ପୁଅକୁ ପ୍ରେମ ଜାଲରେ ଫସାଇଲେ, ହେଲେ ବାପା ସହ ଫେରାର ହୋଇଗଲେ ପ୍ରେମିକା । ବୟଫ୍ରେଣ୍ଡ୍ର ବାପା ସହ ପ୍ରେମିକା ଫେରାର । ଉତ୍ତରପ୍ରଦେଶର କାନପୁରରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଯୁବତୀ ଜଣକ ବୟଫ୍ରେଣ୍ଡ୍ର ବାପାଙ୍କୁ ଭଲପାଇ ବସିଥିଲେ । ଏହାପରେ ଉଭୟ ଘରୁ ପଳାଇ ଯାଇଥିଲେ । ଯୁବତୀଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରିବା ପରେ ପୋଲିସ୍ ତଦନ୍ତ କରିଥିଲା ଓ ପୁରା ଘଟଣା ସାମ୍ନାକୁ ଆସିଥିଲା । ଘରୁ ଫେରାର ହେବାର ବର୍ଷକ ପରେ ଉଭୟଙ୍କୁ ଦିଲ୍ଲୀରୁ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କ ବୟାନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ ସୂଚନା ଦେଇଛି ।
ମିଳିଥିବା ସୂଚନା ଅନୁସାରେ, କାନପୁର ଚକେରି ଅଞ୍ଚଳର କମଲେଶ ନିଜ ୨୦ ବର୍ଷର ପୁଅ ସହ ଔରାୟାକୁ କାମ ପାଇଁ ଯାଇଥିଲେ । ସେଠାରେ କମଲେଶଙ୍କ ପୁଅ ଘର ନିର୍ମାଣ କାମ କରୁଥିଲେ । ଏହି ସମୟରେ ୨୦ ବର୍ଷୀୟ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପୃକ୍ତ ଯୁବତୀ ବେଳେ ବେଳେ ଯୁବକଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଉଥିଲେ । ଯେତେବେଳେ ବୟଫ୍ରେଣ୍ଡ୍ ଘରେ ରହୁନଥିଲେ, ସେତେବେଳେ ଯୁବତୀ ତାଙ୍କ ବାପା କମଲେଶଙ୍କ ସହ କଥାବାର୍ତ୍ତା କରୁଥିଲେ । ଧୀରେ ଧୀରେ ଯୁବତୀ, ବୟଫ୍ରେଣ୍ଡ୍ର ବାପା କମଲେଶଙ୍କୁ ଭଲପାଇ ବସିଲେ । ଏ ସମ୍ପର୍କରେ ନା ତାଙ୍କ ପୁଅ ନା ପରିବାର ଲୋକ କେହିବି ଜାଣିନଥିଲେ ।
୨୦୨୨ ମସିହା ମାର୍ଚ୍ଚରେ କମଲେଶଙ୍କ ସହ ଯୁବତୀ ଫେରାର ହୋଇଯାଇଥିଲେ । ହେଲେ ଏହି ସମୟରେ ତାଙ୍କ ପୁଅ ଘରେ ଥିଲେ । ତେଣୁ ଘର ଲୋକଙ୍କୁ କୌଣସି ସନ୍ଦେହ ହୋଇନଥିଲା । ଏନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଅପହରଣ ଅଭିଯୋଗ କରିଥିଲେ । ହେଲେ ପୋଲିସ୍ ହାତରେ କୌଣସି ସୁରାଗ ଲାଗି ପାରିନଥିଲା, ପ୍ରକୃତରେ ଯୁବତୀ କେଉଁଠି ଅଛନ୍ତି । ପୋଲିସ୍ ଯାଞ୍ଚ ପରେ ଜଣାପଡ଼ିଥିଲା, କମଲେଶଙ୍କ ସହ ଯୁବତୀଙ୍କ କଥାବାର୍ତ୍ତା ଚାଲିଥିଲା । ଯେତେବେଳେ କମଲେଶଙ୍କ ପୁଅକୁ ପୋଲିସ୍ ପଚରାଉଚରା କରିଥିଲା ସେ କହିଥିଲେ, ମୋ ପ୍ରେମିକାକୁ ମୋ ବାପାହିଁ ନେଇ ଯାଇଛନ୍ତି । ଏହାପରେ ପୋଲିସ୍ ଉଭୟଙ୍କୁ ଖୋଜିଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା କମଲେଶ, ଯୁବତୀଙ୍କ ସହ ଦିଲ୍ଲୀରେ ରହିବା ସହ ଏକ ପ୍ୟାକ୍ଟ୍ରିରେ କାମ କରୁଛନ୍ତି । ଏହାପରେ ପୋଲିସ୍ ଦିଲ୍ଲୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା ।