କର୍ଣ୍ଣାଟକ: କର୍ଣ୍ଣାଟକ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋପ୍ପାଲ ଜିଲ୍ଲାର ସେସେନ୍ସ କୋର୍ଟ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଣେ ଇସ୍ରାଏଲ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ ଓ ଓଡ଼ିଶାର ଜଣେ ପୁରୁଷ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାରେ କୋର୍ଟ ଏପରି ଦଣ୍ଡ ବିଧାନ କରିଛନ୍ତି। ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ୩ ଯୁବକ ହେଲେ ମାଲ୍ଲେଶ, ସାଈ ଓ ଶରନପ୍ପା। ବିଚାରପତି ଏହି ଅପରାଧକୁ ବିରଳରୁ ଅତି ବିରଳ ଭାବେ ଦର୍ଶାଇ ସର୍ବାଧିକ ଦଣ୍ଡ ଦେଇଥିବା କହିଛନ୍ତି। ହାମ୍ପି ନିକଟସ୍ଥ ସାନାପୁରରେ ଥିବା ତୁଙ୍ଗଭଦ୍ରା ବାମ ପାର୍ଶ୍ୱ କେନାଲ ନିକଟରେ ୨୦୨୫ ମସିହା ମାର୍ଚ୍ଚ ୬ ତାରିଖରେ ଘଟିଥିଲା ଏହି ଘଟଣା। ଦୁଇ ମହିଳା- ଇସ୍ରାଏଲ ନାଗରିକ ଓ ଜଣେ ହୋମ ଷ୍ଟେ ଅପରେଟରଙ୍କ ପାଖକୁ ଏହି ୩ ଯୁବକ ଯାଇଥିଲେ। ଏହି ସମୟରେ ଦୁଇ ମହିଳାଙ୍କ ସହ ୩ ପୁରୁଷ ପର୍ଯ୍ୟଟକ ବି ରହିଥିଲେ। ପ୍ରଥମେ ୩ ଯୁବକ ସମସ୍ତଙ୍କୁ ଟଙ୍କା ମାଗିଥିଲେ। ହେଲେ ସେମାନେ ଟଙ୍କା ଦେବାକୁ ମନା କରିବାରୁ ୩ ପୁରୁଷ ପର୍ଯ୍ୟଟକଙ୍କୁ ସେମାନେ ନିକଟସ୍ଥ କେନାଲକୁ ଠେଲି ଦେଇଥିଲେ। ଏହାପରେ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ବିରାଟ କେନାଲରେ ପଡ଼ି ଯାଇଥିବା ଆମେରିକାର ଡାନିଏଲ ଓ ମହାରାଷ୍ଟ୍ରର ପଙ୍କଜ ପହଁରା ଶିଖିଥିବାରୁ ସୁରକ୍ଷିତ ଭାବେ ପାଣିରୁ ବାହାରି ପଡ଼ିଥିଲେ। କିନ୍ତୁ ଓଡ଼ିଶାର ବିବାଶ କେନାଲରେ ନିଖୋଜ ହୋଇଯାଇଥିଲେ। ତାଙ୍କ ମୃତଦେହକୁ ପୁଲିସ୍ ଦିନକ ପରେ ପାଣିରୁ ଉଦ୍ଧାର କରିଥିଲା। ଗଣ ଦୁଷ୍କର୍ମର ଶିକାର ହୋଇଥିବା ୨୯ ବର୍ଷୀୟ ହୋମ ଷ୍ଟେ ମାଲିକ କହିଥିଲେ ଯେ ସେ ଓ ତାଙ୍କର ୪ ଜଣ ଅତିଥି ରାତ୍ର ଭୋଜନ ପରେ ତୁଙ୍ଗଭଦ୍ରାର ବାମ ପାର୍ଶ୍ୱ କେନାଲ ନିକଟକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ରାତି ପ୍ରାୟ ୧୦.୩୦ ହୋଇଥିଲା।
ସେମାନେ ବୁଲାବୁଲି କରିବା ସହ ଗୀତ ଗାଉଥିବା ବେଳେ ୩ ଜଣ ଯୁବକ ବାଇକ ଧରି ସେଠାରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିଥିଲେ ଓ ଏହା ପରେ ଅତିଥିମାନଙ୍କୁ ୧୦୦ ଟଙ୍କା ମାଗିଥିଲେ।ସେମାନେ ଟଙ୍କା ଦେବାକୁ ମନା କରିବାରୁ ୩ ଯୁବକ ମାରପିଟ ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ୩ ଜଣ ପୁରୁଷ ଯାତ୍ରୀଙ୍କୁ ନିକଟସ୍ଥ କେନାଲକୁ ଠେଲି ଦେଇଥିଲେ। ଏହାପରେ ଇସ୍ରାଏଲ ପର୍ଯ୍ୟଟକଙ୍କ ସହ ହୋମ ଷ୍ଟେ ମାଲିକଙ୍କୁ ମାଡ଼ ମାରି ଦୁଷ୍କର୍ମ କରିଥିଲେ। ଏହାପରେ ବାଇକ ଧରି ସେଠାରୁ ଚମ୍ପଟ ମାରିଥିଲେ। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣିରେ ପଡ଼ି ନିଖୋଜ ହୋଇଥିବା ଓଡ଼ିଶାର ବିବଶଙ୍କୁ ସେମାନେ ଖୋଜିଥିଲେ ମଧ୍ୟ ରାତିରେ କୌଣସି ପତ୍ତା ମିଳି ନଥିଲା। ପରଦିନ ସକାଳୁ ବିବଶଙ୍କ ମୃତଦେହ କେନାଲ କୂଳରୁ ମିଳିଥିଲା। ଏହି ଘଟଣା ପୂରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ଶେଷରେ ଗଙ୍ଗାବତୀ ଜିଲ୍ଲା ଓ ଦୌରାଜଜ କୋର୍ଟ ଆଜି ୩ ଜଣଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି।










