ପୁରୀ: ଶ୍ରୀମନ୍ଦିରରେ ବର୍ଷକ ବାର ମାସରେ ତେର ପର୍ବ ପାଳନ କରାଯାଏ । ବର୍ଷ ତମାମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନାନାଦି ବେଶ କରାଯାଉଥିବା ବେଳେ ଆଜି (ରବିବାର) ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତାକାଲି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମହାପ୍ରଭୁଙ୍କ ନବାଙ୍କ ବେଶ କରାଯାଇଥାଏ । ଆଜି ସନ୍ଧ୍ୟା ଆଳତୀ ବେଶରେ ମାଳଚୂଳ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଚାଉଳ ମେଳାଣ ଓ ଫୁଲ ମେଳାଣ ଲାଗି କରାଯିବ ।
ଆଜି ମହାପ୍ରଭୁଙ୍କ ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୂଷଳ, କୁଣ୍ଡଳ ଇତ୍ୟାଦି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଶ୍ରୀଚୈତନ୍ୟ ଦେବ । ପୂର୍ବେ ନବାଙ୍କ ବେଶର ସାମଗ୍ରୀ ଦକ୍ଷିଣ ପାର୍ଶ୍ୱ ମଠ ଯୋଗାଇ ଆସୁଥିଲେ । ଗତ କିଛି ବର୍ଷ ଧରି ସଂପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଉ ନଥିବା ଜଣାଯାଏ । ସମ୍ପ୍ରତ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ବେଶର ସମସ୍ତ ଖର୍ଚ୍ଚ ନିର୍ବାହ କରାଯାଉଛି ।