ଇମ୍ଫାଲ୍ : ମଣିପୁର ହିଂସା ଜଡ଼ିତ ମାମଲାର ପଡ଼ୋଶୀ ରାଜ୍ୟ ଆସାମ ଟ୍ରାନ୍ସଫର୍ କରିବାକୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଆଦେଶ ଦେଇଛନ୍ତି । ଏ ନେଇ ସର୍ବୋଚ୍ଚ ଅଦାଲତ ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଜାରୀ କରିଛନ୍ତି । ବେଞ୍ଚ୍ କହିଛନ୍ତି, ମଣିପୁର ହିଂସାରେ ଜଡ଼ିତ ଯେଉଁ ମାମଲାର ସିବିଆଇ ତଦନ୍ତ କରୁଛି, ସେଗୁଡ଼ିକର ଟ୍ରାଏଲ୍ ପାଇଁ ଜଣେ କିମ୍ବା ଏକାଧିକ ସ୍ୱତନ୍ତ୍ର ଜଜ୍ ନିଯୁକ୍ତ କର । କୋର୍ଟ ଏହା ମଧ୍ୟ କହିଛନ୍ତି, ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କ ଉପସ୍ଥିତି ଏବଂ ରିମାଣ୍ଡ୍ ଅନ୍ଲାଇନ୍ ହେବ ।
ଏହା ବ୍ୟତୀତ ଧାରା ୧୬୪ ଅଧୀନରେ ସାକ୍ଷୀ ଏବଂ ପୀଡ଼ିତଙ୍କ ବୟାନ ସ୍ଥାନୀୟ ମାଜିଷ୍ଟ୍ରେଟ୍ଙ୍କ ସାମ୍ନାରେ ମଣିପୁରରେ ହିଁ ରେକର୍ଡ କରାଯିବ । ଏହା ସହିତ ଅଭିଯୁକ୍ତଙ୍କ ବିଚାରବିଭାଗୀୟ କଷ୍ଟଡି ମଧ୍ୟ ମଣିପୁରରେ ହେବ । ସେହିପରି ସିବିଆଇ ମାମଲାର ସୁବିଧାଜନକ ଶୁଣାଣି ନିମନ୍ତେ ଉପଯୁକ୍ତ ଇଣ୍ଟରନେଟ୍ ସେବା ପ୍ରଦାନ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପୀଡ଼ିତ, ସାକ୍ଷୀ ଏବଂ ଅଭିଯୁକ୍ତ କୋର୍ଟରେ ଅନ୍ଲାଇନ୍ ଉପସ୍ଥିତ ହେବାକୁ ରାଜି ନହୁଅନ୍ତି, ତେବେ ବ୍ୟକ୍ତିଗତ ହାଜିର ପାଇଁ ଅନୁମତି ମିଳିବ ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ା, ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ବେଞ୍ଚ୍ ସଲିସିଟର୍ ଜେନେରାଲ୍ ତୁଷାର ମେହେଟାଙ୍କ ପରାମର୍ଶକୁ ମାନି ଏହି ଆଦେଶ ଦେଇଛନ୍ତି । ମଣିପୁର ହିଂସାର ୨୦ଟି ମାମଲାର ତଦନ୍ତ ସିବିଆଇ ୫୩ ଜଣ ଅଧିକାରୀ କରୁଛନ୍ତି । ଏହା ମଧ୍ୟରେ ୨୯ ମହିଳା ଅଧିକାରୀ ସାମିଲ । ସାରା ଦେଶରେ ଥିବା ବିଭିନ୍ନ ସିବିଆଇ ଅଫିସ୍ରୁ ଏହି ଅଧିକାରୀମାନଙ୍କୁ ଏକତ୍ର କରାଯାଇଛି ।
