ଭୁବନେଶ୍ୱର: ଗିରଫ ହେଲେ ତାଳଚେର ଆର୍ଟିଓର ଓଏମ୍ଭିଡି ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର କୁମାର ବେହେରା । ଗୁରୁୂବାର ବିଳମ୍ବିତ ରାତିରେ ଏକ୍ ସ୍କୋଡା କାର ଯୋଗେ ତାଲଚେରରୁ ଅସ୍ତରଙ୍ଗ ଆସୁଥିବା ସମୟରେ ଭୁବନେଶ୍ୱର ବାଲିଅନ୍ତା ନିକଟ ତ୍ରିନାଥ ବାଜାରଠାରେ ତାଙ୍କୁ କାବୁ କରିଥିଲେ ଓଡ଼ିଶା ଭିଜିଲାନ୍ସର ଅଧିକାରୀମାନେ । ତାଙ୍କ ଗାଡ଼ି ଯାଞ୍ଚ ବେଳେ ସେଥିରୁ ୧୧ ଲକ୍ଷ ୧୯ ହଜାର ୧୫୦ ଟଙ୍କା ଜବତ ହୋଇଥିଲା । ସୂଚନା ମୁତାବତ ଶ୍ରୀ ବେହେରା ଅନୁଗୁଳ ଜିଲ୍ଲା ତାଳଚେର ଆରଟିଓରେ ଓଏମଭିଡି ଟ୍ରାଫିକ୍ ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଥିଲେ ।
ସେ ସାଧାରଣ ଲୋକଙ୍କ ଠାରୁ ବେଆଇନ ଅର୍ଥ ଆଦାୟ କରିଥିବା ସମ୍ପର୍କରେ ଖବର ପାଇଥିଲା ଭିଜିଲାନ୍ସ । ତେଣୁ ଶ୍ରୀ ବେହେରାଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ପରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ କାବୁ କରିଥିଲା । ତାଙ୍କ କାରରୁ ମିଳିଥିବା ଟଙ୍କା ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନ ଉତ୍ତର ଦେଇପାରିନଥିଲେ । ତେଣୁ ଉକ୍ତ ଟଙ୍କା ସିଜ୍ କରିବା ସହ ସେ ତାଳଚେରରେ ରହୁଥିବା ଭଡାଘର, ଅସ୍ତରଙ୍ଗରେ ଥିବା ଘର ଏବଂ ପାରଦ୍ୱୀପରେ ତାଙ୍କ ଭାଇ ରହୁଥିବା ଘରେ ଭିଜିଲାନ୍ସର ଟିମ୍ ରେଡ୍ କରିଥିଲା ।
ତାଳଚେର ଘରୁ ୩ ଲକ୍ଷ ୮ ହଜାର ୭୫୦ଟଙ୍କା ସହ ୩୩୬ ଗ୍ରାମ ସୁନା ଭିଜିଲାନ୍ସ ଜବତ କରିଥିଲା । ତା’ସହ ଅସ୍ତରଙ୍ଗରେ ଥିବା ଘରୁ ଭିଜିଲାନ୍ସ ୧୦ ଲକ୍ଷ ଟଙ୍କା ଜବତ କରିଥିଲା । ଏହା ସହ ଶ୍ରୀ ବେହେରାଙ୍କ ନିକଟରୁ ଭିଜିଲାନ୍ସ ସର୍ବମୋଟ ୨୪ ଲକ୍ଷ ୨୭ ହଜାର ୯୦୦ ଟଙ୍କା ଜବତ କରିଛି । ଏହି ଟଙ୍କାର ଉତ୍ସ ବେଆଇନ ପ୍ରମାଣିତ ହେବାରୁ ଭିଜିଲାନ୍ସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।