ବ୍ରହ୍ମପୁର: ମିଟର ରିଡିଂ ନେଉଥିବା ବେଳେ ଆକ୍ରମଣର ଶୀକାର ହୋଇ ପ୍ରାଣ ହରାଇଥିବା ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ପରିବାରକୁ ଟିପିଏସଓଡିଏଲ୍ ପକ୍ଷରୁ ୧୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ ବିବୃତି ଜରିଆରେ ସୂଚନା ଦିଆଯାଇଛି ।
ଏଥିରେ ଉଲ୍ଲେଖ କରାଯାଇଛି ଯେ ଆମର ସମର୍ପିତ ବିଜିନେସ୍ ଆସୋସିଏଟ୍ (ବିଏ) ମିଟର ରିଡର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ସହ ଘଟିଥିବା ଦୁଃଖଦ ଘଟଣାକୁ ନେଇ ଆମେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ । ଏହି ଘଟଣାର ଗଭୀର ପ୍ରଭାବକୁ ଭଲ ଭାବେ ବୁଝିପାରି ଏହି କଠିନ ସମୟରେ ଶ୍ରୀ ତ୍ରିପାଠୀଙ୍କ ପରିବାର ସହିତ ଠିଆ ହେବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି । ଗଭୀର ଚିନ୍ତା ଏବଂ ତାଙ୍କ ଅମୂଲ୍ୟ ଅବଦାନ ପ୍ରତି ସ୍ୱୀକୃତି ଭାବେ ତାଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆମେ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛୁ ।
ପରଲୋକ ଗତ ତ୍ରିପାଠୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବା ଲାଗି ମଧ୍ୟ ଆମେ ସହଯୋଗୀ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛୁ । ଏହି ଦୁଃଖଦ ଘଟଣା ପାଇଁ ଦେଖାଦେବାକୁ ଥିବା ସମ୍ଭାବ୍ୟ ଆର୍ôଥକ ଓ ଆବେଗିକ ଆହ୍ୱାନକୁ ସାମ୍ନା କରିବାରେ ଏହି କ୍ଷତିପୂରଣ ରାଶି ତାଙ୍କ ପରିବାର ପାଇଁ ସହାୟକ ହୋଇପାରିବ । ତାଙ୍କ ପରିବାର ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ଏହି ସହାୟତା ସେମାନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆମେ ଆଶା କରୁଛୁ । ଆମ କର୍ମଚାରୀ ଓ ବିଜିନେସ୍ ଆସୋସିଏଟ୍ଙ୍କ ସୁରକ୍ଷା ପ୍ରତି ଆମେ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛୁ ।
ସେମାନଙ୍କ କଲ୍ୟାଣକୁ ଟିପିଏସ୍ଓଡିଏଲ୍ ପ୍ରାଥମିକତା ପ୍ରଦାନ କରୁଛି ଏବଂ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ବଜାୟ ରଖିବା ପାଇଁ ସ୍ଥାନୀୟ ସମାଜ ଓ କର୍ତ୍ତୃପକ୍ଷଙ୍କ ସହ ସହଯୋଗିତା ସ୍ଥାପନ କରାଯିବ । ଏହି ଶୋକର ବାତାବରଣରେ ସ୍ୱର୍ଗତ ତ୍ରିପାଠୀଙ୍କ ପରିବାରର ଗୋପନୀୟତା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଆମେ ଦୟାକରି ଅନୁରୋଧ କରୁଛୁ । ସେମାନଙ୍କ ପ୍ରତି ଆମର ଭାବନା ଓ ସମବେଦନା ରହିଛି ଏବଂ ଉପଯୋଗୀ ସୂଚନା ଉପଲବ୍ଧ ହେବା ପରେ ଆମେ ତାହା ସୂଚିତ କରିବୁ ।