ଭୁବନେଶ୍ୱର: ଓଡ଼ିଶାରେ ପୂର୍ବାପେକ୍ଷା ବଢ଼ିଛି ଦୁଗ୍ଧ ଉତ୍ପାଦନ । କୋଡ଼ିଏ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ତିନି ଗୁଣ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇଥିଲେ ହେଁ ସର୍ବଭାରତୀୟ ଦୁଗ୍ଧ ଉତ୍ପାଦନ ହାର ଠାରୁ କମ୍ ରହିଛି । ଏପରିକି ମୁଣ୍ଡପିଛା ଦୁଗ୍ଧ ସଂଗ୍ରହରେ ବି ପଛରେ ପଡ଼ିଛି ରାଜ୍ୟ । ତେଣୁ ରାଜ୍ୟ ସରକାର ଗୁଜରାଟ୍ ଓ ମହାରାଷ୍ଟ୍ର ସମକ୍ଷକ ହେବା ପାଇଁ କିଛି ଜରୁରୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଜୁନ ପହିଲା ହେଉଛି ବିଶ୍ୱ ଦୁଗ୍ଧ ଦିବସ । ଏହି ଦିବସ ଅବସରରେ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ କେତେ ଜାଣିବା ଉଚିତ । ରିପୋର୍ଟ ମୁତାବକ ୨୦୦୦-୦୧ରେ ୮.୭୫ ଲକ୍ଷ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିଲା ।
୨୦୧୨-୧୩ରେ ଦୁଗ୍ଧ ଉତ୍ପାଦନ ୧୭.୮୪ ଲକ୍ଷ ମେଟ୍ରଟନ୍ ଦୁଗ୍ଧ ଉତ୍ପାଦନ ହୋଇଛି । ଏହାର କୋଡ଼ିଏ ବର୍ଷ ପରେ ଅର୍ଥାତ ୨୦୨୦-୨୧ରେ ୨୩.୭୩ ଲକ୍ଷ ମେଟ୍ରିକ୍ ଟନ୍ ଦୁଗ୍ଧ ଉତ୍ପାଦନ ହେଲା । ତାହା ପ୍ରାୟ ତିନିଗୁଣା ଅଧିକ ଦୁଗ୍ଧ ଉତ୍ପାଦନ ହୋଇଛି । ହେଲେ ସର୍ବଭାରତୀୟ ସ୍ତରରେ ଦୁଗ୍ଧ ଉତ୍ପାଦନ ୨୦୦୦-୦୧ରେ ୮୦.୬ ନିୟୁତ ଟନ୍ ଥିବାବେଳେ ୨୦୨୦-୨୧ରେ ୨୦୧.୧ ନିୟୁତ ଟନ୍ ରହିଛି । ସେହିପରି ମୁଣ୍ଡପିଛା ଦୁଗ୍ଧ ସଂଗ୍ରହ ପରିମାଣକୁ ଦେଖିଲେ ସର୍ବଭାରତୀୟ ସ୍ତରରେ ୨୦୦୦-୦୧ରେ ୨୧୭ ଗ୍ରାମ ଥିବାବେଳେ ୨୦୨୦-୨୧ରେ ତାହା ୪୪୫ ଗ୍ରାମ ରହିଛି । ହେଲେ ସେଇ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଦୁଗ୍ଧ ସଂଗ୍ରହ ପରିମାଣ ପ୍ରାୟ ୧୮୫ ଗ୍ରାମ ଭିତରେ ରହିଛି । ଏହାକୁ ବୃଦ୍ଧି କରିବାକୁ ହେବ ।
ଓଡ଼ିଶା ସରକାର ଦୁଗ୍ଧ ଉତ୍ପାଦନ ଜାତୀୟ ହାର ସହ ସମତୁଲ କରିବା ପାଇଁ ବିଭିନ୍ନ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ବିଶେଷକରି ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଜରିଆରେ ରାଜ୍ୟର ଉତ୍ସାହୀ ଯୁବକ ଯୁବତୀଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେମାନଙ୍କୁ ନୂତନ ଡାଇରୀ ଫାର୍ମ ଓ ମିଲକ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଯୋଗାଇ ଦିଆଯାଉଛି । କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତ୍ରିମ ପ୍ରଜନନ କରାଯାଉଛି । ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇଥର ଟିକାକରଣ କରାଯାଉଛି ।
ଓଡ଼ିଶା ରାଜ୍ୟ ସମବାୟ ଦୁଧ ଉତ୍ପାଦକ ମହାସଂଘ (ଓମ୍ଫେଡ୍) ମାଧ୍ୟମରେ ରାଜ୍ୟର ପ୍ରାୟ ୩୭୦୦ ଦୁଧ ଉତ୍ପାଦକ ସମବାୟ ସମିତିର ମୋଟ୍ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧ ବିକ୍ରୟ କରିପାରୁଛନ୍ତି । ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୃତ୍ରିମ ପ୍ରଜନନ ଓ ଟୀକା ପ୍ରଦାନ କାରଣରୁ ଦୁଗ୍ଧ ଉତ୍ପାଦନ ବୃଦ୍ଧିର ସହାୟକ ହୋଇଛି । ଲିଙ୍ଗ ନିରୁପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ୱାରା ୯୦% ପର୍ଯ୍ୟନ୍ତ ମାଈ ବାଛୁରି ଜନ୍ମ ହୋଇ ରାଜ୍ୟରେ ଦଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବା ସହିତ ଚାଷୀର ଆୟବୃଦ୍ଧି ଘଟିଛି । ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଦୁଧଚାଷୀଙ୍କ ପାଇଁ ୭୫% ରିହାତି ସରକାର ଯୋଗାଇ ଦିଆଯାଇଛି ।
ଗୋଟିଏ ଡୋଜ ଲିଙ୍ଗ ନିରୁପିତ ଶୁକ୍ରାଣୁର ମୂଲ୍ୟ ୭୧୫ ଟଙ୍କା ହୋଇଫଳରେ ରାଜ୍ୟରେ ଶଙ୍କର ଜାତୀୟ ଗାଇଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୦-୨୧ରେ ୧୪.୩୯୫ ଲକ୍ଷ କୃତ୍ରିମ ପ୍ରଜନନ ଯୋଗୁଁ ୫.୬୩ ଲକ୍ଷ ବାଛୁରି ଜନ୍ମ ହୋଇଛନ୍ତି । ପ୍ରତିଷେଧକ ଓ ରୋଗ ନିରାକରଣ ନିମନ୍ତେ ୩୭୩.୩୪ ଲକ୍ଷ ଟୀକା ବି ଦିଆଯାଇଛି । ୧୦୮.୬୮ ଲକ୍ଷ ଗାଇଗୋରୁଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ଏଥିସହ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ହ୍ରାସ ନିମନ୍ତେ ଚାଷୀମାନେ ସବୁଜ ଘାସ ଚାଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟରେ ୧୮,୯୪୨ ଗୋଟି ଘାସ ମଞ୍ଜି କିଟ୍ ସବୁଜ ଘାସ ଚାଷ ନିମନ୍ତେ ଗୋପାଳକଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି । ଏହି କାରଣରୁ ଦୁଗ୍ଧ ଉତ୍ପାଦନ ଅଭିବୃଦ୍ଧି ପ୍ରାୟ ୧୧.୯୨% ହୋଇଛି । ରାଜ୍ୟ ସରକାର କୃଷି ଓ ତା’ର ଆନୁଷଙ୍ଗିକ କ୍ଷେତ୍ରକୁ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି । ସରକାର ଏଥିରେ ଅନେକ ସଫଳତା ପାଇଛନ୍ତି । ଆହୁରି ଅନେକ ପଥ ଯିବାକୁ ବାକି ରହିଛି । ଯଦି ପ୍ରସ୍ତୁତ ହୋଇଥିବା ଖସଡ଼ା ଯୋଗୁଁ ଏହି ସଫଳତା ଜାରି ରୁହେ ତାହାଲେ ଦୁଗ୍ଧ ଉତ୍ପାଦନରେ ରାଜ୍ୟ ସ୍ୱାବଲମ୍ବୀ ହେବା ନିଶ୍ଚିତ । ଫଳରେ ଗୁଜରାଟ ଭଳି ସଫଳ ଦୁଗ୍ଧ ଉତ୍ପାଦନକାରୀ ରାଜ୍ୟସହ ଓଡ଼ିଶା ସମତୁଲ ହୋଇପାରିବ,ଏଥିରେ ଦ୍ୱିମତର ପ୍ରଶ୍ନ ନାହିଁ ।