ଇସାଲାମାବାଦ: ପାକିସ୍ତାନରେ ଯାତ୍ରୀବାହୀ ଟ୍ରେନ ଅପହରଣ । ଟ୍ରେନରେ ପାଖାପାଖି ୫୦୦ ଯାତ୍ରୀ ଥିବା ପ୍ରାଥମିକ ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୨୦ ଜଣଙ୍କୁ ବନ୍ଧକ ରଖାଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । “ଆତଙ୍କବାଦୀଙ୍କ ବିରୋଧରେ ସେନାବାହିନୀ ପକ୍ଷରୁ କୌଣସି ବି ଅଭିଯାନ ହେଲେ ପରିଣାମ ଭୟଙ୍କର ହେବ । ବନ୍ଧକ ଥିବା ସମସ୍ତଙ୍କୁ ହତ୍ୟା କରାଯିବ” ବୋଲି ବାଲୁଚ ଲିବରେସନ ଆର୍ମି ପକ୍ଷରୁ ଚେତାବନୀ ଦିଆଯାଇଛି । ପାକିସ୍ତାନର ଜଣେ ସରକାରୀ ଅଧିକାରୀ ଶାହିଦ ରିନ୍ଦଙ୍କ କହିବା ଅନୁସାରେ, ପାକିସ୍ତାନର ଦକ୍ଷିଣ ପଶ୍ଚିମ ଅଞ୍ଚଳ ବୋଲନ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ଜାଫର ଏକ୍ସପ୍ରେସ ନାମକ ଟ୍ରେନଟି କ୍ୱେଟାରୁ ପେଶାୱାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆଖିବୁଜା ଗୁଳିଚାଳନା କରିଥିଲେ ଆତଙ୍କବାଦୀ । ଫଳରେ ଲୋକୋପାଇଲଟ ଗୁରୁତର ହୋଇଥିଲେ । ଏହାପରେ ଏକ ମରୁଭୂମି ଅଞ୍ଚଳରେ ଟ୍ରେନଟି ଅଟକି ରହିଥିଲା । ସେହି ସମୟରେ ଆତଙ୍କୀମାନେ ଟ୍ରେନକୁ ହାଇଜାକ କରିବା ସହ ଯାତ୍ରୀଙ୍କୁ ପଣବନ୍ଦୀ କରିଛନ୍ତି । ଏହି ଅପହରଣ ପାଇଁ ନିଜକୁ ଦାୟୀ କରିବା ସହ ୬ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିବା ଦାବି କରିଛି ବାଲୁଚ ଲିବରେସନ ଆର୍ମି । ସିବି ସୀମାବର୍ତ୍ତୀ ଅଞ୍ଚଳର ଜଣେ ବରିଷ୍ଠ ପୋଲିସ ଅଧିକାରୀ ନିଜ ପରିଚୟ ଗୋପନ ରଖି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ପାହାଡ଼ ଘେରି ରହିଥିବା ଏକ ସୁଡ଼ଙ୍ଗ ନିକଟରେ ଟ୍ରେନଟି ଫସି ରହିଛି । ଏହି ଅଞ୍ଚଳଟି ଏକ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଆତଙ୍କବାଦୀମାନଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଏଠାରେ ଆକ୍ରମଣ ଯୋଜନା କରିବା ସେମାନଙ୍କ ପାଇଁ ସହଜ ହୋଇଥାଏ।