ଭୁବନେଶ୍ୱର : ୧୮/୧୨/୨୦୨୦: ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ଡାକରା ଅନୁଯାୟୀ ଡିସେମ୍ବର ୨୦ ତାରିଖରେ ସହୀଦ୍ କୃଷକ ଯୋଦ୍ଧାମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ “ଜାତୀୟ ଶ୍ରଦ୍ଧାଞ୍ଜଳୀ ଦିବସ” ପାଳନ କରାଯିବ । ଓଡିଶାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି, ଓଡିଶା ରାଜ୍ୟ ଆବାହକମଣ୍ଡଳୀ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ନିବେଦନ କରାଯାଇଛି । କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ କୁହାଯାଇଛି ଯେ ଡିସେମ୍ବର ୨୦ ତାରିଖରେ ସାରା ଓଡିଶାରେ ଗ୍ରାମ/ପଞ୍ଚାୟତ/ବ୍ଳକ୍/ସହର ଏବଂ ରାଜ୍ୟ ରାଜଧାନୀରେ ଏହି କାର୍ଯ୍ୟକ୍ରମ ସଂଗଠିତ କରାଯିବ । ବର୍ତ୍ତମାନ ସୁଦ୍ଧା ‘ଦିଲ୍ଲୀ ଚଲ୍ଲୋ’ କୃଷକ ଆନ୍ଦୋଳନରେ ୩୧ ଜଣ କୃଷକ ଯୋଦ୍ଧା ଶହୀଦ୍ ହୋଇଛନ୍ତି । ସାରା ରାଜ୍ୟରେ ଏହି ଶହୀଦ୍ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଜାରୀ ରହିଛି । ରାଜ୍ୟ ତମାମ ଧାରଣା, ଗଣ ଅନଶନ, କ୍ୟାଣ୍ଡେଲ୍ ଲାଇଟ୍ ଯାତ୍ରା, ସଭା ଇତ୍ୟାଦି ସଂଗଠିତ କରାଯିବ । ରାଜଧାନୀ ଭୁବନେଶ୍ୱରରେ ମହାତ୍ମାଗାନ୍ଧୀ ମାର୍ଗଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଦିଲ୍ଲୀ ଚଲ୍ଲୋ କୃଷକ ଆନ୍ଦୋଳନ ସହିତ ସଂପୃକ୍ତ ସମସ୍ତ କୃଷକ ସଂଗଠନ ଏବଂ ସଂହତି ତଥା ସମର୍ଥନ ଜଣାଇଥିବା ଶ୍ରମିକ , ମହିଳା , ଯୁବ-ଛାତ୍ର, ଆଦିବାସୀ, ଦଳିତ , ରାଜନୈତିକ ଦଳ ଏବଂ ଜନବାଦୀ ବୁଦ୍ଧିଜିବୀମାନେ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି ।
ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା – ତରଫରୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, କ୍ଷୀରୋଦ କୁମାର ସିଂହଦେଓ, ଅଶୋକ ପ୍ରଧାନ, ଜ୍ୟୋତି ରଞ୍ଜନ ମହାପାତ୍ର, ଭାଲଚନ୍ଦ୍ର ଷଡଙ୍ଗୀ, ଶଙ୍କର ସାହୁ, ଶ୍ରୀକାନ୍ତ ମହାନ୍ତି, ରଘୁନାଥ ଦାସ, ପ୍ରଫୁଲ୍ଲ ସାମନ୍ତରାୟ, ଲିଙ୍ଗରାଜ , ନରେନ୍ଦ୍ର ମହାନ୍ତି, ସଚୀନ୍ ମହାପାତ୍ର, ସିମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ବଳଭଦ୍ର ମାଝୀ ଏବଂ ବିରଞ୍ôଚ ବରିହା ପ୍ରମୁଖ କୃଷକ ନେତୃବୃନ୍ଦ ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।