ଅନ୍ୟପକ୍ଷରେ ପୀଡ଼ିତମାନଙ୍କ ଓକିଲ କଲିନ୍ ଗୋନ୍ସାଲ୍ଭେସ୍, ଚନ୍ଦର ଉଦୟ ସିଂହ, ଇନ୍ଦିରା ଜୟସିଂହ ଏବଂ ବୃନ୍ଦା ଗ୍ରୋଭର୍ ମାମଲାଗୁଡ଼ିକୁ ଆସାମ ସ୍ଥାନାନ୍ତର ପ୍ରସ୍ତାବକୁ ନେଇ ଆପତ୍ତି କରିଛନ୍ତି । ଗୋନ୍ସାଲ୍ଭେସ୍ କହିଛନ୍ତି, ଅପରାଧ ଯେଉଁଠି ହେଉଛି ସେଠାରେ ହିଁ ମୋକଦ୍ଦମା ହେବା ଉଚିତ । ପୀଡ଼ିତଙ୍କ ଆସାମ ଯିବାପାଇଁ ବାଧ୍ୟ କରାଯାଇପାରିବ ନାହିଁ । ଇନ୍ଦିରା ଜୟସିଂହ କହିଛନ୍ତି, ସଲିସିଟର୍ ଜେନେରାଲ୍ ପୂର୍ବରୁ ଦେଇଥିବା ଆଶ୍ୱାସନାର ଏହା ବିରୋଧୀ ।
ଇମ୍ଫାଲ୍ ଇଷ୍ଟ ଓ ୱେଷ୍ଟ୍ ଜିଲ୍ଲାରୁ ଗୋଳାବାରୁଦ ଜବତ
ଗୁରୁବାର ରାଜ୍ୟର କେତେକ ସ୍ଥାନରେ ତଲାସୀ ଅଭିଯାନ ଚଳାଇଥିବା ସୁରକ୍ଷାବଳଙ୍କୁ ଇମ୍ଫାଲ୍ ଇଷ୍ଟ ଓ ୱେଷ୍ଟ୍ ଜିଲ୍ଲାରୁ ଚାରିଟି ବନ୍ଧୁକ, ୩୮ ଗୁଳି ଏବଂ ୮ ବୋମା ମିଳିଛି । ମଣିପୁର ପୁଲିସ କଣ୍ଟ୍ରୋଲ୍ ରୁମ୍ରୁ ଜାରୀ ବୟାନ ଅନୁସାରେ, ଇମ୍ଫାଲ୍ ଇଷ୍ଟ୍-ୱେଷ୍ଟ୍ ବ୍ୟତୀତ କାକାଚିଙ୍ଗ୍, କାଙ୍ଗପୋକପି ଏବଂ ଥୋବଲ୍ ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ଏହି ତଲାସୀ ଅଭିଯାନ ଚାଲିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଆନ୍ଦୋଳନକାରୀ ଏକାଠି ହେବାରୁ ରାଜ୍ୟର କେତେକ ସ୍ଥାନରେ ଛୋଟ ଛୋଟ ଘଟଣା ଯୋଗୁଁ ଉତ୍ତେଜନା ଦେଖାଦେଇଥିଲା । ମଣିପୁର ପାହାଡ଼ିଆ ଏବଂ ଘାଟି ଅଞ୍ଚଳରେ ମୋଟ ୧୨୩ ପୋଷ୍ଟ୍ କରାଯାଇଥିଲା । ବିଭିନ୍ନ ଜିଲ୍ଲାରେ ଆଇନ ଉଲ୍ଲଂଘନ କରିଥିବା ୧୫୮୧ ଜଣଙ୍କୁ ପୁଲିସ ଅଟକ ରଖିଥିବା ବୟାନରୁ ଜଣାଯାଇଛି ।
ଅନ୍ୟପକ୍ଷରେ ଗୁରୁବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ରାହୁଲ ଯଦି ଲଦାଖ୍ରେ ଅଛନ୍ତି, ତେବେ ସେ ଲଦାଖ୍ ସମ୍ପର୍କରେ କୁହନ୍ତୁ, ମଣିପୁର ସମ୍ପର୍କରେ ନୁହେଁ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଲଦାଖ୍ରେ ରହି ମଣିପୁର ସମ୍ପର୍କରେ କାହିଁକି ଚିନ୍ତା କରୁଛନ୍ତି । ଆଜି ମଣିପୁରରେ ଯାହା ଘଟୁଛି, ତାହା କଂଗ୍ରେସର ଦାନ । ମାନବ ଜୀବନକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ ।