ବାର୍ବାଡୋସ୍: ଟେଷ୍ଟ୍ ସିରିଜ୍ ପରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତାକାଲି ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ଟେଷ୍ଟ୍ ସିରିଜ୍ ୧-୦ରେ ଜିତିବା ପରେ ମନୋବଳ ଦୃଢ଼ ଥିବା ଟିମ୍ ଇଣ୍ଡିଆ ଏହି ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି । ବିଶ୍ୱ କପ୍ ପ୍ରସ୍ତୁତି ପାଇଁ ଏହି ସିରିଜ୍ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ସିରିଜ୍ର ପ୍ରଥମ ମ୍ୟାଚ୍ ଗୁରୁବାର ବାର୍ବାଡୋସ୍ର କିଙ୍ଗ୍ଷ୍ଟନ୍ ଓଭାଲ୍ରେ ଖେଳାଯିବ । ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ । ତେବେ ପ୍ରଥମ ଦିନିକିଆ ପାଇଁ ଚୂଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିଛି । ରୋହିତ୍ ଶର୍ମାଙ୍କ ସହିତ କିଏ ଓପ୍ନିଂ କରିବେ ତାହାକୁ ନେଇ ଏବେ ବି ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ରହିଛି । ଟେଷ୍ଟ୍ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସ୍ୱାଲ୍ ସୁଯୋଗ ମିଳିବ କି ଶୁବମାନ୍ ଗିଲ୍ ଇନିଂସ୍ ଓପନ୍ କରିବେ? ଏହା ବ୍ୟତୀତ ଓପ୍ନର୍ ଦୌଡ଼ରେ ଋତୁରାଜ ଗାଏକୱାଡ୍ ମଧ୍ୟ ରହିଛନ୍ତି । ସେହିପରି ଇଶାନ୍ କିଶନ୍ ମଧ୍ୟ ବିକଳ୍ପ ଭାବେ ରହିଛନ୍ତି । ତେବେ ରୋହିତଙ୍କ ସହିତ କିଏ ପଡ଼ିଆକୁ ଆସୁଛନ୍ତି ତାହା ଦେଖିବାକୁ ବାକି ରହିଛି । ସେହିପରି ଈଶାନ୍ କିଶନ୍ ଏବଂ ସଞ୍ଜୁ ସାମ୍ସନ୍ଙ୍କ ମଧ୍ୟରୁ ଜଣକୁ ଚୟନ କରିବା ଟିମ୍ ମ୍ୟାନେଜମେଣ୍ଟ୍ କଷ୍ଟକର ବ୍ୟାପାର ହୋଇପଡ଼ିଛି ।
ଈଶାନ୍ ଟେଷ୍ଟ ସିରିଜ୍ରେ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ସଞ୍ଜୁ ସାମ୍ସନ୍ ଆଇପିଏଲ୍ରେ ଜବରଦସ୍ତ ବ୍ୟାଟିଂ କରିଥିଲେ । ବୋଲିଂରେ ଫାଷ୍ଟ୍ ବୋଲର୍ ଉମରାନ୍ ମଲିକ୍ଙ୍କ ପାଇଁ ଏହା ଆଉ ଏକ ସୁଯୋଗ ହେବ । ସେ ସାତଟି ମ୍ୟାଚ୍ରେ ୧୩ ୱିକେଟ୍ ନେଇସାରିଛନ୍ତି । ସେହିପରି କୁଲଦୀପ ଯାଦବଙ୍କ ପରିବର୍ତ୍ତେ ଏହି ମ୍ୟାଚ୍ରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିବା ପ୍ରାୟତଃ ନିଶ୍ଚିତ । ଫାଷ୍ଟ ବୋଲିଂ ଆକ୍ରମଣର ନେତୃତ୍ୱ ମହମ୍ମଦ ସିରାଜ୍ ସମ୍ଭାଳିବାକୁ ଥିବାବେଳେ ଅନ୍ୟ ବିକଳ୍ପ ଭାବେ ଜୟଦେବ ଉନାଦକତ୍, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ରହିଛନ୍ତି । ଅନ୍ୟପକ୍ଷରେ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିପାରି ନଥିବା ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଭାରତ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରି କ୍ୟାରିବିୟାନ୍ କ୍ରିକେଟ୍କୁ ଜୀବନ୍ତ ରଖିବାକୁ ଚାହିଁବ । ସେହିପରି ଦୁଇବର୍ଷ ପରେ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଥିବା ସିମରୋନ୍ ହେଟ୍ମାୟର୍ ଓ ଓସାନେ ଥୋମାସ୍ଙ୍କ ଉପସ୍ଥିତି ଟିମ୍କୁ ଶକ୍ତିଶାଳୀ କରିବ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମ୍ସନ୍/ଈଶାନ୍ କିଶନ୍, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େନା, କୁଲଦୀପ୍ ଯାଦବ/ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର/ମୁକେଶ କୁମାର, ମହମ୍ମଦ ସିରାଜ୍, ଉମ୍ରାନ୍ ମଲିକ ।
ସମ୍ଭାବ୍ୟ େଓଷ୍ଟ୍ଇଣ୍ଡିଜ୍ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ୍, କିସି କାର୍ଟି, ସିମ୍ରୋନ୍ ହେଟ୍ମାୟର୍, ଶାଇ ହୋପ୍, ଏଲିକ୍ ଏଥିନେଜ୍, କାଇଲ୍ ମେୟର୍ସ, ରୋମାରିଓ ଶେଫର୍ଡ, ଅଲ୍ଜାରୀ ଜୋସେଫ୍, ଜେଡନ୍ ସିଲ୍ସ, କେଭିନ୍ ସିନ୍କ୍ଲେୟର୍, ଓସାନେ ଥୋମାସ୍ ।