ବେତନଟୀ : ବେତନଟୀ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନରେ କଳାମେଘ ଘୋଟି ଆସିବା ସହିତ ପ୍ରବଳ ବେଗରେ ପବନ ବହିଥିଲା । ଏହା ବ୍ୟତୀତ ବିଜୁଳି ଘଡ଼ଘଡ଼ି ସମସ୍ତଙ୍କୁ ଭୟଭୀତ କରିଥିଲା । ପାଖ ବଡ଼ସାହି ବ୍ଲକ୍ର ରଙ୍ଗପାଣି ପଡ଼ିଆରେ ଏକ ତାଳ ଗଛ ଉପରେ ବଜ୍ରପାତ ହେବାରୁ ଏହା ହୁତୁହୁତୁ ହୋଇ ଜଳିଥିଲା । ପାଖରେ ଘରଗୁଡିକ ରହିଥିବାରୁ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଖବର ପାଇ ବେତନଟୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପକ୍ଷରେ ବେତନଟୀ ବାରିପଦା ୧୮ନମ୍ବର ଜାତୀୟ ରାଜପଥ ପାଖରେ ଥିବା ଗଛଗୁଡିକରୁ ଡାଳ ସବୁ ଭାଙ୍ଗି ରାସ୍ତାରେ ପଡ଼ିବା ହେତୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ଭାଙ୍ଗି ପଡ଼ିଥିବା ଡାଳଗୁଡିକୁ କାଟିନେବା ଫଳରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । କେତେକ ସ୍ଥାନରେ ବିଦ୍ୟୁତ ତାର, ଖୁଣ୍ଟ ଓ ଟ୍ରାନ୍ସଫର୍ମର୍ ଉପରେ ଗଛର ଡାଳ ଭାଙ୍ଗି ପଡ଼ିବା ହେତୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ଜଣାପଡ଼ିଛି ।