14.1 C
Bhubaneswar
Friday, December 19, 2025
Homeଓଡିଶାକୂଳ ଲଙ୍ଘିଲା ଜୁଆର: ଗାଁ ଭିତରେ ପଶିଲା ସମୁଦ୍ର ପାଣି

କୂଳ ଲଙ୍ଘିଲା ଜୁଆର: ଗାଁ ଭିତରେ ପଶିଲା ସମୁଦ୍ର ପାଣି

ଜଗତସିଂହପୁର: ଦୀର୍ଘଦିନ ଧରି ଲଘୁଚାପ ଲାଗି ରହିବା ନେଇ ବଙ୍ଗୋପସାଗର ଅଶାନ୍ତ ହୋଇଉଠିଛି। ହଠାତ୍ ଉଚ୍ଚ ଉଚ୍ଚ ଜୁଆର ଆସି କୂଳ ଲଙ୍ଘିବା ସହ ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଏରସମା ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଶିଆଳୀ ବେଳାଭୂମି ଏବେ ସମୁଦ୍ରରେ ଲୀନହେବାକୁ ବସିଛି। ଉକ୍ତ ବେଳାଭୂମିରେ ନିର୍ମାଣ ହୋଇଥିବା ଷ୍ଟେଜ୍‌, ଦୋକାନ ବଜାର, ଝାଉଁବଣ ଓ ବେଳାଭୂମିକୁ ଲାଗିକରି ଥିବା ଗାଁଗୁଡ଼ିକରେ ସମୁଦ୍ର ପାଣି ପଶିବା ଯୋଗୁ ଦୋକାନୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଏଥିସହିତ ବହୁ ଝାଉଁବଣ ଲୋପ ପାଇଯାଇଛି।

୧୯୯୯ ମସିହା ମହାବାତ୍ୟା ପରେ ଏହି ବେଳାଭୂମି ଲୋକଲୋଚନକୁ ଆସିଥିଲା। ଏରସମାବାସୀଙ୍କ ଅନୁରୋଧ ଓ ଏରସମା ବ୍ଲକର ତତ୍କାଳୀନ ବ୍ଲକ୍ ଉନ୍ନୟନ ଅଧିକାରୀ ମୁରଲୀଧର ସ୍ୱାଇଁଙ୍କ ଯୋଗୁ ଏହାର ଉନ୍ନତିକରଣ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବାଲିକୁଦା -ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପ୍ରଚେଷ୍ଟା ଫଳରେ ଏହି ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିଲା। ସେହି ସମୟରେ ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ନିମନ୍ତେ ସମୁଦ୍ର କୂଳଠାରୁ ଏକକିମି ଦୂରରେ ଅର୍ଥାତ୍ ବେଳାଭୂମିକୁ ଲାଗିକରି ଏକ ବିଶ୍ରାମାଗାର ସହିତ ପର୍ଯ୍ୟଟକମାନେ ସମୁଦ୍ରର ଜୁଆର ଓ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ନିମନ୍ତେ ଏକ ଭିୟୁ ଟାୱାର୍ ନିର୍ମାଣ କରାଯାଇଥିଲା। ପରବର୍ତ୍ତି ସମୟରେ ପ୍ରତିବର୍ଷ ଅମାବାସ୍ୟା, ଲଘୁଚାପ ସମୟରେ ସମୁଦ୍ର ଅଶାନ୍ତ ହେବା ନେଇ ବଡ଼ ବଡ଼ ଜୁଅର ମାଡ଼ି ଆସି କୂଳ ଖାଇବାରେ ଲାଗିଲା। ଯାହାକୁ ନେଇ ବେଳାଭୂମି ଓ ଭିୟୁ ଟାୱାର୍‌ର ସୁରକ୍ଷା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ବ୍ୟୟ କରାଯାଇ ସେଠାରେ ସିମେଣ୍ଟ ଢଳେଇ କରାଯାଇ ବିରାଟ ବନ୍ଧ କରାଗଲା। ତାହା ମଧ୍ୟ କାଳକ୍ରମେ ଜୁଆରରେ ଲୋପ ପାଇଲା। ଯାହାକୁ ନେଇ ସେଠାରେ ଅସ୍ଥାୟୀ ଭାବେ କାଠ ଓ ବାଉଁଶ ଦ୍ୱାରା ଜାଫ୍ରି କରାଗଲା। ସେ ମଧ୍ୟ ଜୁଆରରେ ଲୋପ ପାଇବା ସହିତ ଭିୟୁ ଟାୱାର୍ ଭଶୁୁଡିବାରେ ଲାଗିଲା। ତେବେ ଏହାର ପ୍ରତିକାର କରଯିବା ପରିବର୍ତ୍ତେର୍ ଜିଲ୍ଲା ପ୍ରଶାସନ ଭିୟୁ ଟାୱାର୍‌କୁ ଅନ୍‌ସେଭ୍ ଘୋଷଣା କରି ଗତବର୍ଷ ତାହାକୁ ଭାଙ୍ଗି ଦିଆଯାଇଥିଲା। ତେବେ ଦିନକୁ ଦିନ ଜୁଆର ଗାଁ ମୁହାଁହେବା ସହିତ ଆଜି ମଧ୍ୟ ଜୁଅର ମାଡ଼ି ଆସିବା ନେଇ କୂଳକୁ ଲାଗିକରି ଥିବା ଗାଁର ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି।

ତେବେ ଏ ସମ୍ପର୍କରେ ପଦ୍ମପୁର ପଞ୍ଚାୟତର ଲୋକପ୍ରତିନିଧି କେଶବ ଚନ୍ଦ୍ର ପାତ୍ର କୁହନ୍ତି, ଏ ସମ୍ପର୍କରେ ବହୁ ଅଭିଯୋଗ କରାଯାଇଛି। ସୁରକ୍ଷା ନିମନ୍ତେ ପୂର୍ବରୁ କୂଳରେ ଯେତିକି ଝାଉଁବଣ ସୃଷ୍ଟି ହୋଇଥିଲା, ସେଥିରୁ ମାଫିଆମାନେ ବହୁ କାଠ ଲୁଟିନେବା ସହିତ ଅନେକ ଜୁଆରରେ ନଷ୍ଟ ହୋଇଯାଇଛି। ଆବଶ୍ୟକ ମୁତାବକ ସେଠାରେ ଜଙ୍ଗଲ କି ହେନ୍ତାଳ ବଣ ନାହିଁ କି ଜଙ୍ଗଲ ସୃଷ୍ଟି କରିବା ପାଇଁ କେହି ପଦକ୍ଷେପ ନେଉନାହାନ୍ତି। ଏହାସହିତ ପର୍ଯ୍ୟଟନସ୍ଥଳୀ ଓ ସମୁଦ୍ର କୂଳରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ କେହି ଚିନ୍ତା କରୁନାହାନ୍ତି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking