ତ୍ରିନିଦାଦ: ଚଳିତ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଙ୍ଗଳବାର ଏଠାକାର ବ୍ରାଏନ୍ ଲାରା ଷ୍ଟାଡିୟମ୍ଠାରେ ଖେଳାଯିବ । ପ୍ରଥମ ଦିନିକିଆରେ ଭାରତ ୫ ୱିକେଟ୍ରେ ବିଜୟୀ ହୋଇଥିଲେ ମଧ୍ୟ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଇଣ୍ଡିଜ୍ ୬ ୱିକେଟ୍ରେ ଜିତି ସିରିଜ୍ ବରାବର କରିପାରିଛି । ତେଣୁ ଉଭୟ ଦଳ ମଙ୍ଗଳବାରର ମ୍ୟାଚ୍କୁ ଜିତି ସିରିଜ୍ ହାତେଇବା ସକାଶେ ଉଦ୍ୟମ କରିବେ । ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିବା ପରେ ଭାରତ ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇ ଯୁବ ଖେଳାଳିଙ୍କ ଉପରେ ଭରସା ପ୍ରକଟ କରିଥିଲା ।
କିନ୍ତୁ ରୋହିତ ଓ କୋହଲିଙ୍କ ସ୍ଥାନ ନେଇଥିବା ସଞ୍ଜୁ ସାମ୍ସନ୍ ଓ ଅକ୍ଷର ପଟେଲ୍ ବିଫଳ ରହିଥିଲେ ଓ ଭାରତ ପରାଜୟ ବରଣ କରିଥିଲା । ଟିମ୍ ମ୍ୟାନେଜ୍ମେଣ୍ଟ୍ର ଏପରି ଗବେଷଣାତ୍ମକ ପଦକ୍ଷେପକୁ ଅନେକ କ୍ରିକେଟର୍ ସମାଲୋଚନା କରିଥିଲେ । କିନ୍ତୁ ଶନିବାର ମ୍ୟାଚ୍ ପରେ ଦଳର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହି ଟିମ୍ ମ୍ୟାନେଜ୍ମେଣ୍ଟ୍ର ପଦକ୍ଷେପକୁ ସମର୍ଥନ କରିଥିଲେ । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବଙ୍କୁ ନିୟମିତ ସୁଯୋଗ ମିଳିଆସୁଥିଲେ ମଧ୍ୟ ସେ ତାଙ୍କର ଟି-୨୦ ଫର୍ମକୁ କାଏମ ରଖିବାରେ ବିଫଳ ରହିଛନ୍ତି । ତେଣୁ ଆଗାମୀ ଏସିଆ କପ୍ ଓ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ କାଏମ ରଖିବା ସକାଶେ ନିଜର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଆଣିବାକୁ ପଡ଼ିବ । ସେହିପରି ସାମ୍ସନ୍ଙ୍କ ପାଇଁ ମଧ୍ୟ ଅନ୍ତିମ ଦିନିକିଆଟି ତାଙ୍କ ପ୍ରତିଭା ପ୍ରଦର୍ଶନ ସକାଶେ ଉପଯୁକ୍ତ ସୁଯୋଗ ଆଣିଦେଇଛି । ଚଳିତ ସିରିଜ୍ ପରି ପୂର୍ବରୁ ମଧ୍ୟ ସାମ୍ସନଙ୍କୁ ଏକାଧିକ ବାର ପ୍ରତ୍ୟାବର୍ତ୍ତନ ସୁଯୋଗ ମିଳିଥିଲେ ହେଁ ସେ ଏହାର ଫାଇଦା ଉଠାଇବାରେ ବିଫଳ ରହିଛନ୍ତି ।
କିନ୍ତୁ ଯୁବ ଓପନର ଈଶାନ୍ କିଶନ୍ ଉଭୟ ମ୍ୟାଚ୍ରେ ଅର୍ଦ୍ଧଶତକ କରିବା ସହ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଛନ୍ତି । ସେହିପରି ତାଙ୍କ ଯୋଡ଼ିଦାର ଶୁବମାନ ଗିଲ୍ ତୃତୀୟ ଦିନିକିଆରେ ବଡ଼ ସ୍କୋର୍ କରି ସିରିଜ୍ର ଦୁର୍ବଳ ପ୍ରଦର୍ଶନକୁ ଭୁଲାଇବାକୁ ଉଦ୍ୟମ କରିବେ । ବୋଲିଂରେ ଭାରତୀୟ ଦଳର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମ୍ୟାଚ୍ରେ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କୁ ବ୍ୟାଟିଂରେ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଆଗକୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବାକୁ ଥିବାରୁ ତାଙ୍କୁ ଅନ୍ତିମ ଦିନିକିଆରେ ଏଥିସକାଶେ ପ୍ରସ୍ତୁତି ସୁଯୋଗ ମିଳିବ । ବୋଲିଂ ଲାଇନ୍ରେ ଯୁବ ପେସର୍ ଉମରାନ୍ ମଲିକଙ୍କୁ ଗତ ମ୍ୟାଚ୍ରେ ସାମିଲ୍ କରାଯାଇଥିଲେ ମଧ୍ୟ ସେ କୌଣସି ୱିକେଟ୍ ପାଇ ନଥିଲେ । ଅଧିକ ବେଗରେ ବଲ୍ ପକାଇବାର ଦକ୍ଷତା ପାଇଁ ଉମରାନ୍ଙ୍କୁ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ମୁଖ୍ୟ ଅସ୍ତ୍ର ଭାବେ ଟିମ୍ ମ୍ୟାନେଜ୍ମେଣ୍ଟ୍ ଉପଯୋଗ ପାଇଁ ଉଦ୍ୟମ କରିଆସିଛି । କିନ୍ତୁ ସେ ଅଦ୍ୟାବଧି ତାଙ୍କର ଲାଇନ୍ ଓ ଲେନ୍ଥ ଉପରେ କାବୁ ପାଇପାରିନାହାନ୍ତି । ତେଣୁ ତାଙ୍କୁ ତୃତୀୟ ଦିନିକିଆରେ ନିଜର ପ୍ରଦର୍ଶନରେ ସୁଧାର ଆଣିବାକୁ ପଡ଼ିବ । ତେବେ ଚୀନାମାନ୍ କୁଲଦୀପ ଯାଦବ ଉତ୍ତମ ପ୍ରଦର୍ଶନ ମାଧ୍ୟମରେ ୟୁଜବେନ୍ଦ୍ର ଚହଲ୍ଙ୍କୁ ଦଳକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇନାହାନ୍ତି । ତେଣୁ ଚହଲ୍ ଟି-୨୦ ସିରିଜ୍ରେ ବୋଲିଂ ପାଇଁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି ।
ଅନ୍ୟପକ୍ଷରେ ଇଣ୍ଡିଜ୍ ଉପରେ ଦୀର୍ଘ ୧୭ ବର୍ଷ ପରେ ଭାରତ ବିପକ୍ଷରେ ସିରିଜ୍ ବିଜୟର ଚାପ ରହିବ । ଦଳ ଗତ ୨୦୦୬ଠାରୁ ଭାରତ ବିପକ୍ଷରେ କୌଣସି ଦିନିକିଆ ସିରିଜ୍ରେ ବିଜୟୀ ହୋଇପାରିନାହିଁ । ଅବଶ୍ୟ ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶାଇ ହୋପ୍ଙ୍କ ଅପରାଜିତ ଅର୍ଦ୍ଧଶତକ ସିରିଜ୍ ବିଜୟ ପାଇଁ ଦଳର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି । ବୋଲର୍ଙ୍କ ମଧ୍ୟରେ ସ୍ପିନର୍ ଗୁଡାକେଶ ମୋଟି ଅଦ୍ୟାବଧି ସିରିଜ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଯଥେଷ୍ଟ ସମସ୍ୟା ସୃଷ୍ଟି କରିଥିବା ବେଳେ ପେସର୍ ରୋମାରିଓ ଶେଫର୍ଡଙ୍କ ବୋଲିଂ ଦ୍ୱିତୀୟ ମ୍ୟାଚ୍ରେ ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିଲା ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଈଶାନ୍ କିଶନ୍, ଶୁବମାନ ଗିଲ୍, ସଞ୍ଜୁ ସାମ୍ସନ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ୍ ଠାକୁର, କୁଲଦୀପ ଯାଦବ, ଉମରାନ୍ ମଲିକ ଓ ମୁକେଶ କୁମାର ।
ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ୍, କାଇଲ୍ ମାୟେର୍ସ, ଆଲିକ୍ ଆଥାନେଜ୍, ଶାଇ ହୋପ୍ (ଅଧିନାୟକ/ୱିକେଟ୍କିପର୍), ଶିମରୋନ୍ ହେଟମେୟର୍, କିସି କାର୍ଟି, ରୋମାରିଓ ଶେଫର୍ଡ, ୟାନିକ୍ କାରିଆହ, ଆଲ୍ଜାରି ଜୋସେଫ୍, ଗୁଡାକେଶ ମୋଟି ଓ ଜାଡେନ୍ ସିଲ୍ସ ।