଚେୟାରମ୍ୟାନ ଅଛନ୍ତି ।

ଏଥିସହ ମେମ୍ବର ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଏହି ସତ୍ୟପାଠ ଉପରେ ପ୍ରତିଜବାବ ଦାଖଲ ନିମନ୍ତେ ହାଇକୋର୍ଟ ଆବେଦନକାରୀ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କୁ ଗତ ଫେବୃୟାରୀ ୨୨ ତାରିଖ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking